ପୁରୀ ୨୦।୭: ଆଜି ହେରାପଞ୍ଚମୀ । ଘୋଷଯାତ୍ରାର ଆଜି ହେଉଛି ପଞ୍ଚମ ଦିବସ । ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ ଆଉ ଶ୍ରଦ୍ଧାଳୁ । ଭକ୍ତଙ୍କ ଗହଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ତିଚା ମନ୍ଦିର ଜନ୍ମ ବେଦୀକୁ ଆସିଛନ୍ତି । ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନ ଥିବାରୁ ଅଭିମାନରେ ରହିଛନ୍ତି ଶ୍ରୀଦେବୀ । ଏଥିରେ ରାଗିଯାଇ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଯାନ୍ତି ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ । ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ ।

ରବିବାର ଯଜ୍ଞ ମଣ୍ତପରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସଂପନ୍ନ ହେବା ପରେ ସୋମବାର ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହେରାପଞ୍ଚମୀ ନୀତି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପାଳିଆ ମହାଜନ ମା' ମହାଲକ୍ଷ୍ମୀଙ୍କୁ ମାଜଣା କରିବା ସହ ପାଟଶାଢ଼ୀ, ଅଳଙ୍କାର ବେଶ କରାଇ ସାରିବା ପରେ ପୂଜାପଣ୍ତା ସେବକ ପନ୍ତି ଭୋଗ କରିବେ ।

Also Read:- ଭୂତଳ କେବୁଲ୍ ଓ ଆଧୁନିକ ସବ୍-ଷ୍ଟେସନ୍: ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ୍

ଏହାପରେ ଘଣ୍ଟ, ଛତା, ପଟୁଆରରେ ମା' ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ତ ଦେଇ ଗୁଣ୍ତିଚା ମନ୍ଦିର ସମ୍ମୁଖରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଭାଙ୍ଗିବା ପରେ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କୁ ସାକ୍ଷାତ କରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।

ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାରେ ସାମିଲ ହେବା ପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ଦିବ୍ୟ ନୀତି ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପରମ୍ପରା, ଯାହା ଭକ୍ତି, ପ୍ରେମ ଓ ଆଧ୍ୟାତ୍ମିକ ଭାବନାର ଅପୂର୍ବ ପ୍ରତୀକ।