ସନା: ୟେମେନରେ ହୁତି ବିଦ୍ରୋହୀ ଏବଂ ସାଉଦି ସମର୍ଥିତ ସେନା ମଧ୍ୟରେ ସଂଘର୍ଷ ତୀବ୍ର ହୋଇଛି । ଏଥିରେ ହୁତିମାନଙ୍କୁ ବଡ଼ ସଫଳତା ମିଳିଛି । ବାବ୍‌ ଅଲ୍‌-ମନ୍ଦେବ ନିକଟସ୍ଥ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ହୁତି ନିଜ ନିୟନ୍ତ୍ରଣକୁ ନେଇଛନ୍ତି, ଯାହା ସାଉଦି ଆରବ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ହୁତି ବିଦ୍ରୋହୀମାନେ ଲୋହିତ ସାଗରର ମୋଖାକୁ ଦଖଲ କରିବା ସହ ପଶ୍ଚିମ ୟେମେନର ପ୍ରାୟ ୨,୬୦୦ ବର୍ଗ କିଲୋମିଟର ଅଞ୍ଚଳ ଉପରେ ନିଜର ନିୟନ୍ତ୍ରଣ ବଜାୟ କରିଛନ୍ତି । ଇରାନ ସମର୍ଥିତ ହୁତିମାନଙ୍କ ପାଇଁ ଏହା ଏକ ବଡ଼ ସଫଳତା ହୋଇଥିବା ବେଳେ, ସାଉଦି ସମର୍ଥିତ ସରକାର ଏବଂ ସେନା ପାଇଁ ଏହା ଏକ ଶକ୍ତ ଧକ୍କା ।

ରିପୋର୍ଟ ଅନୁସାରେ, ହୁତିମାନେ ପଶ୍ଚିମ ତାଜ୍ ଏବଂ ଦକ୍ଷିଣ ଅଲ୍-ହୁଦୈଦା ପ୍ରଦେଶକୁ ଟାର୍ଗେଟ୍ କରିଥିଲେ । ହୁତି ବିଦ୍ରୋହୀମାନେ ଏକାଧିକ ଜିଲ୍ଲା ଦେଇ ଆଗକୁ ବଢ଼ିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏହାକୁ ସବୁଠାରୁ ଦ୍ରୁତ ଆଞ୍ଚଳିକ ପରିବର୍ତ୍ତନ ଭାବେ ବିଚାର କରାଯାଉଛି, ଯାହା ୟେମେନର ଭୌଗଳିକ ପରିସ୍ଥିତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ ।

ପଛଘୁଞ୍ଚା ଦେଲେ ୟେମେନୀ ସେନା

ସରକାରୀ ଏବଂ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ ପଛଘୁଞ୍ଚା ଦେଇଛନ୍ତି । ଏହି ବାହିନୀ ଅଡେନ ପଟକୁ ପଛଘୁଞ୍ଚା ଦେଇଥିବା ଦାବି କରାଯାଇଛି । ହୁତିମାନେ ନିଜ ନିୟନ୍ତ୍ରଣକୁ ନେଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ହେସ୍, ଅଲ୍-ଖୌଖା, ଅଲ୍-ୱାଜିଆ, ମୌଜା ଏବଂ ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଖାଲିଦ୍ ଇବ୍ ଅଲ୍-ୱାଲିଦ୍ ମିଲିଟାରୀ କ୍ୟାମ୍ପ ଅନ୍ତର୍ଭୁକ୍ତ । ଲୋହିତ ସାଗର ଉପକୂଳରେ ସରକାରଙ୍କ ନିୟନ୍ତ୍ରଣରେ ଥିବା ମୁଖ୍ୟ ବନ୍ଦର ସହର ମୋଖା (ଅଲ୍-ମାଖା) ଦଖଲ କରିବା ପରେ ହୁତିମାନେ ଆକ୍ରମଣ ବନ୍ଦ କରିଛନ୍ତି ।

ହୁତିମାନଙ୍କ ଆକ୍ରମଣର ସାମ୍ନା କରିଥିବା ମୋଖା ସହର, ବାବ୍‌ ଅଲ୍-ମନ୍ଦେବ ପ୍ରଣାଳୀରୁ ୬୦ରୁ ୭୫ କିଲୋମିଟର ଉତ୍ତରରେ ଅବସ୍ଥିତ । ଏହା ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜାହାଜ ଚଳାଚଳ ପଥ ଅଟେ । ଏହି ସହରଟି ୨୦୧୭ ଆରମ୍ଭରୁ ସରକାର ନିୟନ୍ତ୍ରଣରେ ଥିଲା ଏବଂ ତାରିକ୍ ସାଲେହଙ୍କ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ ପାଇଁ ଏକ ମୁଖ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିଲା । ଏହି ସହର ଉପରେ ନିୟନ୍ତ୍ରଣ ସହିତ ହୁତି ବିଦ୍ରୋହୀମାନେ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ପଥର ଅତି ନିକଟତର ହୋଇଛନ୍ତି, ଯାହା ସାମୁଦ୍ରିକ ମାର୍ଗରେ ପରିବହନକାରୀଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ।