ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ମଙ୍ଗଳବାର ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲରେ ମାତ୍ ଦେଇଛି । ଭାରତ ଗତ ୧୦ ବର୍ଷ ଧରି ପାକିସ୍ତାନ ବିପକ୍ଷରେ ନିଜର ବିଜୟ ଧାରା ଜାରି ରଖିଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଭାରତୀୟ ଟିମ ଗୋଟିଏ ଗୋଲ୍ରେ ପଛୁଆ ରହିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ପାକିସ୍ତାନର ହୋସ୍ ଉଡ଼ାଇ ଦେଇଥିଲା । ମ୍ୟାଚ୍ ଆରମ୍ଭରେ ପାକିସ୍ତାନ ପକ୍ଷରୁ ଅହମ୍ମଦ ନଦୀମ ଗୋଲ୍ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ନଦୀମ ୮ମ ମିନିଟ୍ରେ ଏହି ଗୋଲ୍ ଦେଇଥିଲେ ।

ପାକିସ୍ତାନର ଏହି ଅଗ୍ରଣୀ ମ୍ୟାଚର ପ୍ରଥମ ୧୪ ମିନିଟ୍ ପର୍ଯ୍ୟନ୍ତ ବଜାୟ ରହିଥିଲା । ଟିମ୍ ଇଣ୍ଡିଆ ୯ମ ମିନିଟ୍ରୁ ହିଁ ନିଜର ଆକ୍ରମଣାତ୍ମକ ଖେଳ ଖେଳି ପାକିସ୍ତାନ ଉପରେ ଚାପ ସୃଷ୍ଟି କରିଥିଲା । ଅଭିଷେକ ୨୨ତମ ମିନିଟ୍ରେ ଗୋଲ୍ କରି ସ୍କୋରକୁ ୧-୧ରେ ସମାନ କରିଥିଲେ । ଭାରତ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖିଥିଲା ଏବଂ ଦୁଇ ମିନିଟ୍ ପରେ ହିଁ ଅଗ୍ରଣୀ ହାସଲ କରିନେଇଥିଲା । ନୀଳକାନ୍ତ ଶର୍ମା ମ୍ୟାଚର ୨୪ତମ ମିନିଟରେ ଗୋଲ୍ ଦେଇ ଭାରତ ସପକ୍ଷରେ ସ୍କୋର ୨-୧ କରିଦେଇଥିଲେ । ହାଫ୍ ଟାଇମ୍ ପର୍ଯ୍ୟନ୍ତ ଭାରତ ୨-୧ରେ ଅଗ୍ରଣୀ ବଜାୟ ରଖିଥିଲା ।

ଭାରତୀୟ ଦଳ ପାକିସ୍ତାନକୁ ମ୍ୟାଚକୁ ଫେରିବାର କୌଣସି ସୁଯୋଗ ଦେଇନଥିଲା । ତୃତୀୟ କ୍ୱାର୍ଟରରେ ସୁଖଜୀତ ସିଂହ ଗୋଲ୍ କରି ଭାରତକୁ ୩-୧ରେ ଆଗୁଆ କରିଥିଲେ । ଚତୁର୍ଥ କ୍ୱାର୍ଟରରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ହରମନପ୍ରୀତ ସିଂହ ବଲକୁ ରଜିନ୍ଦରଙ୍କ ଆଡ଼କୁ ଯିବାକୁ ଦେଇଥିଲେ । ରଜିନ୍ଦର ଏକ ଜବରଦସ୍ତ ସଟ୍ ମାରି ଗୋଲ୍ କରିଥିଲେ । ଭାରତୀୟ ଦଳ ୪-୧ରେ ଆଗୁଆ ହୋଇଥିଲା ।

ତେବେ ଚତୁର୍ଥ କ୍ୱାର୍ଟରରେ ପାକିସ୍ତାନ ସାମାନ୍ୟ ପ୍ରତ୍ୟାବର୍ତ୍ତନ କରିଥିଲା । ପାକିସ୍ତାନ ମ୍ୟାଚର ୫୩ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିଥିଲା । ଚତୁର୍ଥ କ୍ୱାର୍ଟର ଶେଷ ହେବାକୁ ଯାଉଥିବା ବେଳେ ପାକିସ୍ତାନ ଆଉ ଏକ ଗୋଲ୍ ଦେଇ ଉତ୍କଣ୍ଠା ବଢ଼ାଇ ଦେଇଥିଲା । ପେନାଲ୍ଟି କର୍ଣ୍ଣରରେ ମୋଇନ୍ ସକିଲ୍ ଗୋଲ୍ କରିଥିଲେ । ଗୋଲ୍ ହେବା ପରେ ମାତ୍ର ୧୦ ସେକେଣ୍ଡର ସମୟ ବାକି ଥିଲା । ଭାରତ ୪-୩ ଗୋଲରେ ମ୍ୟାଚକୁ ନିଜ ନାଁ କରିନେଇଥିଲା ।