ଜି.ଉଦୟଗିରି ୨୦।୦୪ : ସାହିର ଦୁଇ ଜଣଙ୍କ ସହ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ ୧୬ବର୍ଷର ବୟସର ବିଭୂତି କହଁର । ସକାଳୁ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ଘର ଲୋକ ଯାଇ ଜଙ୍ଗଲରେ ଖୋଜାଖୋଜି କରିବା ପରେ ବିଭୂତିଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ତାଙ୍କର ମୁଣ୍ଡରେ ଗୁଳି ମାଡ଼ ଚିହ୍ନ ରହିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି କୁସୁମେଣ୍ଡି ପଞ୍ଚାୟତ ବୁଡ଼ାଣୀ ଗାଁରେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ଟିକାବାଲି ଥାନା ଅଧିକାରୀ କହିଛନ୍ତି । ମୃତ ବିଭୂତି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ।

ଖବର ଅନୁସାରେ, ଚକାପାଦ ବ୍ଲକ୍ ବୁଡ଼ାଣୀ ଗାଁର ବିଭୂତି, ପ୍ରତାପ କହଁର, (୨୫) ଓ ସୁମନ ବିନ୍ଧାଣି(୨୦) ଶନିବାର ରାତି ପ୍ରାୟ ୯ଟାରେ ଗାଁଠାରୁ ଗୋଟିଏ କିଲୋମିଟର ଦୂର ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥିଲେ । ସକାଳ ହେଲେ ଫେରି ଆସିବେ ବୋଲି ଘରେ କହିଥିଲେ । ରବିବାର ସକାଳ ପାହିଲା। ମାତ୍ର ଜଙ୍ଗଲରୁ କେହି ଘରକୁ ଫେରି ନଥିଲେ। ସମୟ ଗଡ଼ିବା ସହ ଘର ଲୋକଙ୍କ ମନରେ ସନ୍ଦେହ ବଢ଼ିବାକୁ ଲାଗିଲା । ଏନେଇ ବିଭୂତିଙ୍କ ପରିବାର ଲୋକ ଜଙ୍ଗଲକୁ ଖୋଜିବାକୁ ଯାଇଥିଲେ । କିଛି ବାଟ ଯିବା ପରେ ଜଙ୍ଗଲ ମଧ୍ୟରେ ବିଭୂତିଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ମୁଣ୍ଡରେ ଗୁଳି ମାଡ଼ ଚିହ୍ନ ସହ ମୃତଦେହ ରକ୍ତ ଜୁଡ଼ୁବୁଡୁ ଥିଲା । ଏହା ଜଣାପଡ଼ିବା ପରେ ଶହଶହ ଗ୍ରାମବାସୀ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ । ଏନେଇ ବିଭୂତିଙ୍କ ବାପା ମାଧବ କହଁର ଟିକାବାଲି ଥାନାରେ ଅଭିଯୋଗ କରିଥିଲେ । ଆଇଆଇସିଙ୍କ ସମେତ ଏସ୍ଆଇ ଅବନୀ ପ୍ରଧାନ ମୃତଦେହ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ।

Also Read:-ବିପଦରେ ଶାନ୍ତି ଆଲୋଚନା! ପାକିସ୍ତାନକୁ ଆମେରିକାର ଟିମ୍ ଯିବା ବେଳେ ଝଟକା ଦେଲା ଇରାନ

ବିଭୂତିଙ୍କ ସହ ଜଙ୍ଗଲକୁ ଯାଇଥିବା ପ୍ରତାପ ଏବଂ ସୁମନ ଫେରାର୍ ହୋଇଯାଇଛନ୍ତି । ଟିକାବାଲି ଥାନାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।ବିଭୂତି ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ରଣପାଟୁଳି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ତିନି ଜଣ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ପ୍ରତାପଙ୍କ ହାତରେ କେବଳ ଦେଶୀ ବନ୍ଧୁକ ରହିଥିଲା । ଅଭିଯୁକ୍ତଙ୍କୁ ଗିରଫ କରାଯିବ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି ।