ଭୁବନେଶ୍ୱର ୨୦।୫: ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଞ୍ଚାୟତ ଏକ୍ସିକ୍ୟୁଟିଭ୍ ଅଫିସର୍ (PEO) ପଦବୀରେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନେଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OSSSC)କୁ ଚିଠି ଲେଖି ଶୀଘ୍ର ବିଜ୍ଞପ୍ତି ପ୍ରକାଶ ସହ ନିଯୁକ୍ତି ପ୍ରକ୍ରିୟା ସମାପ୍ତ କରିବାକୁ ଅନୁରୋଧ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବହୁ ସଂଖ୍ୟକ ପିଇଓ ପଦ ଖାଲି ଥିବାରୁ ଗ୍ରାମସ୍ତରର ପ୍ରଶାସନ ଓ ସରକାରୀ କାର୍ଯ୍ୟକ୍ରମ ପ୍ରଭାବିତ ହେଉଥିବା କଥା ସରକାର ସ୍ୱୀକାର କରିଛନ୍ତି।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ବିଶେଷ ସଚିବ ସୂର୍ଯ୍ୟ ନାରାୟଣ ଦାଶ ୧୮ ମେ ୨୦୨୬ ତାରିଖରେ OSSSC ସଚିବଙ୍କୁ ଏହି ଚିଠି ଲେଖିଛନ୍ତି। ଏହା ପୂର୍ବରୁ ୧୭ ଜାନୁଆରୀ ଓ ୨୫ ଫେବୃଆରୀରେ ମଧ୍ୟ ଏହି ବିଷୟରେ ବିଭାଗ ପକ୍ଷରୁ ପତ୍ରାଚାର ହୋଇଥିବା ଚିଠିରେ ଉଲ୍ଲେଖ ରହିଛି। ତଥାପି ନିଯୁକ୍ତି ପ୍ରକ୍ରିୟାରେ ଅଗ୍ରଗତି ନ ହେବାରୁ ବିଭାଗ ପୁନର୍ବାର ଏହାକୁ ଗୁରୁତ୍ୱ ସହ ଉଠାଇଛି।

ଚିଠିରେ କୁହାଯାଇଛି ଯେ, ପଞ୍ଚାୟତ ଏକ୍ସିକ୍ୟୁଟିଭ୍ ଅଫିସରମାନେ ଗ୍ରାମ ପଞ୍ଚାୟତ ସ୍ତରର ପ୍ରଶାସନିକ ବ୍ୟବସ୍ଥାର ମୂଳ ଭିତ୍ତି। ସେମାନେ ବିଭିନ୍ନ ଆଇନଗତ, ବିକାଶମୂଳକ ଓ ନିର୍ବାଚନ ସମ୍ପର୍କିତ କାର୍ଯ୍ୟଭାର ନିର୍ବାହ କରୁଛନ୍ତି। ଏହି ପଦଗୁଡ଼ିକ ଦୀର୍ଘଦିନ ଧରି ଖାଲି ରହିବାରୁ ଦୈନିକ ପ୍ରଶାସନିକ କାର୍ଯ୍ୟ, ରେକର୍ଡ ରକ୍ଷଣାବେକ୍ଷଣ ଓ ତୃଣମୂଳ ସ୍ତରରେ ସରକାରୀ ଯୋଜନାର କାର୍ଯ୍ୟାନ୍ବୟନ ବାଧାପ୍ରାପ୍ତ ହେଉଛି।

Also Read:-ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ, ରେଜଲ୍ଟ ପ୍ରକାଶ ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା

ବିଶେଷ କରି ଆଗାମୀ କିଛି ମାସ ମଧ୍ୟରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ପିଇଓମାନଙ୍କ ଭୂମିକାକୁ ସରକାର ଅତ୍ୟନ୍ତ ଗୁରୁତ୍ୱ ଦେଇଛନ୍ତି। ନିର୍ବାଚନ ପରିଚାଳନା, ଭୋଟର ତାଲିକା ଓ ରେକର୍ଡ ସଂରକ୍ଷଣ, ନିର୍ବାଚନ କର୍ତ୍ତୃପକ୍ଷ ସହ ସମନ୍ୱୟ, ଏବଂ ପ୍ରାକ୍ ନିର୍ଵାଚନ ଏଵଂ ନିର୍ବାଚନ ପରବର୍ତ୍ତୀ କାର୍ଯ୍ୟକ୍ରମରେ ପିଇଓମାନଙ୍କ ଦାୟିତ୍ୱ ଅତ୍ୟଧିକ। ତେଣୁ ଏହି ପଦ ଖାଲି ରହିଲେ ନିର୍ବାଚନ ପ୍ରକ୍ରିୟାର ସୁଚାରୁ ପରିଚାଳନା ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଇଛି।

ସରକାର OSSSCକୁ “ପ୍ରଶାସନିକ ଆବଶ୍ୟକତା ଓ ବୃହତ୍ତର ଜନସ୍ୱାର୍ଥ”କୁ ଦୃଷ୍ଟିରେ ରଖି ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବା ସହ ସମଗ୍ର ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ସମାପ୍ତ କରିବାକୁ ଅନୁରୋଧ କରିଛନ୍ତି। ଚିଠିର ନକଲ ସମସ୍ତ ଜିଲ୍ଲାପାଳ, ସିଡିଓ-କମ୍-ଇଓ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ମଧ୍ୟ ପଠାଯାଇଛି।

ପ୍ରଶାସନିକ ମହଳରେ ଏହି ଚିଠିକୁ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଭାବେ ଦେଖାଯାଉଛି। ଦୀର୍ଘଦିନ ଧରି ପିଇଓ ନିଯୁକ୍ତିକୁ ଅପେକ୍ଷା କରିଥିବା ଚାକିରି ପ୍ରାର୍ଥୀମାନଙ୍କ ମଧ୍ୟରେ ଏହା ଆଶା ସୃଷ୍ଟି କରିଛି। ସେପଟେ ଗ୍ରାମ ପଞ୍ଚାୟତ ସ୍ତରରେ କର୍ମଚାରୀ ସଂକଟ ଦୂର ହେଲେ ବିକାଶମୂଳକ କାର୍ଯ୍ୟ ଓ ଶାସନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ମନେ କରାଯାଉଛି।

ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମସ୍ତରର ପ୍ରଶାସନକୁ ସକ୍ରିୟ ଓ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ମନେ କରାଯାଉଛି।