ନୂଆଦିଲ୍ଲୀ: ପାନ ମସଲାର ପ୍ୟାକେଜିଂକୁ ନେଇ ବଡ଼ ପରିବର୍ତ୍ତନ ଆଣିଛି ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ (FSSAI)। ପାନ ମସଲା ପ୍ୟାକେଜିଂରେ କେଉଁ ସାମଗ୍ରୀ ବ୍ୟବହାର ହୋଇପାରିବ, ସେନେଇ ନୂଆ ନିୟମ ଜାରି କରାଯାଇଛି। ଏହି ନୂଆ ନିୟମରେ ପ୍ଲାଷ୍ଟିକ୍, ଆଲୁମିନିୟମ୍ ଫଏଲ୍ ଏବଂ ମେଟାଲାଇଜ୍ଡ୍ ଲେୟର୍ ବ୍ୟବହାରକୁ ଅନୁମତି ଦିଆଯାଇନାହିଁ।

ସୋମବାର, ଅଗଷ୍ଟ ୧୦ରେ ଭାରତ ସରକାରଙ୍କ ଗେଜେଟ୍‌ରେ ଖାଦ୍ୟ ସୁରକ୍ଷା ଏବଂ ମାନଦଣ୍ଡ (ପ୍ୟାକେଜିଂ) ସଂଶୋଧନ ନିୟମାବଳୀ, ୨୦୨୬ଜରିଆରେ ଏହି ପରିବର୍ତ୍ତନ କରାଯାଇଛି।

ପାନ ମସଲା ପ୍ୟାକେଜିଂ ପାଇଁ କ’ଣ ବ୍ୟବହାର କରିହେବ?

FSSAI ପକ୍ଷରୁ ଜାରି ନୂଆ ନିୟମରେ ପାନ ମସଲାକୁ ପ୍ୟାକ୍ କରିବା ପାଇଁ କାଗଜ, ପେପରବୋର୍ଡ, ସେଲୁଲୋଜ୍ କିମ୍ବା ଅନ୍ୟ ପ୍ରାକୃତିକ ଉତ୍ସରୁ ମିଳୁଥିବା ସାମଗ୍ରୀ ବ୍ୟବହାର କରାଯାଇପାରିବ। କିନ୍ତୁ ଏହି ସାମଗ୍ରୀଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍ମୁକ୍ତ ହୋଇଥିବା ଆବଶ୍ୟକ। ଅର୍ଥାତ୍, କାଗଜ କିମ୍ବା ପେପରବୋର୍ଡ ନାମରେ ଏଭଳି ପ୍ୟାକେଜିଂ ବ୍ୟବହାର କରିହେବ ନାହିଁ, ଯାହାର ଭିତରେ ପ୍ଲାଷ୍ଟିକର କୌଣସି ସ୍ତର ରହିଛି।

କେଉଁ ପ୍ଲାଷ୍ଟିକ୍ ସାମଗ୍ରୀ ଉପରେ କଟକଣା?

ନୂଆ ନିୟମରେ ପ୍ୟାକେଜିଂରେ ପଲିଥିନ୍, ପଲିପ୍ରୋପିଲିନ୍, ପଲିଷ୍ଟର୍, ପଲିଭିନାଇଲ୍ କ୍ଲୋରାଇଡ୍ (PVC) ସମେତ ଅନ୍ୟ କୌଣସି ସିନ୍ଥେଟିକ୍ ପଲିମର୍, କୋ-ପଲିମର୍ କିମ୍ବା ଲାମିନେଟ୍ ବ୍ୟବହାର ହୋଇପାରିବ ନାହିଁ। ଏହି କଟକଣା କେବଳ ବାହାର ପ୍ୟାକେଟ୍ରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନେଇ ନୁହେଁ। ପ୍ୟାକେଜିଂର ଭିତରେ ମଧ୍ୟ ଯଦି ପ୍ଲାଷ୍ଟିକ୍ ଲେୟର୍ ରହିଥାଏ, ତେବେ ତାହା ନୂଆ ନିୟମ ଅନୁଯାୟୀ ଗ୍ରହଣୀୟ ହେବ ନାହିଁ।

ଆଲୁମିନିୟମ୍ ଫଏଲ୍ ଓ ମେଟାଲାଇଜ୍ଡ୍ ଲେୟର୍ ମଧ୍ୟ ମନା

FSSAIର ନୂଆ ନିୟମରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଟକଣା ରହିଛି। ପାନ ମସଲା ପ୍ୟାକେଜିଂରେ କାଗଜ କିମ୍ବା ପ୍ରାକୃତିକ ଉତ୍ସର ସାମଗ୍ରୀ ବ୍ୟବହାର ହେଲେ ମଧ୍ୟ ସେଥିରେ ଆଲୁମିନିୟମ୍ ଫଏଲ୍ କିମ୍ବା ମେଟାଲାଇଜ୍ଡ୍ ଲେୟର୍ ରହିପାରିବ ନାହିଁ। ଅର୍ଥାତ୍, ବାହାରୁ କାଗଜର ପ୍ୟାକେଟ୍ ଭଳି ଦେଖାଯାଉଥିଲେ ମଧ୍ୟ ଯଦି ଏହାର ଭିତରେ ପ୍ଲାଷ୍ଟିକ୍ କିମ୍ବା ମେଟାଲାଇଜ୍ଡ୍ ଲେୟର୍ ରହିଥାଏ, ତେବେ ଏହା ନୂଆ ମାନଦଣ୍ଡ ପୂରଣ କରିବ ନାହିଁ।

ଟିନ୍ ଓ କାଚ ପାତ୍ରକୁ ମିଳିଲା ଅନୁମତି

ପାନ ମସଲା ଉତ୍ପାଦକଙ୍କ ପାଇଁ FSSAI ଟିନ୍ ଏବଂ କାଚ ପାତ୍ର ବ୍ୟବହାରକୁ ମଧ୍ୟ ଅନୁମତି ଦେଇଛି। ନୂଆ ନିୟମରେ ଏଗୁଡ଼ିକୁ ପାନ ମସଲା ପ୍ୟାକେଜିଂ ପାଇଁ ଅନୁମତିପ୍ରାପ୍ତ ବିକଳ୍ପ ଭାବେ ପୃଥକ ଭାବେ ଉଲ୍ଲେଖ କରାଯାଇଛି।

ନୂଆ ନିୟମରେ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ନିୟମ ମଧ୍ୟ ଲାଗୁ ହେବ। ନୂଆ ପ୍ୟାକେଜିଂ ନିୟମରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ର କିଛି ବ୍ୟବସ୍ଥା ମଧ୍ୟ ପାନ ମସଲା ପ୍ୟାକେଜିଂ କ୍ଷେତ୍ରରେ ଲାଗୁ ହେବ ବୋଲି କୁହାଯାଇଛି। ଏହି ନିୟମଗୁଡ଼ିକ ପରିବେଶ (ସୁରକ୍ଷା) ଆଇନ, ୧୯୮୬ ଅଧୀନରେ ପ୍ରସ୍ତୁତ କରାଯାଇଛି।

ଏପ୍ରିଲରେ ଆସିଥିଲା ଡ୍ରାଫ୍ଟ, ୬୦ ଦିନ ନିଆଯାଇଥିଲା ମତାମତ

FSSAI ପ୍ରଥମେ ୨୮ ଏପ୍ରିଲ ୨୮ ୨୦୨୬ରେ ଖାଦ୍ୟ ସୁରକ୍ଷା ଏବଂ ମାନଦଣ୍ଡ (ପ୍ୟାକେଜିଂ) ସଂଶୋଧନ ନିୟମାବଳୀ, ୨୦୨୬ର ଡ୍ରାଫ୍ଟ ପ୍ରକାଶ କରିଥିଲା। ଏହା ଉପରେ ଲୋକଙ୍କଠାରୁ ଆପତ୍ତି ଓ ପରାମର୍ଶ ମଗାଯାଇଥିଲା। ପ୍ରସ୍ତାବିତ ନିୟମ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଲୋକ ଏବଂ ସଂସ୍ଥାଙ୍କୁ ୬୦ ଦିନ ମଧ୍ୟରେ ନିଜର ମତାମତ ଦେବାର ସୁଯୋଗ ମିଳିଥିଲା। FSSAI କହିଛି ଯେ, ଡ୍ରାଫ୍ଟ ଉପରେ ମିଳିଥିବା ଆପତ୍ତି ଓ ପରାମର୍ଶଗୁଡ଼ିକୁ ବିଚାର କରିବା ପରେ ଚୂଡ଼ାନ୍ତ ସଂଶୋଧନ ଜାରି କରାଯାଇଛି।

ନୂଆ ନିୟମ କେବେଠାରୁ ଲାଗୁ?

ଗେଜେଟ୍ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇବା ଦିନଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି। ଅର୍ଥାତ୍, ଅଗଷ୍ଟ ୧୦ରେ ଚୂଡ଼ାନ୍ତ ଅଧିସୂଚନା ପ୍ରକାଶ ପରେ ଏହା ଖାଦ୍ୟ ସୁରକ୍ଷା ଏବଂ ମାନକ (ପ୍ୟାକେଜିଂ) ନିୟମାବଳୀ ୨୦୧୮ର ସଂଶୋଧିତ ଅଂଶ ଭାବେ ଲାଗୁ ହୋଇଛି। ଏହି ସଂଶୋଧନ FSSAIକୁ ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ, ୨୦୦୬ ଅଧୀନରେ ମିଳିଥିବା କ୍ଷମତା ଅନୁଯାୟୀ ଏବଂ କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମୋଦନ ପରେ ଜାରି କରାଯାଇଛି।

ପାନ ମସଲା ବ୍ୟାନ୍ ହୋଇନାହିଁ

ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, FSSAIର ଏହି ନୂଆ ନିୟମ ପାନ ମସଲା ଉତ୍ପାଦକୁ ବ୍ୟାନ୍ କରୁନାହିଁ। ଏହା ଏକ ପ୍ୟାକେଜିଂ ସମ୍ପର୍କିତ ନିୟମ। ଅର୍ଥାତ୍, ପାନ ମସଲା ପ୍ୟାକ୍ କରିବା ସମୟରେ କେଉଁ ପ୍ରକାରର ସାମଗ୍ରୀ ବ୍ୟବହାର କରାଯାଇପାରିବ, ସେଥିପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି।

ନୂଆ ନିୟମ ଅନୁଯାୟୀ, କାଗଜ, ପେପରବୋର୍ଡ, ସେଲୁଲୋଜ୍ କିମ୍ବା ଅନ୍ୟ ପ୍ରାକୃତିକ ଉତ୍ସର ସାମଗ୍ରୀ ବ୍ୟବହାର କଲେ ସେଥିରେ ପ୍ଲାଷ୍ଟିକ୍, ସିନ୍ଥେଟିକ୍ ପଲିମର୍, କୋ-ପଲିମର୍ କିମ୍ବା ଲାମିନେଟ୍ ରହିବ ନାହିଁ। ଏହା ସହିତ ଆଲୁମିନିୟମ୍ ଫଏଲ୍ ଏବଂ ମେଟାଲାଇଜ୍ଡ୍ ଲେୟର୍ ମଧ୍ୟ ବ୍ୟବହାର କରାଯାଇପାରିବ ନାହିଁ। ଏହି ପରିବର୍ତ୍ତନ ମାଧ୍ୟମରେ FSSAI ପାନ ମସଲାର ପ୍ୟାକେଜିଂକୁ ପ୍ଲାଷ୍ଟିକ୍ ଆଧାରିତ ସାମଗ୍ରୀରୁ ଦୂରେଇ ଅଧିକ ନିର୍ଦ୍ଦିଷ୍ଟ ଓ ପ୍ଲାଷ୍ଟିକ୍ମୁକ୍ତ ପ୍ୟାକେଜିଂ ଦିଗରେ ନେବାକୁ ଚାହୁଁଛି।