ନୂଆଦିଲ୍ଲୀ: ଆକାଶଛୁଆଁ ଉଚ୍ଚତାରେ ପୁଣି ନିଜର ଦକ୍ଷତା ପ୍ରମାଣିତ କରି ଦେଖାଇଲା ଭାରତୀୟ ବାୟୁସେନା । ପୂର୍ବ ଲଦାଖର ଅତ୍ୟନ୍ତ ଦୁର୍ଗମ 'ନ୍ୟୋମା' ଏୟାରଫିଲ୍ଡରେ ଓହ୍ଲାଇଲା ବାୟୁସେନାର ବିଶାଳ କାର୍ଗୋ ବିମାନ । ସମୁଦ୍ର ପତ୍ତନରୁ ପ୍ରାୟ ୧୩,୬୨୯ ଫୁଟ୍ ଉଚ୍ଚତାରେ ଅବସ୍ଥିତ ଏହି ବିମାନଘାଟୀରେ ଏତେ ବଡ଼ ଯୁଦ୍ଧବିମାନ ଅବତରଣ କରିବା ପରେ ଭାରତ ସମେତ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।  

 ଭାରତୀୟ ବାୟୁସେନା ଏକ୍ସରେ ଲେଖିଛି, ‘୧୩,୬୨୯ ଫୁଟ୍: ବିମାନ ଇତିହାସରେ ଏକ ନୂତନ ମାଇଲଖୁଣ୍ଟ ।’ ବାୟୁସେନା ନିଜ ପୋଷ୍ଟରେ ସ୍ପଷ୍ଟ କରିଛି ଯେ, ନ୍ୟୋମାରେ IL-76MD ବିମାନର ଏହି ଅବତରଣ ବିଶ୍ୱରେ ଏହି ନିର୍ଦ୍ଦିଷ୍ଟ ବିମାନ ଦ୍ୱାରା ହୋଇଥିବା ସବୁଠାରୁ ଉଚ୍ଚତମ ଲ୍ୟାଣ୍ଡିଂ। ଦୁର୍ଗମ ଏବଂ ବିପଜ୍ଜନକ ପରିବେଶରେ ସୈନ୍ୟ ବାହିନୀ ଓ ସାମରିକ ସରଞ୍ଜାମ ପହଞ୍ଚାଇବାରେ ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣିତ ହୋଇଛି।

LAC ନିକଟରେ ଅବସ୍ଥିତ ନ୍ୟୋମା ଏୟାରଫିଲ୍ଡ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା ସୀମାନ୍ତରେ ମୁତୟନ ଥିବା ସୈନ୍ୟମାନଙ୍କୁ ଆବଶ୍ୟକୀୟ ରାସନ, ଯୁଦ୍ଧାସ୍ତ୍ର ଓ ଭାରୀ ଯନ୍ତ୍ରପାତି ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେବେ ଏତେ ଅଧିକ ଉଚ୍ଚତାରେ ଏକ ଓଜନିଆ ବିମାନ ଅବତରଣ କରାଇବା ଆଦୌ ସହଜ ନଥିଲା। ସେଠାକାର ପାଣିପାଗ ଏବଂ କମ ଅମ୍ଳଜାନ କାରଣରୁ ବିମାନର ଇଞ୍ଜିନ୍ ଶକ୍ତି ଏବଂ ଏୟାର-ଲିଫ୍ଟ କ୍ଷମତା ପ୍ରଭାବିତ ହୋଇଥାଏ। କିନ୍ତୁ ଭାରତୀୟ ବାୟୁସେନାର ପାଇଲଟ୍‌ମାନେ ନିଜର ଦକ୍ଷତା, ସଠିକ୍ ଯୋଜନା ବଳରେ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି।

 IL-76MDର  ଦକ୍ଷତା
ରୁଷ ନିର୍ମିତ ୪-ଇଞ୍ଜିନ୍ ବିଶିଷ୍ଟ ଏହି IL-76MD ବିମାନ ଦୀର୍ଘ ଦଶନ୍ଧି ଧରି ଭାରତୀୟ ବାୟୁସେନାର ମୁଖ୍ୟ ପରିବହନ ବିମାନ । ଅତି ଗୁରୁତର ପରିସ୍ଥିତିରେ ଯୁଦ୍ଧ ଟ୍ୟାଙ୍କ, ଓଜନିଆ ଗାଡ଼ି ଓ ଶହ ଶହ ସୈନିକଙ୍କୁ ଦୂର ସ୍ଥାନକୁ ନେବା ଆଣିବା କରିବାରେ ଏହା ଅତି ଜରୁରୀ । ନ୍ୟୋମାରେ ଏହା ସଫଳ ଲ୍ୟାଣ୍ଡିଂ କରିଛି । ଫଳରେ ଯେକୌଣସି ପ୍ରତିକୂଳ ପରିସ୍ଥିତି କିମ୍ବା ଉଚ୍ଚତା ବିଶିଷ୍ଟ ଯୁଦ୍ଧକ୍ଷେତ୍ରରେ ଭାରତୀୟ ସେନା ଅତି କମ୍ ସମୟ ମଧ୍ୟରେ ନିଜର ରାସନ ଓ ସାମରିକ ବଳ ପହଞ୍ଚାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଚୀନ୍‌ ପଟୁ ଥିବା ସମ୍ଭାବ୍ୟ ବିପଦକୁ ଦେଖିଲେ, ବାୟୁସେନାର ଏହି ସଫଳତା ଯୁଦ୍ଧ କ୍ଷେତ୍ରରେ ଭାରତକୁ ବହୁତ ଆଗରେ ରଖିବ, ଏଥିରେ ସନ୍ଦେହ ନାହିଁ ।