ମୁମ୍ବାଇ: ପାଖେଇ ଆସୁଛି ଗଣେଶୋତ୍ସବ, ମୁମ୍ବାଇ ଏବେ ଉତ୍ସବମୁଖର। ଗଣେଶୋତ୍ସବ ପାଇଁ ମୁମ୍ବାଇର ଜିଏସବି ସେବାମଣ୍ଡଳ ଚଳିତବର୍ଷ ୭୦୩.୨୭ କୋଟି ଟଙ୍କାର ବୀମା କଭର ନେଇଛି। ଗତବର୍ଷ ଏହି ସୀମା ୪୭୪କୋଟି ଟଙ୍କାର ଥିଲା। ଚଳିତବର୍ଷ ସେପ୍ଟେମ୍ବର ୧୪ ତାରିଖରୁ ଗଣେଶୋତ୍ସବ ଆରମ୍ଭ ହେବାକୁ ଯାଉଛି। ସେବାମଣ୍ଡଳ ମୁଖପାତ୍ର ଅମିତ ପାଇ ରବିବାର କହିଛନ୍ତି ଯେ ୫ ଦିନ ଉତ୍ସବ କାଳରେ ଗଣେଶଙ୍କ ମୂର୍ତ୍ତିକୁ ୬୬ କେଜିରୁ ଅଧିକ ସୁନା ଓ ୩୩୫ କେଜି ରୁପା ଗହଣାରେ ସଜାଯିବ।

ସେବାମଣ୍ଡଳ କହିଛି ଯେ ଚଳିତବର୍ଷ ପୂଜା ପାଇଁ ମୂର୍ତ୍ତିର ପ୍ରଥମ ଝଲକ ୧୨ ସେପ୍ଟେମ୍ବର ରାତି ୮ଟା ବେଳେ ‘ବୀରାଟ ଦର୍ଶନ’ ସମାରୋହ କାଳରେ ପ୍ରଦର୍ଶନ କରାଯିବ। ମୁମ୍ବାଇର ସବୁଠୁ ଧନୀ ଗଣେଶ ପୂଜାମଣ୍ଡଳ ଭାବେ ଜଣାଶୁଣା ଜିଏସବି ସେବାମଣ୍ଡଳ ମୁମ୍ବାଇର କିଙ୍ଗସ୍ ସର୍କଲରେ ଉତ୍ସବ ଆୟୋଜନ କରେ। ଏଥିରେ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେଇଥାନ୍ତି। ଚଳିତବର୍ଷ ପୂଜା ପାଇଁ ହେଉଥିବା ଗଣେଶ ମୂର୍ତ୍ତି ପରିବେଶ ଅନୁକୂଳ ବୋଲି ଆୟୋଜକ କହିଛନ୍ତି। ଚଳିତବର୍ଷ ଗଣେଶୋତ୍ସବ କାଳରେ ସେବା ମଣ୍ଡଳ ପ୍ରତ୍ୟେକ ଦିନ ୪୦ ହଜାରରୁ ଅଧିକ ଲୋକଙ୍କୁ ‘ଅନ୍ନ ଦାନ’ ସେବା ଯୋଗାଇ ଦେବ ବୋଲି କୁହାଯାଉଛି।