ନୂଆଦିଲ୍ଲୀ ୧୭।୦୬; ଭଦୋଦରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ବସ୍ । ଭଦୋଦରାସ୍ଥିତ କୋଟାମ୍ବି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ନିକଟରେ ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଯେଉଁଠାରେ ରାଜସ୍ଥାନର ବାଂଶୱାଡାରୁ ଗୁଜରାଟର ସୁରଟ ଅଭିମୁଖେ ଯାଉଥିବା ‘ବାଲାଜୀ ଟ୍ରାଭେଲ୍ସ’ର ଏକ ଦ୍ରୁତଗାମୀ ବସ୍ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଯାହା ଫଳରେ ୯ ବର୍ଷର ଶିଶୁ ପ୍ରୀତ ଭାଟିଆଙ୍କ ସମେତ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା ଏବଂ ଅନେକ ଯାତ୍ରୀ ଭିତରେ ଫସି ରହିଥିଲେ। ଖବର ପାଇ ଜାରୋଦସ୍ଥିତ ମୁଖ୍ୟାଳୟରୁ ଏନଡିଆରଏଫ୍, ଏସଡିଆରଏଫ୍, ଓ ଭଦୋଦରା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ କଟର ସାହାଯ୍ୟରେ ଗାଡ଼ିକୁ କାଟି ୨୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଭଦୋଦରାର ଏସଏସଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରୁ ୪ ଜଣଙ୍କୁ ବିନୋଦ ଡାମୋର (୩୦), ମୁକେଶ ଡିଣ୍ଡୋର (୩୪), ପ୍ରୀତ ଭାଟିଆ (୯) ଓ ମହେନ୍ଦ୍ର ପାଣ୍ଡ୍ୟା (୬୮) ଭାବେ ଚିହ୍ନଟ କରାଯାଇଛି। ଆହତମାନଙ୍କ ମଧ୍ୟରେ ୧୦ ଓ ୧୨ ବର୍ଷର ଦୁଇଟି ଶିଶୁ ମଧ୍ୟ ଅଛନ୍ତି। ବାଘୋଡିଆ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ, ଭଦୋଦରା ମେୟର ଗୀତା ମାକୱାନା ଓ ଡେପୁଟି ମେୟର ଆଦିତ୍ୟ ପଟେଲ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।