One Officer, One Official Car' policy,: ଏଣିକି ଅମଲାଙ୍କୁ ଆଉ ଅଧିକ ଗାଡ଼ିର ସୁବିଧା ଦିଆଯିବ ନାହିଁ। ଜଣେ ଅଫିସରଙ୍କୁ କେବଳ ଗୋଟିଏ ଗାଡ଼ି ହିଁ ମିଳିବ। ସରକାରୀ ଗାଡ଼ିର ଅପବ୍ୟବହାର ରୋକିବା, ଅନାବଶ୍ୟକ ଖର୍ଚ୍ଚ କମାଇବା ଏବଂ ସାର୍ବଜନିକ ସମ୍ପଦର ଯଥୋଚିତ ବ୍ୟବହାର ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଲାଗୁ କରିଛନ୍ତି। ନୂଆ ନିୟମ ଅନୁଯାୟୀ, "One Officer, One Official Car" (ଜଣେ ଅଧିକାରୀ, ଗୋଟିଏ ସରକାରୀ ଗାଡ଼ି) ନୀତି କାର୍ଯ୍ୟକାରୀ କରାଯାଇଛି।

ଏହି ନୂଆ ନିୟମ ଅନୁସାରେ, କୌଣସି ବରିଷ୍ଠ ଅଧିକାରୀ ଏକାଧିକ ମନ୍ତ୍ରଣାଳୟ, ବିଭାଗ, ସରକାରୀ କମ୍ପାନୀ (PSU) କିମ୍ବା ସ୍ୱୟଂଶାସିତ ସଂସ୍ଥାର ଅତିରିକ୍ତ ଦାୟିତ୍ୱ ମିଳିଲେ ମଧ୍ୟ ତାଙ୍କୁ ଦ୍ୱିତୀୟ ସରକାରୀ ଗାଡ଼ି ଆବଣ୍ଟନ କରାଯିବ ନାହିଁ। ପୂର୍ବରୁ ତାଙ୍କୁ ଯେଉଁ ଗାଡ଼ି ଆଲଟ କରାଯାଇଛି, ସେଥିରେ ହିଁ ସେ କାମ ଚଳାଇବେ।

ଅର୍ଥ ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶ

ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ (Department of Expenditure) ନିକଟରେ ଏକ ଅଫିସ୍ ମେମୋରାଣ୍ଡମ୍ (Office Memorandum - OM) ଜାରି କରି ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗକୁ ସରକାରୀ ଷ୍ଟାଫ୍ କାର୍ ବ୍ୟବହାର ସମ୍ପର୍କିତ ସଂଶୋଧିତ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ସେପ୍ଟେମ୍ବର ୨୦୨୨ରେ ଜାରି ହୋଇଥିବା ବିସ୍ତୃତ ନିର୍ଦ୍ଦେଶାବଳୀକୁ ଆହୁରି ମଜଭୁତ କରୁଛି। ଏହି ନିର୍ଦ୍ଦେଶରେ କେନ୍ଦ୍ର ସରକାର ଅଧୀନରେ ସରକାରୀ ଗାଡ଼ି ବ୍ୟବହାର ସମ୍ପର୍କିତ ସମସ୍ତ ନିୟମକୁ ଏକାଠି କରାଯାଇଥିଲା।

ଦ୍ୱିତୀୟ ସରକାରୀ ଗାଡ଼ି ମିଳିବ ନାହିଁ

ନୂଆ ନିୟମ ଅନୁସାରେ, ଯେଉଁ ଅଧିକାରୀ ସରକାରୀ ଷ୍ଟାଫ୍ କାର୍ ପାଇବାକୁ ଯୋଗ୍ୟ, ସେ ଯଦି ଅନ୍ୟ କୌଣସି ମନ୍ତ୍ରଣାଳୟ, ବିଭାଗ, PSU କିମ୍ବା ସ୍ୱୟଂଶାସିତ ସଂସ୍ଥାର ଅତିରିକ୍ତ ଦାୟିତ୍ୱ ନିଅନ୍ତି, ତେବେ କେବଳ ସେହି କାରଣରୁ ତାଙ୍କୁ ଆଉ ଗୋଟିଏ ସରକାରୀ ଗାଡ଼ି ଦିଆଯିବ ନାହିଁ। ସେ ପୂର୍ବରୁ ତାଙ୍କୁ ଆବଣ୍ଟନ ହୋଇଥିବା ଗାଡ଼ିକୁ ହିଁ ବ୍ୟବହାର କରିବେ।

Also Read- ଇ-୨୦ ପେଟ୍ରୋଲ ବ୍ୟବହାର କଲେ ଇନସୁରାନ୍ସ କ୍ଲେମ୍ ବାତିଲ୍ ହେବ କି ନାହିଁ ? ସ୍ପଷ୍ଟୀକରଣ ଦେଲା ପେଟ୍ରୋଲିୟମ ମନ୍ତ୍ରଣାଳୟ

PSU କିମ୍ବା ସ୍ୱୟଂଶାସିତ ସଂସ୍ଥାର ଗାଡ଼ି ବ୍ୟବହାର ଉପରେ କଟକଣା

ନୂଆ ମେମୋରାଣ୍ଡମ୍ ଅନୁଯାୟୀ, କେନ୍ଦ୍ର ସରକାରୀ ଅଧିକାରୀମାନେ ସରକାରୀ କମ୍ପାନୀ (PSU), ସ୍ୱୟଂଶାସିତ ସଂସ୍ଥା କିମ୍ବା ଅର୍ଦ୍ଧ-ସରକାରୀ ସଂସ୍ଥାର ଗାଡ଼ିକୁ ବ୍ୟକ୍ତିଗତ କିମ୍ବା ସାଧାରଣ ବ୍ୟବହାର ପାଇଁ ବ୍ୟବହାର କରିପାରିବେ ନାହିଁ। କେବଳ ସରକାରୀ କାର୍ଯ୍ୟ କିମ୍ବା ଅନୁମୋଦିତ ସରକାରୀ ଗସ୍ତ ସମୟରେ ଏଭଳି ଗାଡ଼ି ବ୍ୟବହାର କରାଯାଇପାରିବ। ତେବେ ଅତିରିକ୍ତ କିମ୍ବା ଅବ୍ୟବହୃତ ସରକାରୀ ଗାଡ଼ିଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯିବ। ସେଗୁଡ଼ିକୁ କୌଣସି ଅନଧିକୃତ କିମ୍ବା ଅନଅଫିସିଆଲ୍ କାମରେ ବ୍ୟବହାର କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସମସ୍ତ ମନ୍ତ୍ରଣାଳୟ ଓ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରଙ୍କ ଉଦ୍ଦେଶ୍ୟ କ'ଣ?

ବ୍ୟୟ ବିଭାଗ ଅନୁସାରେ, ଏହି ସଂଶୋଧିତ ନିୟମର ଉଦ୍ଦେଶ୍ୟ ହେଉଛି-

ସରକାରୀ ପ୍ରଶାସନର କାର୍ଯ୍ୟଦକ୍ଷତା ବଢ଼ାଇବା।
ସରକାରୀ ସମ୍ପଦର ଅପବ୍ୟବହାର ରୋକିବା।
ସରକାରୀ ପରିବହନ ବାବଦରେ ଅନାବଶ୍ୟକ ଖର୍ଚ୍ଚ କମାଇବା।
ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ଷ୍ଟାଫ୍ କାର୍ ପରିଚାଳନାକୁ ଅଧିକ ସୁବ୍ୟବସ୍ଥିତ କରିବା।
ଆର୍ଥିକ ଶୃଙ୍ଖଳା ସୁନିଶ୍ଚିତ କରିବା।

୨୦୨୨ର ନିର୍ଦ୍ଦେଶକୁ ପୁଣି ଦୋହରାଇଲେ ସରକାର

୧ ସେପ୍ଟେମ୍ବର ୨୦୨୨ରେ ବ୍ୟୟ ବିଭାଗ ଏନେଇ ମାଷ୍ଟର ଅଫିସ୍ ମେମୋରାଣ୍ଡମ୍ ଜାରି କରିଥିଲା। ଏଥିରେ କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ଷ୍ଟାଫ୍ କାର୍ ବ୍ୟବହାର ସମ୍ପର୍କିତ ସମସ୍ତ ନିୟମର ସମୀକ୍ଷା କରାଯାଇ ଏକତ୍ରିତ କରାଯାଇଥିଲା। ଏହାକୁ ପୁଣିଥରେ ନୂଆ କରି ଜାରି କରାଯାଇଛି। ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଏହି ନୂଆ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ବାଧ୍ୟ ହେବେ ବୋଲି କେନ୍ଦ୍ର ସରକାର ଏବେ ପୁଣିଥରେ ସ୍ପଷ୍ଟ କରିଛନ୍ତି।