ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀ ଅଷ୍ଟମ ବେତନ ଆୟୋଗ ସୁପାରିଶକୁ ଅପେକ୍ଷା କରି ରହିଛନ୍ତି। ବେତନ ଆୟୋଗଙ୍କୁ ସୁପାରିଶ ପ୍ରଦାନ ନିମନ୍ତେ ୧୮ ମାସ ସମୟ ମିଳିଛି। ଏହାକୁ ଧ୍ୟାନରେ ରଖି ବେତନ ଆୟୋଗ ବୈଠକ ପର୍ବ ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ବେତନ ଆୟୋଗ ହାଇଦ୍ରାବାଦ, ଶ୍ରୀନଗର ଓ ଲଦ୍ଦାଖରେ ତାଙ୍କର ଆଗାମୀ ବୈଠକର ସିଡ୍ୟୁଲ ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଡେରାଡୁନ ଓ ଦିଲ୍ଲୀରେ ବେତନ ଆୟୋଗଙ୍କ ବୈଠକ ହୋଇ ସାରିଛି। ଏହି ବୈଠକର ଉଦ୍ଦେଶ୍ୟ ବେତନ ଆୟୋଗ ସମ୍ପର୍କିତ ମାମଲାରେ ହିତାଧିକାରୀ, ସରକାରୀ ସଙ୍ଗଠନ, ସଂସ୍ଥାନ ଓ କର୍ମଚାରୀ ସଂଘଙ୍କ ସହ ଆଲୋଚନା କରିବା।

ଏହି ସବୁ ବୈଠକ ମେ ଓ ଜୁନ ଦୁଇ ମାସ ଧରି ଅନୁଷ୍ଠିତ ହେବ। ଏଥିପାଇଁ ଆଗ୍ରହୀ ପକ୍ଷଙ୍କୁ ସର୍ବ ପ୍ରଥମେ ଅଷ୍ଟମ ବେତନ ଆୟୋଗଙ୍କ ଅଧିକାରୀକ ୱେବସାଇଟରେ ମେମୋରେଣ୍ଡମ ଜମା କରିବାକୁ ପଡିବ ଓ ଏହା ପରେ ବେତେନ ଆୟୋଗଙ୍କୁ ଭେଟିବାକୁ ଆପଏଣ୍ଟମେଣ୍ଟ ମିଳିବ। ସିଡ୍ୟୁଲ ମୁତାବକ ବେତନ ଆୟୋଗ ୧୮ ଓ ୧୯ ମେ ୨୦୨୬ରେ ହାଇଦ୍ରାବାଦ ଓ ତେଲେଙ୍ଗାନା ଗସ୍ତରେ ରହିବେ। ଏଣୁ ବେତନ ଆୟୋଗ କହିଛନ୍ତି ଯେ ଆଗ୍ରହୀ ହିତାଧିକାରୀ ତାଙ୍କ ଜ୍ଞାପନ ବେତନ ଆୟୋଗଙ୍କ ଅଧିକାରୀକ ୱେବସାଇଟରେ ଦାଖଲ କରିବାକୁ ହେବ ଓ ୮ ମେ ୨୦୨୬ ପୂର୍ବରୁ ଆପଏଣ୍ଟମେଣ୍ଟ ନେବାକୁ ପଡିବ।

ଏହା ବାଦେ ବେତନ ଆୟୋଗ ୧ ଜୁନରୁ ୪ ଜୁନ ୨୦୨୬ ପର୍ଯ୍ୟନ୍ତ ଶ୍ରୀନଗର, ଜମ୍ମୁ ଓ କାଶ୍ମୀର ଗସ୍ତରେ ରହିବେ। ଯେଉଁ ସଙ୍ଗଠନ, ସଂସ୍ଥାନ ଓ ୟୁନିୟନ ଶ୍ରୀନଗରରେ ଆୟୋଗଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି ସେମାନଙ୍କୁ ୧୬ ମେ ୨୦୨୬ ପୂର୍ବରୁ ତାଙ୍କର ଜ୍ଞାପନ ଓ ଭେଟିବାକୁ ଅନୁରୋଧ ଜମା କରିବାକୁ ପଡିବ। ବେତନ ଆୟୋଗ ଉଚିତ ସମୟରେ ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ ଓ ଅନ୍ୟ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶ ବିଭିନ୍ନ ସହରରେ ଅଲଗା ଅଲଗା ବୈଠକ କରିବେ।

ଇତିମଧ୍ୟରେ ବେତନ ଆୟୋଗ ମେମରେଣ୍ଡମ ଜମା କରିବାର ସମୟସୀମାକୁ ୩୦ ଏପ୍ରିଲ ୨୦୨୬ରୁ ବଢାଇ ୩୧ ମେ ୨୦୨୬ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ନିର୍ଦ୍ଧାରଣ ନିମନ୍ତେ ଗତବର୍ଷ ବେତନ ଆୟୋଗ ଗଠନ କରିଥିଲେ। ବେତନ ଆୟୋଗ ଗତ ଫେବୃଆରୀ ମାସରେ ତାଙ୍କର ୱେବସାଇଟ୍ ଲଞ୍ଚ କରିଥିଲେ। ଏହି ୱେବସାଇଟ୍ ମାଧ୍ୟମରେ ବେତନ ଆୟୋଗଙ୍କ ସବୁ ଅପଡେଟ ପ୍ରାପ୍ତ କରାଯାଇ ପାରିବ। ବେତନ ଆୟୋଗଙ୍କ ସୁପାରିଶ ୧ ଜାନୁୟାରୀ ୨୦୨୬ରୁ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।

Also Read..EPFO କର୍ମଚାରୀଙ୍କୁ ମିଳିବ ବଡ ଉପହାର : ଖୁବ୍ ଶୀଘ୍ର ୭୫୦୦ ଟଙ୍କା ପେନସନ୍, ATMରୁ ଉଠାଇ ହେବ ଟଙ୍କା !