ପୁରୀ ୧୪।୭: ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଜାରି କରାଯାଇଛି। ମୋଟ୍ ୩୦ଟି ସ୍ଥାନରେ କରାଯାଇଛି ପାର୍କିଂ ବ୍ୟବସ୍ଥା। ଚାରି ଚକିଆ ଯାନ ପାଇଁ ୨୨ଟି, ଦୁଇ ଚକିଆ ଯାନ ପାଇଁ ୪ଟି, ବସ୍ ପାଇଁ ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି। ଦୁଇ ଚକିଆ ଯାନ ପାଇଁ ମାଟି ତୋଟା ୧, ମାଟି ତୋଟା ୨, ପୁରୁଣା ଜଗନ୍ନାଥ ବଲ୍ଲଭ ଏବଂ ବ୍ଲୁ ଫ୍ଲାଗ୍‌ର ନୀଳାଚଳ ଅଶୋକରେ ପାର୍କିଂର ବ୍ୟବସ୍ଥା କରାଯାଇଛି। ଏ ନେଇ ପୁରୀ କୁମ୍ଭାରପଡ଼ା ଥାନା ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ପୋଲିସ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ସେହିପରି ବସ୍ ପାଇଁ ମାଳତୀପାଟପୁର, ତାଳବଣିଆ, ସ୍ବାମୀ ନାରାୟଣ ମନ୍ଦିର ଏବଂ ସମଙ୍ଗ ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପାସ୍‌ଧାରୀ ମାନେ ଜେବିପିସି, ଯାତ୍ରିକା, ନାଲି ପଡିଆ, ଲୋକନାଥ ମନ୍ଦିର ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପାସ୍ ନଥିବା ଗାଡ଼ି ଗୁଡ଼ିକ ୧୮ ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

ଏଆଇ କ୍ୟାମେରା ଦ୍ବାରା ପୁରୀକୁ ଆସୁଥିବା ସମସ୍ତ ଗାଡ଼ି ର ସଂଖ୍ୟା ଗଣନା କରାଯିବ। ଲୋକଙ୍କୁ ସୂଚନା ଦେବା ପାଇଁ ମୋଟ୍ ୧୬୪୫ଟି ସାଇନେଜ ଲଗାଯାଇଛି। ଲୋକଙ୍କୁ ଟ୍ରାଫିକ ସୂଚନା ଦେବାପାଇଁ ଜାତୀୟ ରାଜପଥରେ ଏଲଇଡି ସ୍କ୍ରିନ ବ୍ୟବସ୍ଥା କରାଯାଇଛି। ଲୋକଙ୍କୁ ତାଜା ଟ୍ରାଫିକ ସୂଚନା, ଭିଡ଼ ସମ୍ପର୍କରେ ବଲ୍କ ଏମଏସ ସୂଚନା ବ୍ୟବସ୍ଥା କରାଯାଇଛି। ତାଳବଣିଆ ଓ ମାଳତୀପାଟପୁର ବସଷ୍ଟାଣ୍ଡ ଠାରେ ଦୁଇଟି ମଡେଲ ଟ୍ରାଫିକ ଏଡ୍ ପୋଷ୍ଟ କରାଯାଇଛି। ଯାହାକି ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ମାନଙ୍କୁ ସହାୟତା ଯୋଗାଇବ।