ଚଣ୍ଡିଖୋଲ ୨୧।୧୧ : ଲଗାଣ ବର୍ଷା ଉଜାଡ଼ି ଦେଲା ଚାଷୀଙ୍କ ବର୍ଷକର ପରିଶ୍ରମ। ଜମିରେ ଲହଡ଼ି ଭାଙ୍ଗୁଥିବା ପାଚିଲା ଧାନ ଏବେ ପାଣିରେ ବୁଡ଼ି ନଷ୍ଟ ହେବାକୁ ବସିଛି। କେଉଁଠି କଟା ଧାନ ପାଣିରେ ଭାସୁଛି ତ ଆଉ କେଉଁଠି ପବନ ଓ ବର୍ଷା ମାଡ଼ରେ ଶୋଇପଡ଼ିଛି ପାଚିଲା ଫସଲ। ଫଳରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଯାଜପୁର ଜିଲ୍ଲା ଦର୍ପଣଗଡ଼ ଅଞ୍ଚଳରୁ ଆସିଛି ଚାଷୀଙ୍କ ଏଭଳି ଦୁର୍ଦ୍ଦଶାର ଚିତ୍ର।

ଲଗାଣ ବର୍ଷା ଯୋଗୁଁ ଉଜୁଡ଼ି ଯାଇଛି ହଜାର ହଜାର ହେକ୍ଟର ଜମିର ଧାନ ଫସଲ। ଚାଷରୁ ଯାହା ଅମଳ ହୁଏ, ସେଥିରେ ଚଳେ ପୂରା ପରିବାର। ପିଲାଙ୍କ ପାଠପଢ଼ାଠାରୁ ଆରମ୍ଭ କରି ପରିବାରର ଭରଣପୋଷଣ, ବନ୍ଧୁବାନ୍ଧବଙ୍କ ଦାୟିତ୍ୱ ଏବଂ ଔଷଧପତ୍ର ଖର୍ଚ୍ଚ ସବୁକିଛି ନିର୍ଭର କରେ ଏହି ଚାଷ ଉପରେ। ହେଲେ ଏବେ ପ୍ରକୃତିର ଦାଉ ସବୁକିଛି ଛାରଖାର କରିଦେଇଛି।

Also Read:-ମଦ ପିଇବା ପରେ ସ୍ଥିତି ଅସମ୍ଭାଳ ! ୧୫ ଜଣଙ୍କ ମୃତ୍ୟୁ, ୧୮୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

କାହାର ଧାନ କଟା ହୋଇ ବିଲରେ ପଡ଼ିଛି ତ ଆଉ କାହାର ପାଚିଲା ଧାନ ଅମଳ ଅପେକ୍ଷାରେ ରହିଥିଲା। ହେଲେ ଲଗାଣ ବର୍ଷା ସବୁ ଆଶାରେ ପାଣି ଢାଳି ଦେଇଛି। କଟା ଧାନ ପାଣିରେ ଭାସୁଥିବା ବେଳେ ଅନ୍ୟପଟେ ପବନ ମାଡ଼ରେ ପାଚିଲା ଧାନ ଗଛ ସବୁ ମାଟିରେ ଶୋଇପଡ଼ିଛି। ଏବେ ବର୍ଷା ପାଣିରେ ଧାନ ଗଛ ପୋତି ହୋଇଯାଇଛି। ଫଳରେ ଫସଲ ଅମଳ କରିବା ଚାଷୀଙ୍କ ପାଇଁ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ନିଜ ଆଖି ଆଗରେ ବର୍ଷକର ପରିଶ୍ରମ ନଷ୍ଟ ହେଉଥିବା ଦେଖି ଭାଙ୍ଗି ପଡ଼ିଛନ୍ତି ଚାଷୀ।

ଚାଷ ପାଇଁ ଧାରକରଜ କରିଥିବା ଟଙ୍କା କେମିତି ସୁଝିବେ? ପରିବାରର ବର୍ଷକର ଖର୍ଚ୍ଚ କେମିତି ତୁଲାଇବେ? ଏବେ ଏହି ଚିନ୍ତା ଘାରିଛି ଚାଷୀ ପରିବାରକୁ। ଧାନ ଫସଲ ନଷ୍ଟ ହେବା ପରେ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ। କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ଉଚିତ କ୍ଷତିପୂରଣ ଓ ସହାୟତା ଯୋଗାଇଦେବାକୁ ଦାବି ହେଉଛି।