ନୂଆଦିଲ୍ଲୀ: ଅକ୍ଷୟତୃତୀୟା ଏପ୍ରିଲ ୨୦ରେ ପାଳନ ହେବ। ଏଣୁ ଗତ କିଛିଦିନ ହେଲା ଦେଶର ସ୍ୱର୍ଣ୍ଣାଳଙ୍କାର ବଜାର ଗହଳ ଚହଳ ଲାଗି ରହିଛି। ଏଥି ମଧ୍ୟରେ ଭାରତରେ ସୁନା ଓ ରୂପା ଆମଦାନୀକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସୁଛି। ଭାରତ ମହଙ୍ଗା ଧାତୁ ଆମଦାନୀ ଉପରେ ରୋକ ଲଗାଇଛି। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ବ୍ୟାଙ୍କମାନେ ସୁନା ଓ ରୂପା ଅର୍ଡର ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି। ଏହି ଖବର ଯୋଗୁ ଅକ୍ଷୟତୃତୀୟା ପର୍ବ ଦେଶରେ ସଂକଟରେ ପଡିବ ବୋଲି ଆଶଙ୍କା କରାଯାଉଛି।

କଷ୍ଟମରେ ଫଶି ରହିଛି ସୁନା,ରୂପା
ବ୍ୟାଙ୍କମାନେ ଏହି ପଦକ୍ଷେପ ଏପରି ସମୟରେ ନେଇଛନ୍ତି ଯେତେବେଳେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ବିଳମ୍ବ କରାଯାଉଛି। ଏପରି ପଦକ୍ଷେପ ଯୋଗୁ ଘରୋଇ ବଜାର ସହିତ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପଡିବ। ଏଥି ପାଇଁ ସରକାରଙ୍କ ଆଦେଶ ଏବେ ଲମ୍ବିତ ରହିଛି। ଏହି କାରଣରୁ କଷ୍ଟମସରେ ୫ ଟନ ସୁନା ଓ ୮ ଟନ ରୂପା ଅଟକି ଯାଇଛି। ଭାରତ ସରକାରଙ୍କ ଏପରି ନୀତି ଯୋଗୁ ବୈଶ୍ୱିକ ସ୍ତରରେ ସୁନା ଓ ରୂପା ବଜାର ପ୍ରଭାବିତ ହେବ। କାରଣ ସୁନା ଓ ରୂପାର ଭାରତ ଏକ ବଡ଼ ଆମଦାନୀକାରୀ ଦେଶ।

କାହିଁକି ଇମ୍ପୋର୍ଟରେ ଲାଗିଛି ରୋକ?
ଭାରତରେ ଚାହିଦା କମିଲେ ଅନ୍ତର୍ଜାତୀୟ ସ୍ତରରେ ଦର ହ୍ରାସ ହେବ। ତେବେ ଏହା ଦ୍ୱାରା ଭାରତକୁ ଟ୍ରେଡ ଘାଟା କମ କରିବା ଓ ଟଙ୍କାକୁ ମଜଭୁତ କରିବାରେ ସହାୟତା ମିଳିବ, ଯାହା ଚଳିତବର୍ଷ ଏସିୟାର ସବୁଠୁ ଦୁର୍ବଳ ମୁଦ୍ରାରେ ପରିଣତ ହୋଇଛି। ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ଅନ୍ତର୍ଗତ ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପ୍ରତ୍ୟେକ ଆର୍ଥିକ ବର୍ଷ ପ୍ରାରମ୍ଭରେ ଏକ ଆଦେଶ ଜାରି କରିଥାନ୍ତି। ଏହି ଆଦେଶରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଦ୍ୱାରା ସୁନା ଓ ରୂପା ଆମଦାନୀ ଲାଗି ଅଥରାଇଜଡ ବ୍ୟାଙ୍କମାନଙ୍କ ତାଲିକା ଥାଏ। ଏହା ପୂର୍ବରୁ ୨୦୨୫ ମସିହାରେ ଏହିପରି ଆଦେଶ ଜାରି ହୋଇଥିଲା। ବ୍ୟାଙ୍କ ଏବେ ଡିଜିଏଫଟିଙ୍କ ନୂଆ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି।

ଅକ୍ଷୟତୃତୀୟା ଉପରେ ସଂକଟ
ଏହି ଆମଦାନୀ ଅଟକିଯିବା ଓ ସୁନା,ରୂପା ଫଶି ରହିବା ଯୋଗୁ ଅକ୍ଷୟତୃତୀୟା ଉପରେ ସଂକଟ ଦେଖା ଦେଇଛି। ଯଦି ଏପରି ପରିସ୍ଥିତି ଜାରି ରହେ ତେବେ ଅକ୍ଷୟତୃତୀୟାରେ ସୁନା ଓ ରୂପା ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି। ଏହା ଦ୍ୱାରା ବଜାର ଉପରେ ଚାପ ପଡିବା ତ ଏକ ପ୍ରକାର ନିଶ୍ଚିତ ହେଲେ ଲୋକଙ୍କ ପକେଟକୁ ମଧ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି।