ନୂଆଦିଲ୍ଲୀ: ଦିଲ୍ଲୀର ମାଲବ୍ୟ ନଗରରେ ଥିବା  ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। ଏକାଧିକ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ରେଷ୍ଟୁରାଣ୍ଟଟି ବିଲ୍ଡିଂର ବେସମେଣ୍ଟରେ ଚାଲୁଥିଲା। ନିଆଁ ଲାଗିବା ପରେ ପୁରା ବିଲ୍ଡିଂ ଦ୍ରୁତ ଗତିରେ ବ୍ୟାପିଗଲା। ଅଗ୍ନିକାଣ୍ଡର ଭୟଙ୍କର ତୀବ୍ରତା ଦେଖି, ଅନେକ ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ କୋଠାରୁ ଡେଇଁ ପଡ଼ିଥିଲେ।

ଅଗ୍ନିଶମ ବାହିନୀର ସୂଚନା ଅନୁଯାୟୀ ସକାଳ 8:50 ରେ ଅଗ୍ନିକାଣ୍ଡର ଖବର ମିଳିଥିଲା। ଘଟଣାସ୍ଥଳରେ ୧୦ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ଦଳ ବେସମେଣ୍ଟରେ ଫସି ରହିଥିବା ତିନି ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ନେହେରୁ ପ୍ଲେସ୍ ଫାୟାର ଷ୍ଟେସନର ଡିଭିଜନାଲ୍ ଅଫିସର (DO) ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବ୍ୟକ୍ତିଗତ ଭାବରେ କାର୍ଯ୍ୟ ତଦାରଖ କରୁଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଘଟଣାର ତଦନ୍ତ ଚାଲିଛି। ଅଧିକାରୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ଅତି କମରେ ତିନି ଜଣଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି। ନିଆଁରେ ଫସିଯିବା ପରେ ୨୦ ଜଣ ପୋଡ଼ି ଯାଇଛନ୍ତି। ରେଷ୍ଟୁରାଣ୍ଟରେ ଲଜ୍ ବ୍ୟବସ୍ଥା ଥିବାରୁ ୨୫ଟି ରୁମ୍ ଥିଲା। ଅଗ୍ନିକାଣ୍ଡ ବେଳେ ପାଖାପାଖି ୪୦ ଜଣ ଏହି ଲଜରେ ଥିଲେ। କିଛି ବିଦେଶୀ ନାଗରିକ ରହିଥିଲେ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଦିଲ୍ଲୀ ଟ୍ରାଜେଡିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୃତକ ପରିବାର ପାଇଁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି।