ନୂଆଦିଲ୍ଲୀ,୧୦|୦୭ହାରୁଛି ଭାରତୀୟ କ୍ରିକେଟ୍ ଦଳ । ବିଶ୍ୱ ଟି୨୦ ଚାମ୍ପିଅନକୁ ଗ୍ରହଣ ଲାଗିଛି । ଆୟରଲ୍ୟାଣ୍ଡଠୁ ଟି୨୦ ସିରିଜରେ କ୍ଲିନ୍ ସ୍ୱିପ୍ ହୋଇଛି ଟିମ୍ ଇଣ୍ଡିଆ । ଏବେ ଇଂଲଣ୍ଡଠୁ ବି ସିରିଜ୍ ହାରିଛି । ଆଉ ଗୋଟିଏ ମ୍ୟାଚ୍ ବାକି ଅଛି । ଯଦି ପରାସ୍ତ ହୁଏ ତେବେ ସିରିଜ ମୂଳପୋଛ ହୋଇଯିବ । ଏସବୁକୁ ନେଇ ବିସିସିଆଇ ଖପ୍ପା । କିଛି ବଡ ଆକ୍ସନ୍ ନେଇପାରେ ବୋଲି ଚର୍ଚ୍ଚା ହେଉଛି ।

ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପୂର୍ବରୁ ଦଳରେ ହୋଇଥିଲା ପରିବର୍ତ୍ତନ । ହଟିଥିଲେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ତାଙ୍କ ଜାଗାରେ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିଲା । କିନ୍ତୁ ଦଳ ତାପରଠୁ ଗୋଟିଏ ହେଲେ ମ୍ୟାଚ୍ ଜିତିପାରିନି । ବରଂ ଲଜ୍ଜାଜନକ ପରାଜୟର ରେକର୍ଡ କରୁଛି । ଯାହା ଟିମ୍ ମ୍ୟାନେଜମେଣ୍ଟ ଉପରେ ପରିବର୍ତ୍ତନର ଚାପ ପକାଉଛି ।

କୁହାଯାଉଛି ଯେ, ବିସିସିଆଇ ଚତୁର୍ଥ ଟି୨୦ରେ ଦଳ ପରାସ୍ତ ହେଲା ପରେ ଖେଳାଳିଙ୍କ ପ୍ରଦର୍ଶନର ରିଭ୍ୟୁ ମାଗିଛି । ଯାହାର ସମୀକ୍ଷା କରାଯିବ । ଉଭୟ ଖେଳାଳି ଏବଂ କୋଚିଂ ଷ୍ଟାଫଙ୍କ କାର୍ଯ୍ୟଶୈଳୀ ଏବଂ ଖେଳର ସମୀକ୍ଷା ହେବ । ଗମ୍ଭୀର ୨୦୨୭ ଯାଏଁ ଭାରତର କୋଚ୍ ରହିବେ ବୋଲି ସ୍ଥିର ହୋଇଛି । କିନ୍ତୁ ଲଗାତାର ପରାଜୟ ତାଙ୍କ କ୍ୟାରିଅର ଉପରେ ଖଣ୍ଡା ଝୁଲାଇଛି । ଏହାସହ ଶ୍ରେୟସଙ୍କ କପ୍ତାନୀକୁ ମଧ୍ୟ ବିଚାର କରାଯିବ ବୋଲି ବିସିସିଆଇ ସୂତ୍ରରୁ ଜଣା ପଡିଛି ।

Also Read :- 'ଦଳ ହାରିଛି, କିନ୍ତୁ ମୁଁ ଭଲ ସ୍କୋର କରିଛି, ହେଲେ'...କାହିଁକି ଏମିତି କହିଲେ ଶ୍ରେୟସ ?

ଶନିବାର ଶେଷ ମୁକାବିଲା

ସିରିଜର ଶେଷ ମୁକାବିଲା ଶନିବାର ଖେଳାଯିବ । ଯଦି ଏହି ମୁକାବିଲା ଇଂଲଣ୍ଡ ଜିତେ ତେବେ ଭାରତ ପୁଣି ଥରେ କ୍ଲିନ୍ ସ୍ୱିପ୍ ହୋଇଯିବ । ଏହାସହ ଭାରତର ଏକ ନମ୍ବର ରାଙ୍କିଂ ଖସିଯିବ ଏବଂ ଇଂଲଣ୍ଡ ଟପ୍ ପୋଜିସନ ହାସଲ କରିନେବ ।

ଅଧିନାୟକଙ୍କ ପ୍ରତିକ୍ରିୟା

ଶ୍ରେୟସ ଆୟର କହିଛନ୍ତି ଯେ, ଦଳ ଯାହା ଯୋଜନା କରିଥିଲା ତାହାକୁ ସଠିକ୍ ଭାବେ ପଡିଆରେ ଲାଗୁ କରିପାରିନଥିଲା । ପ୍ଲାନ୍ ଫେଲ୍ ମାରିଥିଲା । ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ୧୫୮ ରନ୍ କେବେହେଲେ ଭଲ ସ୍କୋର ନୁହେଁ । ଇଂଲଣ୍ଡ ଖୁବ୍ ଶୀଘ୍ର ଟାର୍ଗେଟ୍ ହାସଲ କରିନେଇଥିଲା । ବୋଲରମାନେ ବିଫଳ ହୋଇଥିଲେ । ସେମାନେ ଷ୍ଟମ୍ପ୍ ଲାଇନରେ ବୋଲିଂ କରିପାରୁ ନଥିଲେ । ସେ ନିଜ ବ୍ୟାଟିଂକୁ ନେଇ ଖୁସି ଅଛନ୍ତି । ହେଲେ ଦଳ ହାରିଛି । ଦଳ ବିଜୟୀ ନେହେଲେ ନିଜ ସ୍କୋର ଛୋଟ ଲାଗେ । ସେ ଯେବେ ପଡିଆକୁ ଓହ୍ଲାଇଥାନ୍ତି ଭଲ ପ୍ରଦର୍ଶନ କରିବା କଥା ଭାବିଥାନ୍ତି । କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଏପରି ହୋଇପାରିନଥିଲା । ଆଗାମୀ ଦିନରେ ଖେଳାଳି ନିଜ ତ୍ରୁଟି ସୁଧାରିବେ । ଏହି ସମୟରେ ଭୁଲ ହୁଏ । ପରିସ୍ଥିତି ସହ ତାଳ ମିଳାଇ ଖେଳିବାକୁ ହେବ ବୋଲି ସେ ପ୍ରକାଶ କରିଛନ୍ତି ।