ନୂଆଦିଲ୍ଲୀ: ଭାରତର ଅନେକ ଅଞ୍ଚଳରେ ଆଗାମୀ ଦିନରେ ପ୍ରବଳ ଗରମ ଓ ଗୁଳଗୁଳି ଅନୁଭୂତ ହେବାକୁ ଥିବା ବେଳେ ଉତ୍ତର-ପୂର୍ବାଞ୍ଚଳର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି। ଆଇଏମ୍ଡିର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆଗାମୀ କିଛି ଦିନ ମଧ୍ୟରେ ମଧ୍ୟ ଏବଂ ପୂର୍ବ ଭାରତ ସମେତ ଉପଦ୍ୱୀପୀୟ ଭାରତର କିଛି ଅଞ୍ଚଳରେ Heatwave ବା ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିପାରେ।

ବିଭିନ୍ନ ରାଜ୍ୟରେ ହିଟ୍ୱେଭ୍ ଆଲର୍ଟ

ମଧ୍ୟପ୍ରଦେଶ: ଏପ୍ରିଲ୍ ୧୭ ରୁ ୧୯ ଯାଏଁ ହିଟ୍ୱେଭ୍ ସ୍ଥିତି ଲାଗି ରହିବ।

ବିଦର୍ଭ ଓ ଛତିଶଗଡ଼: ଏପ୍ରିଲ୍ ୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି।

ଓଡ଼ିଶା ଓ ଝାଡ଼ଖଣ୍ଡ: ଓଡ଼ିଶାରେ ଏପ୍ରିଲ୍ ୧୮ ଏବଂ ୧୯ ତାରିଖରେ ହିଟ୍ୱେଭ୍ ପରିସ୍ଥିତି ସୃଷ୍ଟି ହୋଇପାରେ। ସେହିପରି ଝାଡ଼ଖଣ୍ଡରେ ଏପ୍ରିଲ୍ ୧୯ ଓ ୨୦ ତାରିଖରେ ସମାନ ସ୍ଥିତି ଦେଖାଦେବ।

ଅନ୍ୟାନ୍ୟ ଅଞ୍ଚଳ: ମହାରାଷ୍ଟ୍ରର ମରାଠୱାଡ଼ା ଏବଂ ମଧ୍ୟ ମହାରାଷ୍ଟ୍ର, ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ ଏବଂ ରାୟଲସୀମାରେ ଏପ୍ରିଲ୍ ୧୭ ଓ ୧୮ ତାରିଖରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

ଆଇଏମ୍ଡି ଅନୁଯାୟୀ, ଉପକୂଳ ଏବଂ ପୂର୍ବ ଭାରତର କିଛି ଅଞ୍ଚଳରେ ପ୍ରବଳ ଗୁଳଗୁଳି ଅନୁଭୂତ ହେବ। ବିଶେଷ କରି ଓଡ଼ିଶାରେ ଏପ୍ରିଲ୍ ୧୭ ରୁ ୨୨ ପର୍ଯ୍ୟନ୍ତ ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକାରେ ଏପ୍ରିଲ୍ ୧୯ ରୁ ୨୨ ଯାଏଁ ଗୁଳଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିବ।

୪୪ ଡିଗ୍ରୀ ପାର୍ କଲାଣି ପାରଦ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ୩୮ ରୁ ୪୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରେକର୍ଡ କରାଯାଇଛି। କେବଳ ପଶ୍ଚିମ ହିମାଳୟ ଅଞ୍ଚଳ, ଉତ୍ତର ପଞ୍ଜାବର କିଛି ଅଂଶ, ଉପ-ହିମାଳୟ ପଶ୍ଚିମବଙ୍ଗ, ସିକିମ୍ ଏବଂ ଉତ୍ତର-ପୂର୍ବାଞ୍ଚଳରେ ତାପମାତ୍ରା ତୁଳନାତ୍ମକ ଭାବେ କମ୍ ରହିଥିଲା।

  •  ଏପ୍ରିଲ୍ ୧୫ ତାରିଖରେ ମହାରାଷ୍ଟ୍ରର ଅକୋଲାରେ ଦେଶର ସର୍ବାଧିକ ତାପମାତ୍ରା୪୪.୨°Cରେକର୍ଡ ହୋଇଛି।
  •  ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ରାଜସ୍ଥାନ, ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ ଏବଂ ତାମିଲନାଡୁର କିଛି ଅଞ୍ଚଳରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ବହୁତ ଅଧିକ ରହିଛି।

ଉତ୍ତର-ପୂର୍ବ ଓ ପୂର୍ବ ଭାରତରେ ବର୍ଷା ସମ୍ଭାବନା

ଗୋଟିଏ ପଟେ ତାତି ବଢ଼ୁଥିବା ବେଳେ ଅନ୍ୟପଟେ ଉତ୍ତର-ପୂର୍ବ ଭାରତରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ଅରୁଣାଚଳ ପ୍ରଦେଶ:ଏପ୍ରିଲ୍ ୧୮ ରୁ ୨୦ ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି।

ଆସାମ ଓ ମେଘାଳୟ: ଏପ୍ରିଲ୍ ୧୭ ରୁ ୨୦ ଯାଏଁ ସମାନ ପାଗ ରହିବା ସହ ୧୭ ରୁ ୧୯ ତାରିଖ ମଧ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ପଶ୍ଚିମବଙ୍ଗ ଓ ସିକିମ୍:ଉପ-ହିମାଳୟ ପଶ୍ଚିମବଙ୍ଗ ଏବଂ ସିକିମ୍ରେ ଏପ୍ରିଲ୍ ୧୭ ରୁ ୧୯ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ବେଳେ ୧୮ ତାରିଖରେ ପ୍ରବଳ ବର୍ଷା ହେବାର ଆଲର୍ଟ ରହିଛି।

ଦିଲ୍ଲୀରେ ମଧ୍ୟ ତାତିରୁ ନିସ୍ତାର ନାହିଁ

ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (NCR) ରେ ଏପ୍ରିଲ୍ ୧୭ ତାରିଖ ଅପରାହ୍ନ ବା ସନ୍ଧ୍ୟାରେ ଆଂଶିକ ମେଘୁଆ ଆକାଶ ସହ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି। ତେବେ ତାପମାତ୍ରାରେ ବିଶେଷ ହ୍ରାସ ଘଟିବ ନାହିଁ। ଏପ୍ରିଲ୍ ୧୯ ପର୍ଯ୍ୟନ୍ତ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ, ଯାହାକି ସ୍ୱାଭାବିକଠାରୁ ଅଧିକ। ଏହି ସମୟରେ ସର୍ବନିମ୍ନ ତାପମାତ୍ରା ୨୦ ରୁ ୨୪ ଡିଗ୍ରୀ ମଧ୍ୟରେ ରହିବ ବୋଲି ଆଇଏମ୍ଡି ସୂଚନା ଦେଇଛି।