ଖଲ୍ଲିକୋଟ: ଅବପାତ ଯୋଗୁ ଗଞ୍ଜାମ ଜିଲ୍ଲାକୁ ପ୍ରବଳ ବର୍ଷା ଓ ପବନ ବହିବାର ଅନୁମାନ କରିଛି ପାଣିପାଗ ବିଭାଗ । ଏମିତିରେ ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ସତର୍କତା ଦୃଷ୍ଟିରୁ ବିଭିନ୍ନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହା ଅନୁସାରେ, ଖଲ୍ଲିକୋଟ୍ ବ୍ଲକ୍ ଅନ୍ତର୍ଗତ ଲଙ୍ଗଳେଶ୍ଵର, ପଥରା, ଓଡ଼ିଆ ଆଲପୁର, କେଶପୁର, କନକା ଓ ସାବୁଳିଆ ମୋଟ ୬ ଟି ପଞ୍ଚାୟତର ମତ୍ସ୍ୟଜୀବୀଙ୍କୁ ଚିଲିକାକୁ ମାଛ ମାରିବାକୁ ଯିବାକୁ ବାରଣ କରାଯାଇଛି। ଚିଲିକା ଉପକୂଳରେ ରହୁଥିବା ଏହି ୬ ପଞ୍ଚାୟତର ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ରୋଜଗାର ପାଇଁ ଚିଲିକା ଉପରେ ନିର୍ଭର କରିଥାନ୍ତି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ତିନି ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବଜ୍ରପାତ ଓ ପବନ ବହିବା ସମ୍ଭାବନା ରହିଛି । ତେଣୁ ଏହାକୁ ନେଇ ପ୍ରଶାସନ ତତ୍ପରତା ଦେଖାଇଛି। ଚିଲିକା ଉପକୂଳରେ ବସବାସ କରୁଥିବା ସାଧାରଣ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରିବା ସହ ମତ୍ସ୍ୟଜୀବୀଙ୍କୁ ଚିଲିକା ଯିବାକୁ ବାରଣ କରାଯାଇଛି । ସେପଟେ ପ୍ରାକୃତିକ ବିପର୍ଯ୍ୟୟକୁ ଆଖି ଆଗରେ ରଖି ଖଲ୍ଲିକୋଟ୍ ବ୍ଲକରେ ଥିବା ୧୬ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି।

Also Read: ରେଡ୍ ୱାର୍ଣ୍ଣିଂ ପରେ ଗଞ୍ଜାମରେ ବଡ଼ ନିଷ୍ପତ୍ତି, ଦିନକ ପାଇଁ ବନ୍ଦ ରହିବ ସବୁ କଲେଜ​​​​​​​