ନୂଆଦିଲ୍ଲୀ: ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୬ରେ ୬ ବର୍ଷ ଧରି ଟାଇଟଲ୍ ମରୁଡ଼ିର ଅନ୍ତ ଘଟାଇବା ପାଇଁ ଲକ୍ଷ୍ୟ ରଖିଛି। ଏହା ମଧ୍ୟରେ ଟିମ୍ ନିଜର ସଫଳ ଅଧିନାୟକ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସହ ୧୫ ବର୍ଷ ପୂରା ହେବାର ଉତ୍ସବ ମନାଉଛି। ରୋହିତ ୨୦୧୧ ଏପ୍ରିଲରେ ଏମଆଇ ପାଇଁ ପଦାର୍ପଣ କରିଥିଲେ ଏବଂ ଏହି ଫ୍ରାଞ୍ଚାଇଜ ସହ ତାଙ୍କର ୧୫ ବର୍ଷ ପୂରା ହୋଇଛି। ଆଜି ବି ସେ ନୀଳ ଏବଂ ସୁନେଲି ରଙ୍ଗର ଜର୍ସିରେ ଟିମର ଗୁରୁତ୍ଵପୂର୍ଣ୍ଣ ସଦସ୍ୟ ରହିଛନ୍ତି। ନିଜର ଚମତ୍କାର ପ୍ରଦର୍ଶନ ପାଇଁ ଅନେକ ପ୍ରଶଂସା ସାଉଁଟି ସାରିଛନ୍ତି ହିଟ୍ ମ୍ୟାନ୍।

ଏହି ସମୟରେ ବର୍ତ୍ତମାନର ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ରୋହିତଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି। MIର ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓରେ ହାର୍ଦ୍ଦିକ କହିଛନ୍ତି, ଭାଇ ୧୫ ବର୍ଷ ପୂରା କରିବା ପାଇଁ ବହୁତ ବହୁତ ଅଭିନନ୍ଦନ। ଆପଣ ଏହି ଫ୍ରାଞ୍ଚାଇଜକୁ ଯେଉଁଭଳି ଭାବେ ଦୀର୍ଘ ସମୟ ପର୍ଯ୍ୟନ୍ତ ନେତୃତ୍ଵ ନେଲେ ସେଥିପାଇଁ ଧନ୍ୟବାଦ। ମୁଁ ବି ଆପଣଙ୍କ ନେତୃତ୍ଵରେ ପଦାର୍ପଣ କରିଛି ଏବଂ ବୁମରାଙ୍କ ସହିତ ଅନେକ ଖେଳାଳି ପଦାର୍ପଣ କରିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ଆପଣ ଅନେକ ଖେଳାଳିଙ୍କୁ ପ୍ରେରିତ କରିଛନ୍ତି, ଯେଉଁମାନେ ଆଗକୁ ଚାଲି ଏହି ଫ୍ରାଞ୍ଚାଇଜ ଓ ଭାରତ ପାଇଁ ଖେଳିଛନ୍ତି। ଆପଣ ଜଣେ ଚମତ୍କାର ଲିଡର ନୁହନ୍ତି ବରଂ ଜଣେ ଭଲ ମଣିଷ। ସର୍ବଦା ନିଜ ପଣିଆ ସହ ଆଗକୁ ନେତୃତ୍ଵ ନେଇଛନ୍ତି। ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ।

Also Read: ଆରସିବି ଦେଖିଲା ବୈଭବଙ୍କ ପାଓ୍ୱାର, ଭାଙ୍ଗିଲେ ଯଶସ୍ୱୀ ଏବଂ ଇଶାନଙ୍କ ରେକର୍ଡ, ବଟଲରଙ୍କ ସହ ହେଲେ ସମକକ୍ଷ

ଆଇପିଏଲ୍ ଇତିହାସରେ ଏମିତି ଦୁଇ ଜଣ ଅଧିନାୟକ ଅଛନ୍ତି ଯିଏ ନିଜ ଦଳକୁ ୫-୫ ଥର ଟାଇଟଲ୍ ଜିତାଇଛନ୍ତି। ସେଥିରୁ ଜଣେ ହେଉଛନ୍ତି ୩୮ ବର୍ଷୀୟ ରୋହିତ ଶର୍ମା। ସେ ୨୦୦୮ରେ ଡେକନ ଚାର୍ଜର୍ସ ସହିତ ନିଜର ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ୨୦୧୧ରେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ୍ ହୋଇ ସଚିନ ତେନ୍ଦୁଲକରଙ୍କ ଅଧିନାୟକତ୍ଵରେ ଖେଳିଥିଲେ। ଏ ପର୍ଯ୍ୟନ୍ତ ସେ ଏମଆଇ ପାଇଁ ୨୩୦ ମ୍ୟାଚ୍ ଖେଳି ୫ ହଜାର ୯୯୪ ରନ କରି ସାରିଛନ୍ତି। ଏଥିରେ ଦୁଇଟି ଶତକ ସାମିଲ୍।