ହାଇଦ୍ରାବାଦ: ହାଇଦ୍ରାବାଦର ଏକ ପ୍ରାଇଭେଟ୍ ସ୍କୁଲର ହୋମୱର୍କକୁ ନେଇ ବଡ଼ ଝଡ଼ ସୃଷ୍ଟି ହୋଇଛି । ହୋମୱର୍କରେ ଦ୍ଵିତୀୟ ଶ୍ରେଣୀର ଜଣେ ହିନ୍ଦୁ ଛାତ୍ରଙ୍କୁ 'କଲମା' ମନେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଛାତ୍ରଙ୍କ ମାଆ ବାପା ଏହି ଜାଣିବା ପରେ କଡ଼ା ଆପତ୍ତି ଉଠାଇଥିଲେ । ଛାତ୍ରଙ୍କ ଅଭିଭାବକ ସ୍କୁଲରେ ପହଞ୍ଚି ଏହାକୁ କଡ଼ା ବିରୋଧ କରିବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ହାଇଦ୍ରାବାଦର ପୁରୁଣା ସହରରୁ ଏହି ଘଟଣା ସାମ୍ନାକୁ ଆସିଛି । ସୈଦାବାଦ ଅଞ୍ଚଳରେ ଥିବା 'ଦ ସକ୍ସେସ ସ୍କୁଲ'ର ଦ୍ଵିତୀୟ ଶ୍ରେଣୀର ଜଣେ ହିନ୍ଦୁ ଛାତ୍ରଙ୍କୁ ହୋମୱର୍କରେ 'କଲମା' ଏବଂ 'ସୂରା ଅଲ୍-ଫାତିହା' ମନେ ରଖିବା ଓ ଶୁଣାଇବା ପାଇଁ କୁହାଯାଇଥିଲା ।

ପରିବାର ଲୋକଙ୍କ କହିବା ଅନୁସାରେ, ପିଲାର ସ୍କୁଲ ଡାଏରୀ ଦେଖିବା ବେଳେ ସେମାନେ ଏହା ଜାଣିବାକୁ ପାଇଥିଲେ । ଡାଏରୀ ମାଧ୍ୟମରେ ଶିକ୍ଷୟିତ୍ରୀ ଜଣକ ଦ୍ଵିତୀୟ ଶ୍ରେଣୀର ଏହି ନିଷ୍ପାପ ଶିଶୁକୁ ଇସଲାମ ଧର୍ମ ସହ ଜଡ଼ିତ କଲମା ମନେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆସାଇନମେଣ୍ଟ ବିଷୟରେ ଜାଣିବା ପରେ ଅଭିଭାବକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସଙ୍ଗେ ସଙ୍ଗେ ସ୍କୁଲରେ ପହଞ୍ଚି କର୍ତ୍ତୃପକ୍ଷଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ ।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ସେମାନଙ୍କ ପିଲାକୁ ଏଭଳି ଧାର୍ମିକ ହୋମୱର୍କ ଦିଆଯାଇଛି । ସ୍କୁଲର ନିୟମିତ ପାଠ୍ୟକ୍ରମର ଅଂଶ ଭାବରେ ଅନ୍ୟ ଧର୍ମର ଛାତ୍ରଙ୍କୁ ଧାର୍ମିକ ପ୍ରାର୍ଥନା ମନେ ରଖିବାକୁ କାହିଁକି ବାଧ୍ୟ କରାଯାଉଛି ବୋଲି ପରିବାର ପ୍ରଶ୍ନ ଉଠାଇଛନ୍ତି । ସେମାନେ ଏହି କାର୍ଯ୍ୟକୁ ଅଗ୍ରହଣୀୟ ବୋଲି କହିଛନ୍ତି ।

ଏହି ଘଟଣା ସାମନାକୁ ଆସିବା ପରେ ଲୋକଙ୍କ ଆକ୍ରୋଶ ବଢ଼ିଛି । ଲୋକଙ୍କ କହିବା କଥା ହେଲା, ଶିକ୍ଷାନୁଷ୍ଠାନଗୁଡ଼ିକ ସବୁ ଛାତ୍ରଛାତ୍ରୀଙ୍କ ଧାର୍ମିକ ବିଶ୍ୱାସକୁ ସମ୍ମାନ ଦେବା ଉଚିତ । ସ୍କୁଲଗୁଡ଼ିକର କାମ ହେଉଛି ଶିକ୍ଷା ଦେବା, ପିଲାମାନଙ୍କ ଉପରେ କୌଣସି ପ୍ରକାରର ଧାର୍ମିକ ପ୍ରଥା କିମ୍ବା ଚିନ୍ତାଧାରା ଲଦିବା ନୁହେଁ । ଏହି ସମ୍ପୂର୍ଣ୍ଣ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ପରିବାର ଲୋକେ ଶିକ୍ଷା ଅଧିକାରୀଙ୍କୁ ନିବେଦନ କରିଛନ୍ତି ।

ସେପଟେ ବିବାଦ ବଢ଼ିବା ଏବଂ ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ ଦାଖଲ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମାମଲାର ଗମ୍ଭୀରତାକୁ ଦେଖି ସ୍କୁଲ ପ୍ରଶାସନ ତୁରନ୍ତ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ବହିଷ୍କାର କରିଛି । ସ୍କୁଲର ଶିକ୍ଷୟିତ୍ରୀ ଶେଖ୍ ଆୟଶା ପରଭୀନ କଥିତ ଭାବେ ଦ୍ଵିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଧାର୍ମିକ ହୋମୱର୍କ ଦେଇଥିବା ଜଣାପଡ଼ିଛି ।

 

ଅନ୍ୟପଟେ ଏହି ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି । 'ସକ୍ସେସ, ଦ ସ୍କୁଲ' ବାହାରେ ଜୋରଦାର ହଙ୍ଗାମା କରିଛନ୍ତି ବିଜେପି କର୍ମୀ । ବିରୋଧ ପ୍ରଦର୍ଶନ କରୁଥିବା ବିଜେପି ନେତା ଅନ୍ଦେଲା ଶ୍ରୀରାମୁଲୁ ଯାଦବ ଏବଂ ଅନ୍ୟ ବିଜେପି କର୍ମୀଙ୍କୁ ପୋଲିସ ଅଟକ ରଖିଛି । ବିଜେପି ପ୍ରଶ୍ନ କରିଛି, ସେମାନେ କାହିଁକିଁ କଲମା ଶିଖାଉଛନ୍ତି ? ଏହି ଶିକ୍ଷାର ମାନେ କଣ ? ପୂର୍ବରୁ ଜମ୍ମୁ-କାଶ୍ମୀରରେ କଲମା ନ ପଢ଼ିବାରୁ ଲୋକଙ୍କୁ ହତ୍ୟା କରାଯାଉଥିଲା । କଣ ସେମାନେ ପିଲାମାନଙ୍କୁ ଏମିତି ଶିଖାଉଛନ୍ତି ?