ନୂଆଦିଲ୍ଲୀ: ଫିଲିପିନ୍ସ ସଂସଦର ଉଚ୍ଚ ସଦନରେ ବୁଧବାର ଗୁଳିକାଣ୍ଡ ଘଟିଛି । ସେନେଟର ରୋନାଲ୍ଡ ଡେଲା ରୋଜାଙ୍କୁ ଗିରଫ ଉଦ୍ୟମ ବେଳେ ସଦନ ଭିତରେ ଗୁଳି ଫୁଟିଛି । ସେନେଟର ରୋନାଲ୍ଡ ଡେଲା ସୋମବାରଠାରୁ ନିଜ ସରକାରୀ କାର୍ଯ୍ୟାଳୟରେ ଆଶ୍ରୟ ନେଇଥିଲେ । ସେ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ଦ୍ୱାରା ମାନବତା ବିରୋଧୀ ଅପରାଧରେ ହତ୍ୟା ଅଭିଯୋଗର ସମ୍ମୁଖୀନ ହେଉଛନ୍ତି ।

ସେନେଟର ରୋନାଲ୍ଡ ଡେଲା ରୋଜା ପୂର୍ବରୁ ନିଜ ଗିରଫଦାରୀ ବିପଦ ଅନୁଭବ କରିଥିଲେ ଏବଂ ଏହାକୁ ରୋକିବା ପାଇଁ ଫିଲିପାଇନ୍ସବାସୀଙ୍କୁ ନିବେଦନ କରିଥିଲେ । ,ସାମନାକୁ ଆସିଥିବା ଭିଡିଓରେ ଦେଖାଯାଉଛି ଯେ ବୁଧବାର ସନ୍ଧ୍ୟାରେ ପୋଲିସ କମାଣ୍ଡୋମାନେ ମାନିଲାର ସିନେଟରେ ପ୍ରବେଶ କରୁଛନ୍ତି । ଏହା ସହ ପୂରା ପରିସରକୁ ସୁରକ୍ଷାକର୍ମୀ ଘେରି ରହିଥିଲେ ।

ଗୁଳିକାଣ୍ଡର କାରଣ ତୁରନ୍ତ ସ୍ପଷ୍ଟ ହୋଇନାହିଁ । ସେନେଟରେ କେହି ଆହତ ହୋଇଛନ୍ତି କି ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ । ଫିଲିପିନ୍ସ କର୍ତ୍ତୃପକ୍ଷ ତାଙ୍କୁ ଗିରଫ କରିବାକୁ ଏବଂ ସମ୍ଭବତଃ ତାଙ୍କୁ ଅନ୍ତର୍ଜାତୀୟ ଅପରାଧ ଅଦାଲତକୁ ହସ୍ତାନ୍ତର କରିବାକୁ ଚେଷ୍ଟା କରୁଥିବାରୁ ସେନେଟର ରୋନାଲ୍ଡ ଡେଲା ରୋଜାଙ୍କୁ ସାଥୀ ସାଂସଦଙ୍କ ହେପାଜତରେ ରଖାଯାଇଛି ।

ସୋମବାର ଡେଲା ରୋଜାଙ୍କ ଗିରଫଦାରୀ ପାଇଁ ଜାରି ହୋଇଥିବା ୱାରେଣ୍ଟକୁ ଆଇସିସି ସାର୍ବଜନୀନ କରିଥିଲା । ଡେଲା ରୋଜା ହେଉଛନ୍ତି ଜାତୀୟ ପୋଲିସର ପୂର୍ବତନ ମୁଖ୍ୟ । ତତ୍କାଳୀନ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କ ଡ୍ରଗ୍ସ ବିରୋଧୀ ଅଭିଯାନର ନେତୃତ୍ୱ ନେଇଥିଲେ, ଯେଉଁଥିରେ ହଜାର ହଜାର ସନ୍ଦିଗ୍ଧଙ୍କୁ ହତ୍ୟା କରାଯାଇଥିଲା । ଆଇସିସି ପ୍ରଥମେ ନଭେମ୍ବରରେ ଡେଲା ରୋଜାଙ୍କ ବିରୁଦ୍ଧରେ ଏକ ୱାରେଣ୍ଟ ଜାରି କରିଥିଲା । ଜୁଲାଇ ୨୦୧୬ରୁ ଏପ୍ରିଲ ୨୦୧୮ ମଧ୍ୟରେ "ଅତି କମ ୩୨ ଜଣ" ବ୍ୟକ୍ତିଙ୍କ ହତ୍ୟା ପାଇଁ ତାଙ୍କ ଉପରେ ଅଭିଯୋଗ ଲାଗିଛି । ଏହି ଅପରାଧଗୁଡ଼ିକ ଡୁଟେର୍ଟେଙ୍କ ଶାସନ ସମୟରେ ଘଟିଥିଲା, ଯେତେବେଳେ ରୋଜା ଜାତୀୟ ପୋଲିସ ବାହିନୀର ନେତୃତ୍ୱ ନେଇଥିଲେ ।