କୋଲକାତା: ବଙ୍ଗାଳୀ ପରମ୍ପରାରେ ମା' ମନସାଙ୍କ ପୂଜା ଅବସରରେ ସେପ୍ଟେମ୍ବର ୧୭ ତାରିଖରେ 'ରଣ ପୂଜା' ପାଳନ କରାଯାଏ । ଏହି ପୂଜାର ପୂର୍ବ ରାତିରେ ଇଲିସି ମାଛ ସହ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ ଏବଂ ପୂଜା ଦିନ ସେହି ଥଣ୍ଡା ଖାଦ୍ୟକୁ ଲୋକେ ଖାଇଥାନ୍ତି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ପ୍ରଥାର ବେଶ୍ ଗୁରୁତ୍ୱ ରହିଛି ।

ଇଲିସି ଅଭାବର କାରଣ

​​​​​​​
ଗତ ୫୧ ଦିନ ମଧ୍ୟରେ ବଙ୍ଗୋପସାଗରରେ ପ୍ରାୟ ୧୨ଟି ଲଘୁଚାପ ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ହେତୁ ଇଲିସି ମାଛ ନଦୀର ମିଠା ପାଣିକୁ ନଆସି ସମୁଦ୍ରର ଗଭୀର ଲୁଣି ପାଣିରେ ରହିଯାଇଛନ୍ତି । ବାରମ୍ବାର ଖରାପ ପାଗ ଯୋଗୁଁ ବାଂଲାଦେଶୀ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇପାରି ନାହାନ୍ତି ।

ମାଛଗୁଡ଼ିକ ପଦ୍ମା ଓ ମେଘନା ନଦୀର ମୁହାଣକୁ ନଆସିବାରୁ ଚଳିତ  ବର୍ଷ ଉତ୍ପାଦନ କମ୍‌ ହୋଇଛି । ଯେତିକି ମାଛ ଧରାପଡ଼ୁଛି, ତାହା ବାଂଲାଦେଶର ନିଜସ୍ୱ ଚାହିଦା ମେଣ୍ଟାଇବା ପାଇଁ ଯଥେଷ୍ଟ ନୁହେଁ । ଫଳରେ ସେଠାରେ ଇଲିସିର ଦର ଆକାଶଛୁଆଁ ହୋଇଛି ଏବଂ ରପ୍ତାନୀ ପାଇଁ ବଳକା ମାଛ ନାହିଁ ।

ପଶ୍ଚିମବଙ୍ଗ ଇଲିସି ରପ୍ତାନୀ-ଆମଦାନୀ ସଂଘର ସଭାପତି ଅତୁଲ ଚନ୍ଦ୍ର ଦାସଙ୍କ କହିବାନୁଯାୟୀ, ଏଥର ସମ୍ପୂର୍ଣ୍ଣ ଚିତ୍ର ବଦଳି ଯାଇଛି। ଖରାପ ପାଗ, କଟକଣା ଏବଂ ବାଂଲାଦେଶର ନିଜସ୍ୱ ଅଭାବ ଯୋଗୁଁ ଐତିହାସିକ ପର୍ବ ସମୟରେ ବଙ୍ଗାଳୀଙ୍କ ଥାଳିରୁ ଇଲିସି ଗାଏବ ହୋଇଛି।

ପୂଜା ପାଖେଇ ଆସୁଥିଲେ ବି ଚଳିତ ବର୍ଷ କୋଲକାତା ଓ ପଶ୍ଚିମବଙ୍ଗର ଆମିଷପ୍ରିୟ ବଙ୍ଗାଳୀଙ୍କ ଥାଳିରୁ ଗାଏବ ରହିବ ପଦ୍ମା ଓ ମେଘନା ନଦୀର ସ୍ୱାଦିଷ୍ଟ ଇଲିସି ମାଛ । ବାଂଲାଦେଶରୁ ଇଲିସି ଆମଦାନୀ ବନ୍ଦ ରହିଥିବାରୁ ଏବେ ବଜାରରେ ମିଆଁମାର ଏବଂ ଗୁଜରାଟରୁ ଆସୁଥିବା ଇଲିସି ଉପରେ ବ୍ୟବସାୟୀମାନେ ନିର୍ଭର କରୁଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଭାରତର ଗୁଜରାଟରୁ ଇଲିସି ମାଛ ଏବେ ବାଂଲାଦେଶକୁ ରପ୍ତାନି କରାଯାଉଛି ।