ହାଇଦ୍ରାବାଦ: ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ଜଣେ ଟ୍ରେନି ଆଇପିଏସ୍ ଅଫିସରଙ୍କୁ ଆତ୍ମହତ୍ୟା ଉଦ୍ୟମ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଣେ ସହଯୋଗୀ ମହିଳା ପ୍ରୋବେସନର ତାଙ୍କ ବିରୋଧରେ ଯୌନ ନିର୍ଯାତନା, ଶାରୀରିକ ଆକ୍ରମଣ ଏବଂ ବ୍ଲାକମେଲିଂ ଅଭିଯୋଗ ଆଣି ଅପରାଧିକ ମାମଲା ରୁଜୁ କରିବାର କିଛି ସମୟ ପରେ ଏହି ଘଟଣା ଘଟିଥିଲା ।

ଉଦୟ କୃଷ୍ଣ ରେଡ୍ଡୀଙ୍କୁ ସୋମବାର ନିଜର ଜଣେ ସାଙ୍ଗଙ୍କ ଘରେ ଅଚେତ ଅବସ୍ଥାରେ ମିଳିବା ପରେ ଏକ ପ୍ରାଇଭେଟ୍ ହସ୍ପିଟାଲକୁ ନିଆଯାଇଥିଲା । ପ୍ରାଥମିକ ରିପୋର୍ଟରେ ବିଷ କିମ୍ବା କୌଣସି ଜିନିଷର ଓଭରଡୋଜ୍ ଯୋଗୁଁ ଆତ୍ମହତ୍ୟା ଉଦ୍ୟମର ସନ୍ଦେହ କରାଯାଉଥିଲା । କିନ୍ତୁ ସେଠାରେ ଥିବା ମେଡିକାଲ ଷ୍ଟାଫ୍ କହିଥିଲେ ଯେ ସେ ଅତ୍ୟଧିକ ମଦ୍ୟପାନ କରିଥିଲେ ଏବଂ ବର୍ତ୍ତମାନ ପରୀକ୍ଷା ନିରୀକ୍ଷା ଚାଲିଛି ।

ରିପବ୍ଲିକ ଭାରତ ରିପୋର୍ଟ ଅନୁଯାୟୀ, ଜୁଲାଇ ୧୮ରେ ଅଟ୍ଟାପୁର ପୋଲିସ ଷ୍ଟେସନରେ ଜଣେ ୩୦ ବର୍ଷୀୟା ମହିଳା ଆଇପିଏସ ପ୍ରୋବେସନର ଅଭିଯୋଗ ଦାଖଲର କିଛି ଦିନ ପରେ ଘଟିଛି । ଭାରତୀୟ ନ୍ୟାୟ ସଂହିତା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର କେତେକ ଧାରା ଅଧୀନରେ ଏଫଆଇଆର୍ ରୁଜୁ ହୋଇଛି । ଅଭିଯୋଗକାରିଣୀ, ରେଡ୍ଡୀଙ୍କ ବିରୋଧରେ ପିଛା କରିବା, ଅଶ୍ଲୀଳ ମେସେଜ୍ ପଠାଇବା, ସହକର୍ମୀଙ୍କ ସାମ୍ନାରେ ଆପତ୍ତିଜନକ କଥା କହିବା ଏବଂ ଜବରଦସ୍ତ ତାଙ୍କ ବ୍ୟକ୍ତିଗତ ମୋବାଇଲ ଫୋନ ବ୍ୟବହାର କରିବା ଅଭିଯୋଗ ଆଣିଛନ୍ତି ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଉଦୟ ରେଡ୍ଡୀ ଜୁଲାଇ ୯ରେ ନିଜ ରୁମରେ ତାଙ୍କ ସହ ମାରପିଟ୍ କରିଥିଲେ, ତାଙ୍କ ବେକରେ ଛୁରି ରଖିଥିଲେ । ତାଙ୍କ ଗଳା ଚିପି ମାରିଦେବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କ ଉପରକୁ କଣ୍ଡୋମ ପ୍ୟାକେଟ୍ ଫିଙ୍ଗିଥିଲେ । ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ରେଡ୍ଡୀ ତାଙ୍କ ଅଜାଣତରେ ପ୍ରାଇଭେଟ୍ ଭିଡିଓ ରେକର୍ଡ କରିଥିଲେ ଏବଂ ତାଙ୍କୁ ବ୍ଲାକମେଲ୍ କରିବା ପାଇଁ ତାଙ୍କ ସ୍ୱାମୀଙ୍କ ପାଖକୁ ପଠାଇ ଦେଇଥିଲେ ।

ଅନ୍ୟପଟେ, ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ରେଡ୍ଡୀ ଦୁଇ ପୃଷ୍ଠାର ଏକ ନୋଟ୍ ଛାଡିଥିଲେ । ଯେଉଁଥିରେ ସେ ଏହି ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଅନ୍ୟ ଜଣେ ଟ୍ରେନିଙ୍କ କଥାରେ ଅଭିଯୋଗକାରିଣୀ ଏପରି କରିଥିବା ଅଭିଯୋଗ ଲଗାଇଛନ୍ତି । ନୋଟ୍ରେ ରେଡ୍ଡୀ ଦାବି କରିଛନ୍ତି ଯେ ସେ ୨୦୨୫ ଜୁନରୁ ସେହି ମହିଳାଙ୍କ ସହ ସମ୍ମତିକ୍ରମେ ଶାରୀରିକ ସମ୍ପର୍କରେ ଥିଲେ । ଏପରିକି ବିବାହ ପରେ ମଧ୍ୟ ସେ ଶାରୀରିକ ସଂପର୍କ ବଜାୟ ରଖିବାକୁ ଜିଦ୍ ଧରିଥିଲେ ।

ରିପବ୍ଲିକ ଭାରତ ରିପୋର୍ଟ ଅନୁଯାୟୀ, ରେଡ୍ଡୀ ନିଜ ନୋଟରେ ଲେଖିଛନ୍ତି, "ସେ ନିଜେ ମୋ ରୁମ୍କୁ ଆସିଲେ ଏବଂ ମୋତେ କହିଲେ ଯେ ତାଙ୍କର ଯୌନ ସମ୍ପର୍କ ରଖିବାର ପ୍ରବଳ ଇଚ୍ଛା ହେଉଛି । ସେ ମୋତେ କିସ୍ କଲେ ଏବଂ କୁଣ୍ଢାଇ ପକାଇଲେ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ମହିଳା ବିନା ଅନୁମତିରେ ତାଙ୍କ ରୁମ୍କୁ ଆସିଛନ୍ତି ବୋଲି ପ୍ରମାଣ କରିବା ପାଇଁ ସେ ଭିଡିଓ ରେକର୍ଡ କରିଥିଲେ ଏବଂ ଝଗଡ଼ା ସମୟରେ କେବଳ ଆତ୍ମରକ୍ଷା ପାଇଁ ସେ ଏପରି କରିଥିଲେ ।

ହାଇଦ୍ରାବାଦ ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଉଭୟ ପକ୍ଷର ଅଭିଯୋଗର ତଦନ୍ତ ଚାଲିଛି । ଘଟଣାକୁ ବୁଝିବା ପାଇଁ ଅଧିକାରୀମାନେ ଉଭୟ ପକ୍ଷରୁ ମିଳିଥିବା ମୋବାଇଲ୍ ଫୋନ୍ ଏବଂ ଭିଡିଓ ରେକର୍ଡିଂ ସମେତ ଡିଜିଟାଲ୍ ପ୍ରମାଣଗୁଡ଼ିକର ଯାଞ୍ଚ କରୁଛନ୍ତି । ରେଡ୍ଡୀ ଏବେ ବି ହସ୍ପିଟାଲରେ ଡାକ୍ତରଙ୍କ ନରୀକ୍ଷଣରେ ଅଛନ୍ତି ।