ନୂଆଦିଲ୍ଲୀ: କ୍ଷେତରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ କ୍ରାସ୍ ହୋଇଗଲା ହେଲିକପ୍ଟର । ଏଥିରେ ଏକ ମୃତଦେହ ଥିଲା ବୋଲି ଜଣାପଡ଼ିଛି । ହେଲିକପ୍ଟର ଜରୁରୀ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ଏହି ଦୁର୍ଘଟଣାର ପ୍ରକୃତ କାରଣ କ’ଣ ସେନେଇ ଜଣାପଡ଼ି ନାହିଁ । ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ନେପାଳର ଖୋଟାଙ୍ଗ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଖୋଟାଙ୍ଗର ଜଣେ ଅଧିକାରୀ ରେଖା କାଣ୍ଡେଲ କହିଛନ୍ତି ଯେ, ଦୁର୍ଘଟଣା ପରେ ଉଦ୍ଧାକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ କୌଣସି ବଡ଼ କ୍ଷତି ହୋଇନାହିଁ। ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଅବତରଣ ସମୟରେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା ।

Also Read: କିଏ ହେବେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଜାମୁଇରୁ ଏଭଳି ଇସାରା ଦେଲେ ନୀତୀଶ କୁମାର

ପାର୍ବତ୍ୟାଞ୍ଚଳରେ ଏପରି ବିମାନ ଉଡ଼ାଣ ସାଧାରଣ

ରିପୋର୍ଟ ଅନୁଯାୟୀ, ନେପାଳର ପାର୍ବତ୍ୟାଞ୍ଚଳରେ ଏପରି ଉଡ଼ାଣ ସାଧାରଣ କଥା । କିନ୍ତୁ ଉପଯୁକ୍ତ ରନୱେର ଅଭାବ ଏବଂ ହଠାତ୍ ପାଗ ପରିବର୍ତ୍ତନ ସୁରକ୍ଷିତ ଉଡ଼ାଣକୁ ପ୍ରଭାବିତ କରୁଛି । ହେଲିକପ୍ଟରଗୁଡ଼ିକ ପ୍ରାୟତଃ ଛୋଟ ପଡ଼ିଆ କିମ୍ବା ଖୋଲା ସ୍ଥାନରେ ଅବତରଣ କରେ । ଫଳରେ ବିପଦ ଅଧିକ ରହେ । ଆଜି ଘଟିଥିବା ଦୁର୍ଘଟଣାର କାରଣ ଖୋଜିବାକୁ ତଦନ୍ତ ଚାଲିଛି। ଖରାପ ପାଗ, ଯାନ୍ତ୍ରିକ ସମସ୍ୟା କିମ୍ବା ଅବତରଣ ସମୟରେ ତ୍ରୁଟି ହିଁ ହେଲିକପ୍ଟର ଦୁର୍ଘଟଣାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ହେଲିକପ୍ଟରରେ ୬ ଜଣ ଯାତ୍ରୀ ଥିଲେ

ANI ଅନୁଯାୟୀ, ହେଲିକପ୍ଟରଟି ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ଏବଂ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ୍ ଆହତ ହୋଇ ନାହାନ୍ତି। ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଏକ ହେଲିକପ୍ଟର ପଠାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ଅବତରଣ ସମୟରେ ପ୍ରବଳ ପବନ କିମ୍ବା ଧୂଳି ଜମା ହୋଇଥିବାରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ।

ଆହତଙ୍କୁ ହେଲିକପ୍ଟର ଯୋଗେ କାଠମାଣ୍ଡୁ ପଠାଗଲା

ଦୁର୍ଘଟଣା ଘଟିବା ସମୟରେ ହେଲିକପ୍ଟରରେ ଛଅ ଜଣ ଥିଲେ। ସେମାନଙ୍କ ମଧ୍ୟରୁ କାଜି ବାହାଦୁର ରାୟ ନାମକ ଜଣେ ଯାତ୍ରୀ ଆହତ ହୋଇଛନ୍ତି। ଜିଲ୍ଲା ପୋଲିସ କାର୍ଯ୍ୟାଳୟର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସପି) ପ୍ରକାଶ ବୁଢାଥୋକି କହିଛନ୍ତି ଯେ, ରାୟଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଅନ୍ୟ ଏକ ହେଲିକପ୍ଟର ଯୋଗେ କାଠମାଣ୍ଡୁ ପଠାଯାଇଥିଲା। ବାକି ଯାତ୍ରୀ ସୁରକ୍ଷିତ ଅଛନ୍ତି।