ନୂଆଦିଲ୍ଲୀ: ଭାରତର ବିଦେଶୀ ଫଣ୍ଡିଂ ଆଇନ (ଏଫସିଆରଏ)ରେ ପ୍ରସ୍ତାବିତ ସଂଶୋଧନକୁ ନେଇ ଆମେରିକାର ଜନୈକ ସାଂସଦଙ୍କ କଡ଼ା ଟିପ୍ପଣୀ ପରେ ଭାରତ ସରକାର ଏହା ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ (ଏମଇଏ) ସ୍ପଷ୍ଟ କରିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ରୂପେ ଭାରତର ଅନ୍ତରୀଣ ବ୍ୟାପାର ଓ ଏହା ଉପରେ ନିଷ୍ପତ୍ତି ଦେଶର ସାଂସଦ ହିଁ ନେବେ। ଉଲ୍ଲେଖଯୋଗ୍ୟ ଯେ ଆମେରିକାର ରିପବ୍ଲିକାନ ସାଂସଦ ରିଲେ ମୁର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଭାରତର ଫରେନ କଣ୍ଟ୍ରିବ୍ୟୁସନ (ରେଗୁଲେସନ) ଆମେଡମେଣ୍ଟ ବିଲ୍ ୨୦୨୬ ଉପରେ ପ୍ରଶ୍ନ କରିଥିଲେ।

ସେ ଅଭିଯୋଗ କରିଥିଲେ ଯେ ଏହି ପରିବର୍ତ୍ତନ ଇସାୟୀ ଓ ଧାର୍ମିକ ସଂସ୍ଥାଙ୍କ ଉପରେ ଆକ୍ରମଣ ଏବଂ ଏହା ଦ୍ୱାରା ଭାରତ-ଆମେରିକା ସମ୍ପର୍କ ଉପରେ ପ୍ରଭାବ ପଡିପାରେ। ଟ୍ରମ୍ପଙ୍କ ସାଂସଦଙ୍କ ଏହି ପୋଷ୍ଟ କୁ ନେଇ ବୈଦେଶିକ ମନ୍ତ୍ରାଳୟ ଭାରତ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସାପ୍ତାହିକ ବ୍ରିଫିଙ୍ଗରେ ଆମେରିକୀୟ ସାଂସଦଙ୍କ ସମାଲୋଚନାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଘରୋଇ ଆଇନ ସମ୍ପର୍କିତ ମାମଲା ସମ୍ପୂର୍ଣ୍ଣ ଅନ୍ତରୀଣ। ଏହା ଛଡା ବିଦେଶ ମନ୍ତ୍ରାଳୟ ଏହା ବି ମନେ ପକାଇ ଦେଇଛନ୍ତି ଯେ କେବଳ ଭାରତ ନୁହେଁ ଆମେରିକା ସମେତ ବିଶ୍ୱର ଅନ୍ୟ ଦେଶ ମଧ୍ୟ ବିଦେଶୀ ପାଣ୍ଠି ଓ ଫଣ୍ଡିଙ୍ଗକୁ କଡ଼ା କଡ଼ି ନିୟନ୍ତ୍ରିତ କରନ୍ତି।

ଏଫସିଆରଏ ବିଲ୍ ୨୦୨୬ର ମୁଖ୍ୟ ପ୍ରାବଧାନ
ଏହି ନୂଆ ସଂଶୋଧନ ବିଧେୟକରେ ଅନେକ ବଡ଼ ବଡ଼ ପ୍ରାବଧାନ ରଖା ଯାଇଛି। ଏଥିରେ ମୁଖ୍ୟତଃ ଡେଜିଗ୍ନେଟେଡ ଅଥରିଟି ଗଠନ ଉପରେ ଖାସ ଗୁରୁତ୍ୱ ଦିଆଯାଇଛି। ଏ କଥାକୁ ଏପରି ବୁଝା ଯାଇ ପାରେ ଯେ ଯଦି କୌଣସି ସଙ୍ଗଠନର ଏଫସିଆରଏ ପଞ୍ଜିକରଣ ବାତିଲ ହୁଏ, ସରେଣ୍ଡର କରାଯାଏ ଅଥବା ସମୟ ସମାପ୍ତ ହେଲେ ନବୀକରଣ କରା ନଯାଏ ତେବେ ତାର ବିଦେଶୀ ପାଣ୍ଠି ଓ ଏଥିରେ ହେଉଥିବା ସମ୍ପତ୍ତିର ପ୍ରବନ୍ଧନ ନିମନ୍ତେ ଡେଜିଗ୍ନେଟେଡ ଅଥରିଟି ଗଠନ କରାଯିବ।

ଧାର୍ମିକ ସ୍ଥଳର ସୁରକ୍ଷା ଉପରେ ଗୁରୁତ୍ୱ
ବିଲ୍ ରେ ଏହା ସ୍ପଷ୍ଟ କରାଯାଇଛି ଯେ ଯଦି ଏପରି ସମ୍ପତ୍ତିରେ କୌଣସି ପୂଜା ସ୍ଥଳ ସାମିଲ ଥାଏ ତେବେ ସେହି ପ୍ରାଧିକାରୀଙ୍କୁ ତାର ଧାର୍ମିକ ବିଶେଷତାକୁ କାୟମ ରଖିବାକୁ ପଡିବ। ଏହା ସହିତ ଏହି ନୂଆ ସଂଶୋଧନରେ ଆଇନ ଉଲ୍ଲଂଘନରେ ସର୍ବାଧିକ ଦଣ୍ଡକୁ ୫ ବର୍ଷ ଜେଲଦଣ୍ଡରୁ କୋହଳ କରି ୧ ବର୍ଷ କରିବାକୁ ପ୍ରାବଧାନ କରାଯାଇଛି। ତଥ୍ୟର ଆଧାର ଦେଖିଲେ ଗୃହମନ୍ତ୍ରାଳୟ ୨୦୧୯ରୁ ୨୦୨୨ ମଧ୍ୟରେ ଦେଶର ୧୩,୫୨୦ ସଙ୍ଗଠନଙ୍କୁ ମୋଟ ୫୫,୭୪୧ କୋଟି ଟଙ୍କାର ବିଦେଶୀ ଫଣ୍ଡିଂ ମିଳିଥିଲା।