ନଟିଂହମ୍: ଇଂଲଣ୍ଡ ଗସ୍ତରେ ଭାରତୀୟ ଟି-୨୦ କ୍ରିକେଟ ଦଳର ଲଗାତାର ନିରାଶାଜନକ ପ୍ରଦର୍ଶନ ପରେ ମୁହଁ ଖୋଲିଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର। ଦଳର କ୍ରମାଗତ ପରାଜୟକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଗମ୍ଭୀର ସତ ସ୍ଵୀକାର କରିଛନ୍ତି। ମ୍ୟାଚ୍ ପରବର୍ତ୍ତୀ ପ୍ରେସ୍ କନଫରେନ୍ସରେ ସେ ସ୍ୱୀକାର କରିଛନ୍ତି ଯେ, ଟିମ୍ ଇଣ୍ଡିଆର ଏହି ଖରାପ ପ୍ରଦର୍ଶନ ପଛର ମୁଖ୍ୟ କାରଣ ହେଉଛି ଦଳରେ କରାଯାଇଥିବା ବଡ଼ ଧରଣର ପରିବର୍ତ୍ତନ ବା ‘ରିସେଟ୍ ବଟନ୍’ ପ୍ରକ୍ରିୟା। ପିଚ୍ ଏବଂ ଇଂଲଣ୍ଡର ପରିସ୍ଥିତିକୁ ଠିକ୍ ଭାବେ ନ ବୁଝିପାରିବା ଯୋଗୁଁ ଦଳକୁ ଏଭଳି ପରିଣାମ ଭୋଗିବାକୁ ପଡ଼ିଛି।

ଗୌତମ ଗମ୍ଭୀର କହିଛନ୍ତି, ଆମେ ଆଦୌ ଭଲ ଖେଳିଲୁ ନାହିଁ, ଏଥିରେ କୌଣସି ସନ୍ଦେହ ନାହିଁ। ଟି-୨୦ ବିଶ୍ୱକପ୍ ଫାଇନାଲ୍ ଖେଳିଥିବା ଦଳ ଏବଂ ବର୍ତ୍ତମାନର ଦଳ ମଧ୍ୟରେ ଆକାଶ ପାତାଳ ଫରକ ରହିଛି। ଅଧିନାୟକଙ୍କ ଠାରୁ ଆରମ୍ଭ କରି ଓପନରଙ୍କ ପର୍ଯ୍ୟନ୍ତ ସବୁ ବଦଳି ଯାଇଛନ୍ତି। ଦଳରେ ଯଶପ୍ରୀତ ବୁମରା କିମ୍ବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଅଭିଜ୍ଞ ଖେଳାଳି ନାହାନ୍ତି। ଯେତେବେଳେ ଆପଣ ଗୋଟିଏ ସେଟ୍ ଟିମକୁ ପୁନର୍ଗଠନ କରନ୍ତି, ସେତେବେଳେ ନୂଆ ଖେଳାଳିଙ୍କୁ ସେଟ୍ ହେବା ପାଇଁ କିଛି ସମୟ ଲାଗିଥାଏ।

Also Read: ସରିଲା ବୈଭବଙ୍କ ସୁଯୋଗ, ଆଉ ଚାନ୍ସ ଦେବେନି ଗମ୍ଭୀର ! ଫ୍ଲପ୍ ହେଲା ପରେ ଟିମ୍ ରୁ ହେବେ କି ବିଦା ?

ନିଜ ପକ୍ଷ ରଖି କୋଚ୍ ଆହୁରି କହିଛନ୍ତି ଯେ, ଆପଣ ଯଦି ବର୍ତ୍ତମାନର ପ୍ଲେଇଙ୍ଗ୍-୧୧କୁ ଦେଖିବେ, ଜଣେ ୧୫ ବର୍ଷର କିଶୋର ବୈଭବ ସୂର୍ଯ୍ୟବଂଶୀ ଦଳ ପାଇଁ ଓପନିଂ କରୁଛନ୍ତି। ପ୍ରିନ୍ସ ଯାଦବ ନିଜ କ୍ୟାରିୟରର ମାତ୍ର ଦ୍ୱିତୀୟ ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳୁଛନ୍ତି। ସେହିପରି ହର୍ଷିତ ରାଣା ଆହତ ସମସ୍ୟାରୁ ମୁକୁଳି ଦଳକୁ ଫେରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରେ କେବଳ ଫଳାଫଳ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆମକୁ ବାସ୍ତବତାକୁ ମଧ୍ୟ ସାମ୍ନା କରିବାକୁ ହେବ। ନୂଆ ଏବଂ ଯୁବ ଖେଳାଳିଙ୍କୁ ପ୍ରତିଭା ବିକଶିତ କରିବା ପାଇଁ ସମୟ ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ, ଆଇପିଏଲର ଫ୍ଲାଟ୍ ପିଚ୍ ଏବଂ ଘରୋଇ ମାଟିରେ ବ୍ୟାଟିଂ ଅନୁକୂଳ ପିଚରେ ରନ୍ ବର୍ଷା କରୁଥିବା ଭାରତୀୟ ବ୍ୟାଟରମାନେ ଇଂଲଣ୍ଡର ପରିବେଶ ଏବଂ ପିଚ୍ ସହ ଖାପଖୁଆଇ ପାରିନାହାନ୍ତି। ଇଂଲଣ୍ଡ ଭଳି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଯୁବ ଖେଳାଳିଙ୍କୁ ସିଧାସଳଖ ମଇଦାନକୁ ଓହ୍ଲାଇବା ପରେ ସେମାନଙ୍କୁ ସମୟ ଦେବା ଜରୁରୀ ବୋଲି ଗମ୍ଭୀର ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ଦଳ ଏକ ଟ୍ରାନଜିସନ ପର୍ଯ୍ୟାୟ ଦେଇ ଗତି କରୁଥିବାରୁ ଫ୍ୟାନ୍ସମାନଙ୍କୁ ଧୈର୍ଯ୍ୟ ଧରିବାକୁ ସେ ଅନୁରୋଧ କରିଛନ୍ତି।