ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀ ତାମିଲନାଡୁ ଓ ପୁଡୁଚେରୀ ନିର୍ବାଚନ ଫଳାଫଳ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପୁଡୁଚେରୀରେ ଲଗାତାର ତୃତୀୟବାର ବିଜେପିର ବିଜୟ ସୁଶାସନର ପ୍ରମାଣ। ସେହିପରି ତାମିଲନାଡୁରେ ଦ୍ରାବିଡ ପାର୍ଟିମାନଙ୍କ ଦୀର୍ଘ ବର୍ଚସ୍ୱକୁ ଜବାବ ମିଳିଛି। ଏ ନେଇ ହେମାମାଳିନୀ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ତାମିଲନାଡୁ ଜନତା ରାଜ୍ୟରେ ଚଳି ଆସୁଥିବା ଦ୍ରାବିଡ଼ ବର୍ଚସ୍ୱରୁ ମୁହଁ ମୋଡିଛନ୍ତି।

ରାଜ୍ୟର ଯୁବବର୍ଗ ବିପୁଳ ସଂଖ୍ୟାରେ ଚଳଚିତ୍ର ଅଭିନେତା ଜୋସେଫ ବିଜୟ (ଥଲାପଥୀ ବିଜୟ)ଙ୍କୁ ଭୋଟ ଦେଇଛନ୍ତି। ହେମା ଲେଖିଛନ୍ତି ଯେ ‘ମୁଁ ବିଜୟଙ୍କୁ ତାଙ୍କ ନୂଆ ରାଜନୈତିକ ଯାତ୍ରା ନିମନ୍ତେ ଶୁଭକାମନା ଜଣାଉଛି, ସେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି’। ଉଲ୍ଲେଖଯୋଗ୍ୟ ଯେ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ଥଲାପଥୀ ବିଜୟଙ୍କ ପାର୍ଟି ତମିଲଗା ୱେତ୍ରୀ କଜଗମ (ଟିଭିକେ) ଉଲ୍ଲେଖନୀୟ ପ୍ରଦର୍ଶନ କରିଛି।

ଯୁବଭୋଟରଙ୍କ ସମର୍ଥନ ବିଜୟଙ୍କ ଜିତ୍ କୁ ଖାସ କରିଛି। ଏଥିରେ ହେମା ମାଳିନୀଙ୍କ ଏହି ପ୍ରତିକ୍ରିୟା ରାଜନୈତିକ ଅଳିନ୍ଦରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ହେମା ଦୀର୍ଘ ସମୟରୁ ବିଜେପିର ପ୍ରତିନିଧିତ୍ୱ କରିଆସୁଛନ୍ତି। ଥଲାପଥୀଙ୍କୁ କେବଳ ହେମା ମାଳିନୀ ନୁହନ୍ତି ଦକ୍ଷିଣୀ ଅଭିନେତା ନାନୀ, ହିନ୍ଦୀ ଫିଲ୍ମ ଅଭିନେତା ଟାଇଗର ସ୍ରଫଙ୍କ ସମେତ ଅନେକ ଅଭିନେତା ଓ ଅଭିନେତ୍ରୀ ଶୁଭେଛା ଜଣାଉଛନ୍ତି। ତାଙ୍କ ଖାସ ବନ୍ଧୁ ତୃଷା କୃଷ୍ଣନ ତାଙ୍କୁ ଭେଟିବା ପାଇଁ ଘରକୁ ପହଞ୍ଚି ଯାଇଛନ୍ତି।