ଜଗତସିଂହପୁର ୧୩।୬: ଜଗତସିଂହପୁର ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବିକୁ ରାଜ୍ୟ ସରକାର ସମ୍ମାନ ଦେଇ ଜିଲ୍ଲାର ନିପୁର ଠାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ଏ ନେଇ ବର୍ଷେ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ବେଳେ ଶୁକ୍ରବାର ଏହି ମୌଜାରେ ଥିବା ସରକାରୀ ଜମି ଚିହ୍ନଟ ସହ ଆବଶ୍ୟକ ହେଉଥିବା ଘରୋଇ ଜମି ଅଧିଗ୍ରହଣ କରିବାକୁ ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବାର ଆଶା ଉଜ୍ଵଳ ହୋଇଥିବା ବେଳେ ଏହା ଜିଲ୍ଲାବାସୀଙ୍କୁ ଆନନ୍ଦିତ କରିଛି । ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ହେଲେ ସ୍ୱାସ୍ଥ୍ୟ ସେବାର ବିକାଶ ହେବା ସହିତ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ମେଡିକାଲ ପାଠ ପଢ଼ିବାର ସୁଯୋଗ ପାଇ ପାରିବେ ।

ଜଗତସିଂହପୁର ତହସିଲ ଅନ୍ତର୍ଗତ ନିପୁର ଗ୍ରାମରେ ମେଡିକାଲ କଲେଜ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି ମର୍ମରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଜରିଆରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି । ମେଡିକାଲ କଲେଜ ପାଇଁ ନିପୁର ଅଞ୍ଚଳର ସରକାରୀ ଓ ବେସରକାରୀ ଜମିର ସର୍ଭେ କରାଯାଇଥିଲା । ୩୩.୯୨ ଏକର ଘରୋଇ ଜମିରୁ ୨୮.୩୨ ଏକର ଓ ୨୭.୭୩ ଏକର ସରକାରୀ ଜମିରୁ ୧୯.୮୭ ଏକରକୁ ଚିହ୍ନଟ କରାଯାଇଛି । ଚିହ୍ନଟ ଜମିରେ କୌଣସି ସମସ୍ୟା ନାହିଁ । ତେଣୁ ସବୁ ଜମିକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନାମରେ ରେକର୍ଡଭୁକ୍ତ କରିବାକୁ ଉକ୍ତ ଚିଠିରେ ଦର୍ଶାଯାଇଛି ।

Also Read:- ଚନ୍ଦ୍ରିକା ମୃତ୍ୟୁର ସତ ଓଗାଳିବେ ପୁରୁଷ ବନ୍ଧୁ, ଭୀମସେନଙ୍କ ମହିଳା ବନ୍ଧୁଙ୍କୁ କରାଯିବ ଜେରା

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଆରମ୍ଭରୁ ନିପୁରରେ ମେଡିକାଲ କଲେଜ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ । ଅପରପକ୍ଷେ ଜିଲ୍ଲାରେ ମେଡିକାଲ କଲେଜ ନିମନ୍ତେ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ପ୍ରଥମେ ଭିଭିଭୂମିକୁ ସେ ଗୁରୁତ୍ବ ଦେଇଥିଲେ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶଯ୍ୟା ସଂଖ୍ୟାକୁ ୧୨୬ରୁ ୩୦୦କୁ ବୃଦ୍ଧି କରାଇଥିଲେ । ପରେ ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ମେଡିକାଲ କଲେଜ ଦାବିକୁ ଜୋରଦାର କରାଯାଇଥିଲା। ଗତ ସାଧାରଣ ନିର୍ବାଚନରେ ମେଡିକାଲ୍ କଲେଜ ପ୍ରସଙ୍ଗ ଜୋର୍ ଧରିଥିଲା। ବିଜେପି ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସ କଲେଜ ଉପରେ ଗୁରୁତ୍ୱ ଦେଇଥିଲେ ।