ରାୟପୁର, ୦୪ /୧୨: ରାୟପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ପରାସ୍ତ ହୋଇଛି ଭାରତ । ଦଳ ବିଶାଳ ସ୍କୋର୍ କରିଥିଲେ ମଧ୍ୟ ଭ୍ରମଣକାରୀ ଟିମ୍ ଏହାକୁ ଚେଜ୍ କରିନେଇଥିଲା । ଦଳର ପରାଜୟ ପରେ ଅଧିନାକ କେଏଲ ରାହୁଲଙ୍କ ଏନେଇ ପ୍ରଶ୍ନ କରାଯାଇଥିଲା । ଯାହାର ସେ ଉତ୍ତରରେ ଭାରତୀୟ ବ୍ୟାଟରଙ୍କୁ ପ୍ରଶଂସା କରିଥିଲେ ମଧ୍ୟ ଟସ୍ ବହୁତ ବଡ ଭୂମିକା ନେଇଥାଏ ବୋଲି କହିଛନ୍ତି ।

ରାହୁଲ କହିଛନ୍ତି ଯେ, ସେମାନେ ଟସ୍ ହାରିଥିଲେ । ଦକ୍ଷିଣ ଆଫ୍ରିକା ଟିମ୍ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବିରାଟ କୋହଲି ଏବଂ ଋତୁରାଜ ଗାଏକଓ୍ୱାଡଙ୍କ ଶତକ ବଳରେ ୩୫୮ ରନର ବିଶାଲ ସ୍କୋର କରିଥିଲା । କିନ୍ତୁ ଭ୍ରମଣକାରୀ ଟିମ୍ ୪୯.୨ ଓଭରରେ ଓ୍ୱିକେଟ୍ ହରାଇ ମୁକାବିଲା ଜିତିନେଇଥିଲା । ଯେଉଁଥିରେ ଏଡେମ୍ ମାରକ୍ରମଙ୍କ ଶତକ ଏବଂ ମାଥ୍ୟୁ ବ୍ରିଜକେ ଏବଂ ଡେଓ୍ୱିଡ୍ ବ୍ରେଭିସଙ୍କ ଅର୍ଧଶତକ ରହିଥିଲା ।

ଭାରତୀୟ ଅଧିନାୟକ ଆହୁରି କହିଛନ୍ତି ଯେ, ମୁକାବିଲା ସେତେ ଚ୍ୟାଲେଞ୍ଜିଂ ନଥିଲା । କିନ୍ତୁ କାକର ବଡ ଭୁମିକା ନେଇଥିଲା । ବଲ ଓଦା ରହୁଥିଲା । ଦ୍ୱିତୀୟ ଇନିଂସରେ ବୋଲିଂ କରିବା କଷ୍ଟକର ହୋଇଯାଇଥିଲା । ପ୍ରଥମ ଦିନିକିଆରେ ମଧ୍ୟ ସମାନ ସ୍ଥିତି ହୋଇଥିଲା । ଅମ୍ପାୟାର ବଲ ପରିବର୍ତ୍ତନ କରିଥିଲେ । ମୁକାବିଲାରେ ଟସ୍ ହିଁ ନିର୍ଣ୍ଣାୟକ ଥିଲା ।

ତେବେ ଭାରତ ଆଉ କିଛି କ୍ଷେତ୍ରରେ ଭଲ କରିପାରିଥାନ୍ତା । ୩୫୮ ରନ୍ ଭଲ ସ୍କୋର । କିନ୍ତୁ ଆଉ ୨୦-୨୫ ରନ୍ ଅଧିକ କରିଥିଲେ ବୋଲରଙ୍କୁ ସହାୟତା ମିଳିଥାନ୍ତା । ବିରାଟ ଏବଂ ଋତୁରାଜଙ୍କ ବ୍ୟାଟିଂକୁ ଟିମର ସମସ୍ତେ ଉପଭୋଗ କରିଛନ୍ତି । ଏବେ ଦଳ ତୃତୀୟ ଦିନିକିଆ ଉପରେ ଫୋକସ କରିବ ବୋଲି ରାହୁଲ କହିଛନ୍ତି ।