News7 Logo

ରବିବାର ମ୍ୟାଚ୍, ହେଲେ ବିକ୍ରି ହେଉନି ଭାରତ-ପାକ୍ ମ୍ୟାଚ୍‌ର ଟିକେଟ୍

NEWS7
IND vs PAK

ନୂଆଦିଲ୍ଲୀ: ଏସିଆ କପରେ ସେପ୍ଟେମ୍ବର ୧୪ରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବା ବହୁପ୍ରତୀକ୍ଷିତ ମ୍ୟାଚ୍। ତେବେ ମ୍ୟାଚ୍‌କୁ ନେଇ ଯେଉଁ ଉତ୍ସାହ ରହିବା କଥା ସେମିତି ଉତ୍ସାହ ଦୁବାଇରେ ଦେଖିବାକୁ ମିଳୁନି। ଯାହାର ପ୍ରମାଣ ହେଉଛି ଭାରତ-ପାକ୍ ମ୍ୟାଚ୍‌ର ଟିକେଟ୍ ବ୍ରିକି ନ ହେବା। ଭାରତ ଓ ପାକିସ୍ତାନ ମ୍ୟାଚ୍ କଥା ଉଠିଲେ ସ୍ଵାଭାବିକ ଭାବେ କେଇ ଘଣ୍ଟାରେ ସମସ୍ତ ଟିକେଟ୍ ବିକ୍ରି ହୋଇଯାଏ। ଏପରିକି ବ୍ଲାକରେ ଟିକେଟ୍ ଆକାଶଛୁଆଁ ଦରରେ ବିକ୍ରି ହୁଏ। ତେବେ ଏଥର ସେମିତି ଉତ୍ସାହ ଦେଖିବାକୁ ମିଳିନି। ଏ ପର୍ଯ୍ୟନ୍ତ ମ୍ୟାଚ୍‌ର ସମସ୍ତ ଟିକେଟ୍ ବିକ୍ରି ହୋଇ ପାରିନି। ଏହାର ମୁଖ୍ୟ କାରଣ ହେଉଛି ଟିକେଟ୍ ମୂଲ୍ୟ। ଦର୍ଶକଙ୍କୁ ଦୁଇଟି ଟିକେଟ୍ କିଣିବା ପାଇଁ ଅଢେଇ ଲକ୍ଷ  ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

ରିପୋର୍ଟ ଅନୁଯାୟୀ, ମହଙ୍ଗା ଟିକେଟ୍ କାରଣରୁ ଏହାର ସିଧାସଳଖ ପ୍ରଭାବ ବିକ୍ରି ଉପରେ  ପଡ଼ିଛି। ଇଷ୍ଟ ଷ୍ଟାଣ୍ଡରେ ଦୁଇଟି ଭିଆଇପି ଟିକେଟର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ରହିଛି। ଏହି ଟିକେଟ୍ କିଣିଲେ ସୁନ୍ଦର ଭାବେ ଦେଖାଯାଇ ପାରୁଥିବା ସ୍ଥାନରେ ସିଟ୍ ମିଳିବ। ଏଥିରେ ଖାଦ୍ୟପେୟର ବ୍ୟବସ୍ଥା ରହିଛି। ଏହା ସହ ପାର୍କିଂ ପାସ୍, ଭିଆଇପି ଲାଉଞ୍ଜ ଓ ରେଷ୍ଟରୁମର ସୁବିଧା ମିଳିବ।

ରିପୋର୍ଟ ଅନୁସାରେ ରୟାଲ ବକ୍ସରେ ଟିକେଟ୍ ମୂଲ୍ୟ ଦୁଇ ଲକ୍ଷ ୩୦ ହଜାର ଟଙ୍କା ରହିଛି। ସ୍କାଇ ବକ୍ସ ପାଇଁ ଟିକେଟ୍ ମୂଲ୍ୟ ଏକ ଲକ୍ଷ ୬ ହଜାର ଟଙ୍କା ରହିଛି। ଏପରିକି ପ୍ଲାଟିନମ ଟିକେଟ୍ ମୂଲ୍ୟ ଆକାଶଛୁଆଁ ରହିଛି, ଯାହାର ମୂଲ୍ୟ ୭୫ ହଜାର ୬୫୯ ଟଙ୍କା ରହିଛି। ସବୁଠୁ ଶସ୍ତା ଟିକେଟ୍ ହେଉଛି ଦୁଇଟି ସିଟ୍ ବୁକ୍ କଲେ ଆପଣଙ୍କୁ ପ୍ରାୟ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ୟୁଏଇ କ୍ରିକେଟ୍ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତ-ପାକିସ୍ତାନ ମ୍ୟାଚ୍‌ର ଟିକେଟ୍ ବିକ୍ରି ନ ହେବା ସଭିଙ୍କୁ ଚକିତ କରିଛି। ଚାମ୍ପିଅନ୍ସ ଟ୍ରଫିରେ ଟିକେଟ୍ ମାତ୍ର ୪ ମିନିଟ୍‌ରେ ବିକ୍ରି ହୋଇ ଯାଇଥିଲା। ମାତ୍ର ଏଥର ସ୍ଥିତି ବହୁତ ଖରାପ। ରୋହିତ ଓ ବିରାଟଙ୍କ ଅନୁପସ୍ଥିତି କାରଣରୁ ବୋଧହୁଏ ଟିକେଟ୍ ବିକ୍ରି କମ ହୋଇଥିବା ଆଶଙ୍କା ପ୍ରକାଶ କରିଛନ୍ତି ଅଧିକାରୀ।