କୋରାପୁଟ ୨୬।୦୬ :  ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି। ସଡ଼କପଥ ସହ ରେଳପଥ ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ଜିଲ୍ଲାର ୪୫ଟି ଗାଁ ଜଳମଗ୍ନ ହୋଇଥିଲା। ସ୍ଥିତି ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ୪ଟି ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବିଭାଗର ଟିମ୍ ମୁତୟନ ହୋଇଥିଲେ।  ପ୍ରାୟ ୪ ହଜାର ୫ ଶହ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସେହିପରି ୩୭ଟି ବନ୍ୟଜନ୍ତୁଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପଡ଼ୋଶୀ ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରୁ ୬ ଶହ ଲୋକଙ୍କୁ ଉଦ୍ଧାର କରାଯାଇ କୋଟପାଡ଼ ଅଞ୍ଚଳର ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇଛି। ଆଶ୍ରୟସ୍ଥଳୀରେ ଲୋକଙ୍କୁ ଖାଦ୍ୟ ସହ ଆବଶ୍ୟକୀୟ ସୁବିଧା ନିରନ୍ତର ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ କୋଟପାଡ଼ ବ୍ଲକର ପ୍ରାୟ ୧୫ରୁ ୧୬ଟି ଗାଁ ଏବେ ବି ପାଣିଘେରରେ ରହିଛି।

Also Read:-ଜେଲରୁ ବାହାରିବାକୁ ଅଭାବ ପଡ଼ିଲା ଟଙ୍କା, ପରିବାର ସହ ମିଶି କଲେ ବାଲି ଚୋରି

ସେପଟେ ରାଣୀଗଡ଼ ରାସ୍ତାରେ ମାଟି ଅତଡ଼ା ହଟାଇବା କାର୍ଯ୍ୟ ଗତ ଦୁଇ ଦିନ ଧରି ନିୟମିତ ଭାବେ ଚାଲିଛି। ରେଳପଥ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଯାତ୍ରୀଙ୍କ ସୁବିଧା ପାଇଁ କୋରାପୁଟ ରେଳଷ୍ଟେସନରୁ ମାଗଣା ବସ୍ ସେବା ଯୋଗାଇ ଦିଆଯାଉଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ।

ଅନ୍ୟପଟେ ଅବପାତ ଜନିତ ଲଗାଣ ବର୍ଷାର ପ୍ରଭାବ । ଜଗଦଲପୁରରୁ କୋରାପୁଟ ମଧ୍ୟରେ ରେଳ ଚଳାଚଳ ବନ୍ଦ । ଏହି ରୁଟର ଛତରିପୁଟ ଓ ମାଳିଗୁଡା ଷ୍ଟେସନ ନିକଟରେ ମାଟି ଅତଡା ଖସି ରେଳ ଟ୍ରାକ ଧୋଇ ହୋଇଯାଇଛି। ସେହିପରି ବିଦ୍ୟୁତ ଖୁଣ୍ଟ ସବୁ ଭାଙ୍ଗି ନଷ୍ଟ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ ମରାମତି ଚାଲିଛି । ୪୦୦ରୁ ୫୦୦ ଶ୍ରମିକ ଏଥିରେ ନିୟୋଜିତ ଥିବା କହିଛନ୍ତି ରାୟଗଡା ଡିଭିଜନର DRM ।