ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ୍ ଉପରୁ କେନ୍ଦ୍ର ସରକାର ଶୁକ୍ରବାର ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି । ଏହା ପରେ ପେଟ୍ରୋଲ ଏବଂ ଡିଜେଲ୍ ମୂଲ୍ୟ ହ୍ରାସ ହୋଇପାରେ ବୋଲି ଚର୍ଚ୍ଚା ବଢ଼ିଯାଇଛି । ଏହାରି ମଧ୍ୟରେ, ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ପ୍ରତି ୧୫ ଦିନରେ ତେଲ ମୂଲ୍ୟର ସମୀକ୍ଷା କରିବେ କେନ୍ଦ୍ର ସରକାର । ସେପଟେ CBIC ଅଧ୍ୟକ୍ଷ ବିବେକ ଚତୁର୍ବେଦୀ କହିଛନ୍ତି ଯେ, ତୈଳ କମ୍ପାନୀଗୁଡ଼ିକର କ୍ଷତି କମାଇବାକୁ ଏବଂ ଗ୍ରାହକଙ୍କ ପାଇଁ ମୂଲ୍ୟ ବୃଦ୍ଧି ଏଡାଇବା ପାଇଁ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି।

ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ, ଅଶୋଧିତ ତେଲର କୌଣସି ଅଭାବ ନାହିଁ। ଆଗାମୀ ଦୁଇ ମାସ ପାଇଁ ଯୋଗାଣ ସୁରକ୍ଷିତ କରାଯାଇଛି। ଏଲପିଜି ଏବଂ ପିଏନଜିର ପରିସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଛି। ସେ କହିଛନ୍ତି ଯେ, ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଅଛି । ପ୍ରତିଦିନ ଗ୍ରାହକମାନଙ୍କୁ ୧୦ ହଜାର ରୁ ଅଧିକ ସଂଯୋଗ ଦିଆଯାଉଛି। ଏପ୍ରିଲ ୨୦୨୨ ପରଠାରୁ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇନାହିଁ । ତେଲ ଦର ସମୟ ସମୟରେ ହ୍ରାସ ପାଇଛି କିମ୍ବା ସ୍ଥିର ରହିଛି। ଗୁଜବ ଏବଂ କଳାବଜାରୀ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଦୟାକରି ପେଟ୍ରୋଲ ପମ୍ପରେ ଭିଡ଼ ଏଡ଼ାଇବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ସୁଜାତା ଶର୍ମା।

Also Read: KBCରେ ଜିତିଥିଲେ ଏତେ, କିନ୍ତୁ ଖାଇଗଲେ ରିଲିଫ୍ ପାଣ୍ଠି ଟଙ୍କା : ମହିଳା ତହସିଲଦାରଙ୍କୁ ବାନ୍ଧିଲା ପୋଲିସ

ସୁଜାତା ଶର୍ମା, ଯୁଗ୍ମ ସଚିବ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ-

-ଆମେ ଏବେ ବି ଯୁଦ୍ଧ ସ୍ଥିତିରେ ଅଛୁ।-ଆମର ଅଶୋଧିତ ତେଲ, LPG ଏବଂ LNG ଯୋଗାଣ ପ୍ରଭାବିତ ହୋଇଛି ।-ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ଅଛି।-ଆଗାମୀ ୨ ମାସ ପାଇଁ ଯୋଗାଣ ବ୍ୟବସ୍ଥା ସ୍ଥିର କରାଯାଇଛି ।-ଏଲପିଜି ଏବଂ ଏଲଏନଜି ସ୍ଥିତି ସ୍ୱାଭାବିକ ଅଛି।-ତୈଳ ବିଶୋଧନାଗାରଗୁଡ଼ିକ ୧୦୦%ରୁ ଅଧିକ କ୍ଷମତାରେ କାର୍ଯ୍ୟ କରୁଛି।-ଗତ କିଛି ସପ୍ତାହ ମଧ୍ୟରେ ବାଣିଜ୍ୟିକ ଯୋଗାଣ ପୁନରୁଦ୍ଧାର କରାଯାଇଛି।-ଆଜି ବାଣିଜ୍ୟିକ ଯୋଗାଣ ୭୦% କୁ ପୁନଃସ୍ଥାପିତ ହୋଇଛି।

ଉତ୍ପାଦ ଶୁଳ୍କ ହ୍ରାସ

ଏହାପୂର୍ବରୁ ଆଜି (ଶୁକ୍ରବାର) ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୩ ଟଙ୍କାରୁ ୩ ଟଙ୍କାକୁ ହ୍ରାସ କରାଯାଇଛି। ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଶୂନ୍ୟ କରାଯାଇଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ, ସାଧାରଣ ଲୋକଙ୍କୁ ଫାଇଦା ମିଳିବ କି ? ଲୋକଙ୍କୁ କମ୍ ଦାମରେ ପେଟ୍ରୋଲ୍ ଏବଂ ଡିଜେଲ୍ ମିଳିପାରିବ କି ? ଏସବୁ ପ୍ରଶ୍ନର ଉତ୍ତର ହେଉଛି, ଏପର୍ଯ୍ୟନ୍ତ କେବଳ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ତେଲ କମ୍ପାନୀଗୁଡ଼ିକର ନିଷ୍ପତ୍ତି ଉପରେ ନିର୍ଭର କରିବ।