କୋଲକାତା: ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି କୋଲକାତାର ଆର୍ଜେଣ୍ଟିନା ଫ୍ୟାନ୍ କ୍ଲବର ସଭାପତି ଉତ୍ତମ ସାହାଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଛନ୍ତି। ସେ ୫୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଡିସେମ୍ବର ୧୩ରେ ଲେକ୍ ସିଟି ଷ୍ଟାଡିୟମରେ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଭଙ୍ଗାରୁଜା ହୋଇଥିଲା । ଆୟୋଜକଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଇଭେଣ୍ଟର ଆୟୋଜକଙ୍କ ଲାଗି ଗାଙ୍ଗୁଲି ମଧ୍ୟସ୍ଥତା କରୁଛନ୍ତି ବୋଲି ଉତ୍ତମ ଶାହ ଅଭିଯୋଗ କରିଥିଲେ ।

ଲାଲବଜାରରେ ଦାୟର ମାମଲାରେ ଗାଙ୍ଗୁଲି କହିଛନ୍ତି, ‘ଉତ୍ତମ ସାହାଙ୍କ ବୟାନ ତାଙ୍କ ପ୍ରତିଷ୍ଠାକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଛି। କୌଣସି ପ୍ରମାଣ ବିନା ଏହି ଅଭିଯୋଗଗୁଡ଼ିକ କରାଯାଇଛି।’ ଗାଙ୍ଗୁଲି ସାହାଙ୍କ ବୟାନକୁ "ମିଥ୍ୟା  ଅପମାନଜନକ" ବୋଲି କହିଛନ୍ତି।

ଉତ୍ତମ ସାହା ଦାବି କରିଥିଲେ ଯେ, ଗାଙ୍ଗୁଲି ଇଭେଣ୍ଟର ମୁଖ୍ୟ ଆୟୋଜକ ସତଦ୍ରୁ ଦତ୍ତଙ୍କ ମାମଲାରେ ‘ମଧ୍ୟସ୍ଥି’ ଭାବରେ କାର୍ଯ୍ୟ କରିଥିଲେ। ଗାଙ୍ଗୁଲିଙ୍କ ଆଇନଗତ ଦଳ ଏହି ଅଭିଯୋଗକୁ ଆଧାର କରି ସାହାଙ୍କୁ ଏକ ନୋଟିସ ପଠାଇଛନ୍ତି । ଯେଉଁଥିରେ କ୍ଷତିପୂରଣ ଦାବି କରାଯାଇଛି। ୫୩ ବର୍ଷୀୟ ଗାଙ୍ଗୁଲି କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲର ସଭାପତି।

ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ଯେ, ସେ ମେସିଙ୍କ କାର୍ଯ୍ୟକ୍ରମରେ କେବଳ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କର କୌଣସି ସରକାରୀ କିମ୍ବା ପରିଚାଳନା ଭୂମିକା ନଥିଲା। ଗାଙ୍ଗୁଲି ତାଙ୍କ ଅଭିଯୋଗରେ କହିଛନ୍ତି, ‘କିଛି ଆଧାର ବିନା ସାର୍ବଜନୀନ ଭାବରେ ଗମ୍ଭୀର ଅଭିଯୋଗ ଲଗାଯାଉଛି।’

ଦୁଇ ଦିନ ପୂର୍ବରୁ ଡିସେମ୍ବର ୧୬ ତାରିଖରେ, ମେସିଙ୍କ କାର୍ଯ୍ୟକ୍ରମରେ ଭଙ୍ଗାରୁଜା ଏବଂ ବିଶୃଙ୍ଖଳା ପରେ ପଶ୍ଚିମବଙ୍ଗର କ୍ରୀଡ଼ା ମନ୍ତ୍ରୀ ଅରୂପ ବିଶ୍ୱାସ ଇସ୍ତଫା ଦେଇଥିଲେ । ଟିଏମସି ସାଂସଦ କୁନାଲ ଘୋଷ ଏକ ଫେସବୁକ୍ ପୋଷ୍ଟରେ କହିଥିଲେ ଯେ, ବିଶ୍ୱାସ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ୍ରୀଡ଼ା ମନ୍ତ୍ରୀ ଭାବରେ ତାଙ୍କ ଦାୟିତ୍ୱରୁ ମୁକ୍ତ କରିବାକୁ ଅନୁରୋଧ କରିଥିଲେ।