ଭୁବନେଶ୍ୱର,/୦୯ :ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ବର୍ତ୍ତମାନ ସୁଦ୍ଧା ଆତଙ୍କିତ ହେବା ପରି ସ୍ଥିତି ନାହିଁ। ଏବେ ଯାଏଁ ବାତ୍ୟା ହେବା ନେଇଭାରତୀୟ ପାଣିପାଗ ବିଭାଗ’ (ଆଇଏମଡି) ପୂର୍ବାନୁମାନ କରିନାହିଁ । ସ୍ଥିତି ଉପରେ ବିଭାଗ ନଜର ରଖିଛି । ୧୯ ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ। ଯଥେଷ୍ଟ ପୂର୍ବରୁ ଏନେଇ ଠିକ୍ ପୂର୍ବାନୁମାନ କରାଯିବା ସହ ସତର୍କତା ଜାରି କରାଯିବ। ତେଣୁ ବାତ୍ୟା ଗୁଜବକୁ ନେଇ ଏପରି ଭୟଭୀତ ହେବା ଅନୁଚିତ୍ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ।

Also Read :- ଥାଇଲାଣ୍ଡରୁ ମାଡ଼ି ଆସୁଛି ଘୂର୍ଣ୍ଣିବଳୟ : ୧୯ରେ ଲଘୁଚାପ, ଓଡିଶାରେ ଆଣିବ ବାତ୍ୟା !

ଡପଲର୍ ରାଡାର୍ ଲୋକାର୍ପଣ କାର୍ଯ୍ୟକ୍ରମରେ ସମ୍ବଲପୁର ଆସିଥିବା ଡ. ମହାପାତ୍ର କହିଛନ୍ତି,ଏବେ ଥାଇଲାଣ୍ଡ୍ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୧୮ ତାରିଖ ସୁଦ୍ଧା ଉତ୍ତର-ଆଣ୍ଡାମାନ ସାଗରରେ ପ୍ରବେଶ କରିବ । ୧୯ ତାରିଖ ସଂଧ୍ୟା ସୁଦ୍ଧା ଏହା ପୂର୍ବ -କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରେ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଓ କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର-ଆନ୍ଧ୍ର ଓ ଦକ୍ଷିଣ-ଓଡ଼ିଶା ମୁହାଁ ହୋଇପାରେ। ମାତ୍ର ଏହି ଲଘୁଚାପ କ୍ଷେତ୍ରଟି ଅବପାତ କିମ୍ବା ବାତ୍ୟାରେ ପରିଣତ ହେବା ନେଇ ଏବେଠାରୁ ଏବେଠାରୁ କିଛି କହିହେବ ନାହିଁ ।

ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ୧୯ ତାରିଖରେ ଘୁର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ଏହା ଘନୀଭୂତ ହୋଇ ବାତ୍ୟା ହେବ କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଡ. ମହାପାତ୍ର କହି ଛନ୍ତି।

ସୂଚନାଯୋଗ୍ୟ,ବଙ୍ଗୋପସାଗରରେ ଆସନ୍ତା ସପ୍ତାହ ସୁଦ୍ଧା ଏକ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେବା ନେଇ ପାଗ ଅନୁକୂଳ ରହିଥିବା ଏକାଧିକ ବିଦେଶୀ ପାଣିପାଗ ସଂସ୍ଥାର ମଡେଲ କହୁଛି। ସେହିପରି ଏକାଧିକ ପାଣିପାଗ ବିଶେଷଜ୍ଞ ମଧ୍ଯ ଏନେଇ ସଙ୍କେତ ଦେବା ପରେ ପୂର୍ବ-ଉପକୂଳରେ ସମ୍ଭାବ୍ୟ ବାତ୍ୟା ଚର୍ଚ୍ଚା ଲାଗି ରହିଛି।