ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ଏବଂ ଚାମ୍ପିୟନ୍ସ ଟ୍ରଫି ବିଜୟ ସତ୍ତ୍ୱେ ଟେଷ୍ଟ କ୍ରିକେଟରେ ଭାରତର ପ୍ରଦର୍ଶନକୁ ନେଇ ସମାଲୋଚନାର ଶିକାର ହେଉଥିବା ମୁଖ୍ୟ କୋଚ୍ ଗୌତମ ଗମ୍ଭୀର କଡ଼ା ଜବାବ ଦେଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ତାଙ୍କର ମୂଳ ଲକ୍ଷ୍ୟ ହେଉଛି ଟ୍ରଫି ଜିତିବା, ସୋସିଆଲ ମିଡିଆରେ ଭ୍ୟୁ କିମ୍ବା ଲାଇକ୍ସ ହାସଲ କରିବା ନୁହେଁ।  

ଲାଇକ୍ସ ଓ ଭ୍ୟୁ ଅପେକ୍ଷା ଟ୍ରଫି ଗୁରୁତ୍ୱପୂର୍ଣ୍ଣ । ମୋର କାମ ହେଉଛି ଦେଶ ପାଇଁ ଟ୍ରଫି ଜିତିବା, ସୋସିଆଲ ମିଡିଆରେ ଲାଇକ୍ସ ଏବଂ ଭ୍ୟୁ ସଂଗ୍ରହ କରିବା ନୁହେଁ ବୋଲି କହିଛନ୍ତି ଗମ୍ଭୀର। ମୁଁ ଏହା ଉପରେ ହିଁ ବିଶ୍ୱାସ କରେ ଏବଂ ଏହା ମୋତେ ଅନ୍ୟମାନଙ୍କଠାରୁ ଅଲଗା କରେ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଭାରତୀୟ ଦଳ କୌଣସି ସଙ୍କଟ ଦେଇ ଗତି କରୁନାହିଁ। 

ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଭଳି ବରିଷ୍ଠ ଖେଳାଳି ସନ୍ୟାସ ନେବା ପରେ ଦଳ ଏକ ଟ୍ରାଞ୍ଜିସନ୍ ପର୍ଯ୍ୟାୟ ଦେଇ ଗତି କରୁଛି।  ଆଇସିସି (ICC) ଟେଷ୍ଟ ରାଙ୍କିଂ ଏବଂ WTC ପଏଣ୍ଟ ଟେବୁଲରେ ସ୍ଥିତିକୁ ନେଇ ସେ କହିଛନ୍ତି ଯେ, ରାଙ୍କିଂ ଦଳର ପ୍ରକୃତ କ୍ଷମତା ଦର୍ଶାଏ ନାହିଁ। ଦଳ ସଠିକ୍ ଦିଗରେ ଆଗେଇ ଚାଲିଛି।  ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଭାରତ ଗାଲେ ଟେଷ୍ଟରେ ଶ୍ରୀଲଙ୍କାକୁ ପରାସ୍ତ କରି ସିରିଜରେ ୧-୦ ରେ ଆଗୁଆ ରହିଛି। ତବେ WTC ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଆଗାମୀ ମ୍ୟାଚଗୁଡ଼ିକରେ କଠିନ ସଂଘର୍ଷ କରିବାକୁ ପଡ଼ିବ।