କୋଲକାତା: ଉତ୍ତର କୋଲକାତା ଚୋରବାଗାନ କ୍ଷେତ୍ର ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଶନିବାର ସନ୍ଧ୍ୟାରେ ହୋଇଥିବା ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରବିବାର ଏହା ପୁଷ୍ଟି କରିଛନ୍ତି। ଏହି ଘଟଣା ସନ୍ଧ୍ୟା ପ୍ରାୟ ୭ଟା୪୦ ମିନିଟ୍ ରେ ଗିରିଶ ପାର୍କ ଥାନା ଅଞ୍ଚଳରେ ଘଟିଥିଲା। ପୂଜା ଦର୍ଶନାର୍ଥୀଙ୍କ ଭାରି ଭିଡ ଓ ବର୍ଷା ଯୋଗୁ ଏପରି ପରିସ୍ଥିତି ଉପୁଜିଥିଲା। ମୁଖ୍ୟମନ୍ତ୍ରୀ ଘଟଣାର ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ମାମଲାରେ ପୋଲିସ ଆୟୋଜନକାରୀଙ୍କ ସମେତ ମୋଟ ୧୨ ଜଣଙ୍କୁ ଅଟକ ରଖିଛି। ଅନ୍ୟପଟେ କିଛି ପ୍ରମୁଖ ପୂଜାମଣ୍ଡପରେ ପ୍ରବେଶ କଟକଣା ଜାରି ହୋଇଥିବା ଜଣାପଡିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ପୀଡ଼ିତଙ୍କ ପରିବାର ଲାଗି ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରିଥିବା ବେଳେ ପରିବାରର ଜଣକୁ ସରକାରୀ ଚାକିରି ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଛଡା ଦଳାଚକଟା ଘଟଣାର ନିରପେକ୍ଷ ଯାଞ୍ଚ ଲାଗି ସରକାର ଜଣେ କାର୍ଯ୍ୟରତ ଜଜ୍ ଙ୍କ ଦେଖରେଖରେ ତଦନ୍ତ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ସେହିପରି ମାମଲାର ତଦନ୍ତ ଏସଟିଏଫ ଦ୍ୱାରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଦଳାଚକଟାରେ ଆହତ ଶ୍ରଦ୍ଧାଳୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଜନୈକ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଘଟଣା ବେଳେ ଅନେକ ଲୋକ ବେହୋସ ହୋଇଯାଇଥିଲେ। ଏଥିରେ କିଛି ଲୋକଙ୍କୁ ଉଦ୍ଧାର କରି ମୋଟର ସାଇକେଲରେ ହସ୍ପିଟାଲ ନିଆଯାଉଥିଲା ଓ ଚାରି ଆଡେ କେବଳ ଭିଡ ହିଁ ଭିଡ ଦେଖିବାକୁ ମିଳୁଥିଲା। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଆହତଙ୍କୁ ଭେଟିବାକୁ ହସ୍ପିଟାଲ ଯାଇଥିଲେ। ପୋଲିସ, ଦମକଳ ବିଭାଗ, ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଘଟଣା ପରେ ଆଗନ୍ତୁକଙ୍କ ଲାଗି ମଣ୍ଡପକୁ ବନ୍ଦ କରିଦିଆଯାଇଛି।

ଚୋରବାଗାନ ଘଟଣା ପରେ ପ୍ରମୁଖ ପୂଜା ମଣ୍ଡପରେ ଅସ୍ଥାୟୀ କଟକଣା
ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଘଟିଥିବା ଦୁଃଖଦ ଦଳାଚକଟା ଘଟଣା ପରେ କର୍ତ୍ତୃପକ୍ଷ କୋଲକାତାର ଅନେକ ପୂଜା ସ୍ଥଳରେ ପ୍ରବେଶ କଟକଣା ଜାରି କରିଛନ୍ତି। ଏହି ପଦକ୍ଷେପ ଯୋଗୁ ତାଲା ପ୍ରତ୍ୟୟ, ଅଲିପୁର ସାର୍ବଜନୀନ ଓ ଚେତଲା ଅଗ୍ରଣୀ ଭଳି ପୂଜାର ମୁଖ୍ୟ ଆକର୍ଷଣ କେନ୍ଦ୍ରଗୁଡିକ ପ୍ରଭାବିତ ହୋଇଛି। ଏହା ସହିତ ଆଲେନ ପାର୍କ ମଧ୍ୟ ନିଜର ଆଲୋକ ସଜ୍ଜା (ଲାଇଟ୍ ସୋ) ଓ ସଙ୍ଗୀତ କାର୍ଯ୍ୟକ୍ରମ ସ୍ଥଗିତ ରଖିଛି।