ନୂଆଦିଲ୍ଲୀ ୨।୧: ଡିସେମ୍ବରର ଥଣ୍ଡା ରାତି ପରେ ଏବେ ଜାନୁୟାରୀରେ ଆସିବ ଶୀତ ଲହର। ଏଥର ଜାନୁୟାରୀର ଥଣ୍ଡା କେବଳ ଥରାଇବନି ଶୀତଲହରୀ, କୁହୁଡି ଓ ତାପମାତ୍ରାରେ ଅସ୍ୱଭାବିକ ହ୍ରାସ ଦେଶର ଅନେକ ଅଞ୍ଚଳକୁ ପ୍ରଭାବିତ କରିପାରେ, ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରିବ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଶୁକ୍ରବାର ଜାନୁୟାରୀରୁ ମାର୍ଚ୍ଚ ୨୦୨୬ ନିମନ୍ତେ ତାଙ୍କର ପୂର୍ବାନୁମାନ ଜାରି କରିଛନ୍ତି। ଏହା ସହିତ ଜାନୁୟାରୀ ମାସର ପାଣିପାଗ ଆଉଟ ଲୁକ୍ ମଧ୍ୟ ଜାରି ହୋଇଛି।

ଏହି ଆୁଟ ଲୁକ୍ ଅନୁସାରେ ଜାନୁୟାରୀରେ ପଡିବାକୁ ଥିବା ଥଣ୍ଡା ଦେଶର ବିସ୍ତୃତ ଅଞ୍ଚଳରେ ଅନୁଭୂତ ହେବ। ଏଥିରେ ଲୋକଙ୍କ ଦିନଚର୍ଯ୍ୟା ଗୁରୁତର ପ୍ରଭାବିତ ହେବ। ଆଇଏମଡି ଅନୁସାରେ ଉତ୍ତର-ପଶ୍ଚିମ ଭାରତରେ ଆସୁଥିବା ପୂର୍ବ ଓ ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଲଦ୍ଦାଖରେ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଖୁବ୍ ଥଣ୍ଡାପଡିବ। ତେବେ ଏହି ସମୟରେ ମୌସୁମୀ ବର୍ଷା ପରିମାଣ ସ୍ୱଭାବିକରୁ କମ୍ ରହିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଏଣୁ ସ୍ୱଳ୍ପ ବର୍ଷାର ପ୍ରଭାବ ରବି ଫସଲ ଅମଳକୁ ପ୍ରଭାବିତ କରିପାରେ।

ଜାନୁୟାରୀ ମାସରେ ଦେଶର ଅଧିକାଂଶ ଅଞ୍ଚଳର ତାପମାତ୍ରା ସ୍ୱଭାବିକରୁ କମ ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛନ୍ତି। ଏହାର ଅର୍ଥ ହେଉଛି ରାତିରେ ଅଧିକ ଥଣ୍ଡା ପଡିବ। ବିଶେଷ କରି ମଧ୍ୟ ଭାରତର କିଛି ଅଞ୍ଚଳ, ପୂର୍ବ ଉତ୍ତରପ୍ରଦେଶ ଓ ବିହାରରେ ସ୍ୱଭାବିକରୁ ଅଧିକ ଶୀତ ଲହର ଦିନ ସଂଖ୍ୟା ଦେଖିବାକୁ ମିଳିବ। ଅନ୍ୟପଟେ ଉତ୍ତର-ପୂର୍ବ ଭାରତ ଓ ଦକ୍ଷିଣ ଉପଦ୍ୱୀପୀୟ ଭାରତର କିଛି ଅଞ୍ଚଳର ସର୍ବ ନିମ୍ନ ତାପମାତ୍ରା ସାମାନ୍ୟ ଅଧିକ ହୋଇପାରେ। କେବଳ ରାତି ନୁହେଁ ଅନେକ ସ୍ଥାନରେ ଦିନର ତାପମାତ୍ରା ମଧ୍ୟ ହ୍ରାସ ହୋଇପାରେ।

ଆଇଏମଡିଙ୍କ ରିପୋର୍ଟରେ ପ୍ରଶାନ୍ତ ମହାସାଗରରେ ଲା ନିନା ସ୍ଥିତି ଏବେବି ରହିଛି। ଏଣୁ ସମୁଦ୍ର ପୃଷ୍ଠ ତାପମାତ୍ରା ସ୍ୱଭାବିକରୁ କମ ରହୁଛି ଓ ମଜଭୁତ ଟ୍ରେଡ ୱିଣ୍ଡ ପରିସ୍ଥିତିକୁ ଆହୁରି ଜଟିଳ କରୁଛି। ଅନୁମାନ ଅନୁସାରେ ଜାନୁୟାରୀ-ମାର୍ଚ୍ଚ ୨୦୨୬ରେ ENSO ନ୍ୟୁଟ୍ରଲ ସ୍ଥିତି ଆଡକୁ ଅଗ୍ରସର ହୋଇପାରେ ହେଲେବି ଥଣ୍ଡା ଉପରେ ଲା ନିନାର ପ୍ରଭାବ ରହିବ। ଆଇଏମଡିଙ୍କ ଏହି ପୂର୍ବାନୁମାନର ସିଧା ଅର୍ଥ ହେଉଛି ଜାନୁୟାରୀ ୨୦୨୬ରେ ଥଣ୍ଡା ଆହୁରି ଦୀର୍ଘ ଓ ଅଧିକ ହୋଇପାରେ।

କୁହୁଡି ଯୋଗୁ ସଡ଼କ, ରେଳ ଓ ବିମାନ ଯାତ୍ରା ପ୍ରଭାବିତ ହୋଇପାରେ। ଶୀତ ଲହର ଯୋଗୁ ବୟଷ୍କ, ପିଲା ଓ ଚାଷୀଙ୍କ ନିମନ୍ତେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଆଇଏମଡିଙ୍କ ସ୍ପଷ୍ଟ ବାର୍ତ୍ତା ହେଉଛି ଏହି ଥଣ୍ଡାକୁ ଯେପରି କେହି ହାଲୁକା ଗ୍ରହଣ ନ କରନ୍ତି। କାରଣ ଏଥର ଜାନୁୟାରୀ ମାସର ପାଣି ପାଗ ସ୍ୱଭାବିକରୁ ଅଧିକ ଆହ୍ୱାନପୂର୍ଣ୍ଣ ହୋଇ ପାରେ। ଏଣୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।