ଜଗତସିଂହପୁର ୩।୧: ଗାଡ଼ି ଛାଡିଦେଲେ ଥାନା ବାବୁ, ଦରମା ବନ୍ଦ କଲେ ଜିଲ୍ଲାପାଳ । ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ ସେଠୀ ନିଜ କ୍ଷମତାର ଅପବ୍ୟବହାର କରି ଦରମା ବନ୍ଦ ଓ କାରଣ ଦର୍ଶାଅ ନୋଟିସ୍‌ର ସମ୍ମୁଖୀନ ହୋଇଛନ୍ତି । କାହା ସାହସରେ ଜିଲ୍ଲା ପ୍ରଶାସନକୁ ଅନ୍ଧାରରେ ରଖି ଜବତ ବାଲି ହାଇୱାକୁ ଛାଡ଼ିଦେଲେ ତାକୁ ନେଇ ଉଠିଲାଣି ପ୍ରଶ୍ନ ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ନଭେମ୍ବର ଓ ଡିସେମ୍ବର ମାସରେ ଦୁଇଟି ବାଲିଘାଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା । ବେଆଇନ ବାଲି ଉତ୍ତୋଳନ ହେତୁ ଏକାଧିକ ବାଲି ବୋଝେଇ ହାଇୱାକୁ ଜିଲ୍ଲା ପ୍ରଶାସନ ଜବତ କରିବା ପରେ ସେଗୁଡ଼ିକୁ ପୋଲିସ ହେପାଜତରେ ରଖାଯାଇଥିଲା । ଜବତ ବାଲି ହାଇୱା ଓ ବାଲିଘାଟ ନିଲାମଧାରୀଙ୍କ ବିରୋଧରେ ତିର୍ତ୍ତୋଲ ଥାନାରେ ସେତେବେଳେ ଜିଲ୍ଲା ଖଣି ଅଧିକାରୀଙ୍କ ତରଫରୁ ଅଭିଯୋଗ ହୋଇଥିଲା । ଅନ୍ୟପଟେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜବତ ହାଇୱା ଗାଡ଼ି ମାଲିକ । ହାଇକୋର୍ଟ ମାମଲାର ବିଚାର କରି ଆବେଦନକାରୀଙ୍କୁ ୧୫ ଦିନ ଭିତରେ ତିର୍ତ୍ତୋଲ ଥାନା ଅଧିକାରୀ, ଉପ ଜିଲ୍ଲାପାଳ ଓ ଜିଲ୍ଲା ଖଣି ଅଧିକାରୀଙ୍କ ନିକଟରେ ସମସ୍ତ ତଥ୍ୟ ଦାଖଲ କରି ଗାଡ଼ି ଛାଡ଼ିବା ପାଇଁ ଅନୁରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀଙ୍କ ଅନୁରୋଧକୁ ବିଚାରକୁ ନେଇ ବିଭାଗୀୟ ଅଧିକାରୀ ଏହା ଉପରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ହାଇକୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଥିଲେ । ହେଲେ ହାଇକୋର୍ଟଙ୍କ ଆଦେଶର ବିପରୀତ କାମ କରିଛନ୍ତି ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ ସେଠୀ । ସେ କିଛି ବାଲି ବୋଝେଇ ହାଇୱାକୁ ଗାଡ଼ି ମାଲିକଙ୍କୁ ହସ୍ତାନ୍ତର କରିଦେଇଥିଲେ । ଯାହାକୁ ନେଇ ଅବଗତ ନଥିଲେ ଜିଲ୍ଲା ପ୍ରଶାସନ । ଯାହାକି ହାଇକୋର୍ଟଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଙ୍ଘନ ବୋଲି ଜିଲ୍ଲାପାଳ ଜାରି କରିଥିବା କାରଣ ଦର୍ଶାଅ ନୋଟିସ୍‌ରୁ ଜଣାପଡ଼ିଛି । ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ ସେଠୀ ନିଜ କ୍ଷମତାର ଦୁରୁପଯୋଗ ସହ ବେନିୟମ କାର୍ଯ୍ୟ କରିଥିବା ନେଇ ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଦେବା ସହିତ ଦରମା ବନ୍ଦ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।