ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଉତ୍ତେଜନା ସହ ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଯୋଗୁ ଘରୋଇ ଗ୍ୟାସ୍ ସିଲିଣ୍ଡର ଯୋଗାଣ ହ୍ରାସ ହୋଇଛି। ଏଣୁ ଦେଶରେ ଲୋକେ ଗ୍ୟାସ୍ ସିଲିଣ୍ଡରରୁ ସିଫ୍ଟ ହୋଇ ପାରମ୍ପରିକ ଇନ୍ଧନ ଓ ଇଣ୍ଡକ୍ସନ ରୋଷେଇ ଆପଣେଇଛନ୍ତି। ଫଳରେ ଏପ୍ରିଲ ମାସରେ ଦେଶରେ ଏଲପିଜି ଖର୍ଚ୍ଚରେ ଭୀଷଣ ହ୍ରାସ ଦେଖା ଯାଇଛି। ସରକାରଙ୍କ ପକ୍ଷରୁ ସୋମବାର ଜାରି ତଥ୍ୟରୁ ଏହା ଜଣାପଡିଛି। ଦେଶରେ ଏପ୍ରିଲ ମାସରେ ଏଲପିଜି ଗ୍ୟାସ୍ ଖର୍ଚ୍ଚ ୧୬%ରୁ ବି ଅଧିକ ହ୍ରାସ ହୋଇଛି।ଏହି ହ୍ରାସ ଯୋଗୁ ଦେଶର ଏଲପିଜି ଆବଶ୍ୟକତା ୨୨ ଲକ୍ଷ ଟନକୁ ଖସି ଆସିଛି।

ପେଟ୍ରୋଲିୟମ ମନ୍ତ୍ରାଳୟଙ୍କ ପେଟ୍ରୋଲିୟମ ଯୋଜନା ଓ ବିଶ୍ଲେଷଣ ପ୍ରକୋଷ୍ଠ (ପିପିଏସି) ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚଳିତବର୍ଷ ଏପ୍ରିଲରେ ଘରୋଇ ଏଲପିଜି ଖର୍ଚ୍ଚ ବାର୍ଷିକ ଆଧାରରେ ୧୬.୧୬% ହ୍ରାସ ହୋଇ ୨୨ ଲକ୍ଷ ଟନ ହୋଇଯାଇଛି। ତେବେ ଏପ୍ରିଲ ୨୦୨୫ରେ ଏହି ଖର୍ଚ୍ଚ ୨୬.୨ଲକ୍ଷ ଟନ ଥିଲା। କେବଳ ବାର୍ଷିକ ନୁହେଁ ମାସିକ ଆଧାରରେ ମଧ୍ୟ ଦେଶରେ ଏଲପିଜି ଖର୍ଚ୍ଚ କମିଛି। ମାର୍ଚ୍ଚ ୨୦୨୬ରେ ଘରୋଇ ଏଲପିଜି ଖର୍ଚ୍ଚ ୨୩.୭୯ଲକ୍ଷ ଟନ ଥିଲା।

ଭାରତ ନିଜ ଏଲପିଜି ଆବଶ୍ୟକତାର ୬୦% ଆମଦାନୀ କରିଥାଏ, ଯାହାର ଏକ ବଡ଼ ଭାଗ ହର୍ମୁଜ ପ୍ରଣାଳୀ ଦେଇ ଆସିଥାଏ। ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଘୋଷଣା ଯୋଗୁ ଏହି ସାମୁଦ୍ରିକ ମାର୍ଗରେ ଯୋଗାଣ ପ୍ରଭାବିତ ହୋଇଛି। ଏଣୁ ସାଉଦୀ ଆରବ ଓ ୟୁଏରୁ ଆସୁଥିବା କନସାଇନମେଣ୍ଟରେ ବାଧା ଉପୁଜିଛି। ସରକାର ଦେଶରେ ଘରୋଇ ରୋଷେଇ ଗ୍ୟାସ୍ ଉପଲବ୍ଧ ରଖିବା ଲାଗି ହୋଟେଲ ଓ ଉଦ୍ୟୋଗ ଭଳି ବାଣିଜ୍ୟିକ ଉପଭୋକ୍ତାଙ୍କୁ ଯୋଗାଣ ହ୍ରାସ କରିଛନ୍ତି। କେବଲ ଏତିକି ନୁହେଁ ଘରୋଇ ସିଲିଣ୍ଡରର ଦୁଇ ରିଫିଲ ମଧ୍ୟରେ ବୁକିଂ ଅନ୍ତରାଳ ମଧ୍ୟ ବଢାଇ ଦିଆଯାଇଛି।

ତେବେ କେବଳ ଏଲପିଜି ନୁହେଁ ଏପ୍ରିଲରେ ଏଭିଏସନ ଫୁଏଲ (ଏଟିଏଫ) ଖର୍ଚ୍ଚ ୧.୩୭%ହ୍ରାସ ହୋଇ ୭.୬୧ଲକ୍ଷ ଟନ ହୋଇଯାଇଛି। ଏଥିରୁ ଏଭିଏସନ ସେକ୍ଟରରେ ଉଡାଣ ହ୍ରାସ ହେଉଥିବାର ସଂକେତ ମିଳୁଛି। ଏହି ସମୟରେ ଡିଜେଲ ଖର୍ଚ୍ଚ ହାରରେ ମଧ୍ୟ ସୁସ୍ଥିଆ ଦେଖାଯାଇଛି। ଡିଜେଲ ଖର୍ଟ୍ଟ ୦.୨୫% ବଢି ୮୨.୮୨ ଲକ୍ଷ ଟନରେ ସୀମିତ ହୋଇଯାଇଛି। ତେବେ ଏହାର ପୂର୍ବ ମାସ ମାର୍ଚ୍ଚରେ ଡିଜେଲ ଖର୍ଚ୍ଚ ୮.୧% ବୃଦ୍ଧି ହୋଇଥିଲା। ସ୍ୱଚ୍ଛ ଇନ୍ଧନକୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ଉଦ୍ୟମ କାରଣରୁ ଗତ କିଛି ବର୍ଷ ହେଲା ଦେଶରେ ଏଲପିଜି ଖର୍ଚ୍ଚ ବଢିବଢି ଚାଲିଥିଲା। ହେଲେ ଏବେକା ବୈଶ୍ୱିକ ଉତ୍ତେଜନା ପ୍ରଭାବରେ ଲୋକେ ଖର୍ଚ୍ଚ ହ୍ରାସ କରିଛନ୍ତି।