ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରି ବିବାଦ ଘେରରେ ଥିବା ଯୁବତୀ ରୁଚିକା ସିଂହ ସାମ୍ନାକୁ ଆସିଛନ୍ତି। ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସେ ନିଜର ଆଚରଣ ପାଇଁ ଦେଶବାସୀଙ୍କୁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିଛନ୍ତି।

ଭାଇରାଲ ହୋଇଥିବା ଭିଡିଓରେ ନିଜକୁ ୧୫ ବର୍ଷୀୟା ଝିଅ ଭାବେ ପରିଚୟ ଦେଇ ରୁଚିକା କହିଛନ୍ତି ଯେ, ସେ କନଟ୍ ପ୍ଲେସ୍ ବୁଲିବାକୁ ଆସି ବନ୍ଧୁମାନଙ୍କ ସହ ଜନ୍ତର ମନ୍ତର ପ୍ରତିବାଦ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଲୋକଙ୍କ ପ୍ରଭାବରେ ଆସି ସେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସ୍ୱର୍ଗତ ମାଆଙ୍କ ବିରୋଧରେ ଅକ୍ଷମଣୀୟ ଶବ୍ଦ ବ୍ୟବହାର କରିଥିଲେ।

ରୁଚିକା କହିଛନ୍ତି ଯେ ମୋର ଏହି କାର୍ଯ୍ୟ ପାଇଁ ମୁଁ ଅତ୍ୟନ୍ତ ଲଜ୍ଜିତ। ଏହା ମୋର ପ୍ରଥମ ଏବଂ ଶେଷ ଭୁଲ୍ ବୋଲି ଭାବି ଦେଶବାସୀ ମୋତେ କ୍ଷମା କରିଦିଅନ୍ତୁ। ରୁଚିକାଙ୍କ କ୍ଷମା ଭିଡିଓ ଆସିବାର କିଛି ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନଷ୍ଟାଗ୍ରାମରେ ଏକ ବାର୍ତ୍ତା ଦେଇଥିଲେ। ପ୍ରତିବାଦ ବେଳେ ତାଙ୍କ ଓ ତାଙ୍କ ସ୍ୱର୍ଗତ ମାଆଙ୍କ ବିରୋଧରେ କୁହାଯାଇଥିବା ଭାଷା ଅତ୍ୟନ୍ତ ଦୁଃଖଦାୟକ ଥିଲା, ତଥାପି ଯୁବପିଢ଼ିଙ୍କୁ ସେମାନଙ୍କ ଭୁଲରୁ ଶିଖିବାର ସୁଯୋଗ ମିଳିବା ଉଚିତ ଭାବି ସେ ସମ୍ପୃକ୍ତ ଛାତ୍ରୀଙ୍କୁ କ୍ଷମା କରିଦେଇଛନ୍ତି ବୋଲି ପ୍ରକାଶ କରିଥିଲେ।

ଗତ ଜୁଲାଇ ୨୯ ତାରିଖରେ ନୋଏଡ଼ାର ଏକ୍ସପ୍ରେସୱେ ଥାନାରେ ରୁଚିକାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସାମ୍ବିଧାନିକ ପଦବୀର ମର୍ଯ୍ୟାଦା କ୍ଷୁଣ୍ଣ କରିବା ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତା (BNS) ଅଧୀନରେ ଏହି ମାମଲା ରୁଜୁ କରାଯାଇଥିଲା, ଯାହାକୁ ପରବର୍ତ୍ତୀ ସମୟରେ ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନାକୁ ସ୍ଥାନାନ୍ତର କରାଯାଇଛି।

ରିପୋର୍ଟ ଅନୁସାରେ, ରୁଚିକା ନୋଏଡ଼ାର ଏକ ହାଉସିଂ ସୋସାଇଟିରେ ତାଙ୍କ ମାଆଙ୍କ ସହ ରହୁଥିଲେ। ପ୍ରତିବାଦ ଘଟଣା ପରଠାରୁ ତାଙ୍କ ଫ୍ଲାଟ୍ ବନ୍ଦ ରହିଛି ଏବଂ ପୋଲିସ ସେହି ଆପାର୍ଟମେଣ୍ଟରେ ପହଞ୍ଚି ଛାନଭିନ ଜାରି ରଖିଛି।

also read- ପିଏମ୍ କିଷାନ ଯୋଜନାକୁ ଆହୁରି ୫ ବର୍ଷ ବଢ଼ାଇଲେ ମୋଦୀ ସରକାର, ଖର୍ଚ୍ଚ ହେବ ୩.୧୫ ଲକ୍ଷ କୋଟି ଟଙ୍କା

ଅପରପକ୍ଷରେ, ପ୍ରତିବାଦ ଆୟୋଜକର ମୁଖପାତ୍ର ସୌରଭ ଦାସ କହିଛନ୍ତି—ଆପତ୍ତିଜନକ ଭାଷା ଗ୍ରହଣଯୋଗ୍ୟ ନୁହେଁ, କିନ୍ତୁ କାହା ମନ୍ତବ୍ୟ ପାଇଁ ସୋସିଆଲ ମିଡିଆ ଓ ପୋଲିସ ଦ୍ୱାରା ଅପରାଧିକ ମାମଲା ଆଣିବା ବାକ୍ ସ୍ୱାଧୀନତାକୁ କ୍ଷୁଣ୍ଣ କରୁଛି। ଫୌଜଦାରୀ ମାମଲା ବଦଳରେ ମାନହାନି ମାମଲା କରାଯାଇପାରିଥାନ୍ତା।