କଣାସ: ପୁରୀ କଣାସ ଗୋଲା ବଜାର ସ୍ଥିତ ମାଛ ମାର୍କେଟରେ ଶନିବାର ଯୁବକଙ୍କୁ ମାଛକଟା ପାନିକିରେ ହାଣି ବୁଲେଟ ଚଢ଼ାଇଦେବା ଘଟଣାରେ ୪ ଅଭିଯୁକ୍ତ ଗିରଫ। ସୋମବାର ଏନେଇ ପୁରୀ ଏସପି ପ୍ରେସମିଟରେ ସୂଚନା ଦେଇଛନ୍ତି। ଏହି ମାମଲାରେ ୭ ଜଣଙ୍କ ନାମରେ ଥାନାରେ ଅଭିଯୋଗ ହେଇଥିବା ବେଳେ ୪ ଜଣକୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ସତ୍ୟବାଦୀ ଥାନାକୁ ନିଆଯାଇଛି।

ସୋମବାର ଅପରାହ୍ଣରେ ସାଢ଼େ ଚାରିଟାରେ ସତ୍ୟବାଦୀ ଥାନା କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ଖୁଲାସା କରିଛନ୍ତି ଏସପି ପ୍ରତୀକ ସିଂହ। ସେ କହିଛନ୍ତି ପୋଲିସ ଧର୍ମପଦ ବଡ଼ଜେନା, ଚନ୍ଦ୍ରକାନ୍ତ ଜେନା, ଚିନ୍ମୟ ଗଜେନ୍ଦ୍ରଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଅଜୟ ବଳିଆରସିଂହ ମଧ୍ୟ ଗିରଫ ହେଇଛି। ପୋଲିସ ଅଜୟକୁ କଣାସ ଥାନାରେ ରଖିଛି। ଏଘଟଣାରେ ମୋଟ ୪ ଜଣ ଗିରଫ ହୋଇଛନ୍ତି।

ପୋଲିସ ଏବେବି ମାଷ୍ଟରମାଇଣ୍ଡ ହାପିକୁ ଖୋଜୁଛି। ହାପି ଫେରାର ଥିବାରୁ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଚଢ଼ାଉ ଜାରି ରଖିଛି। ଏହି ଘଟଣାରେ ୭ ଜଣଙ୍କ ସଂପୃକ୍ତି ରହିଥିବା ବେଳେ ସେମାନଙ୍କୁ ଫେରାର ହେବାରେ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ପୋଲିସ ଖୋଜୁଛି।

Also Read: ପୋଖରୀରେ ଗାଧୋଉଥିଲେ ୨ ଭଉଣୀ, ପାଣିରେ ବୁଡ଼ିଯାଇ ଚାଲିଗଲା ଜୀବନ

ଅନ୍ୟପଟେ ଆକ୍ରମଣ ଘଟଣାରେ ବ୍ୟବହୃତ ମାଛ କଟା ପନିକି ଓ ଦୁଇଟି ମୋବାଇଲକୁ ପୋଲିସ ଜବତ କରିଛି। ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ସେପଟେ ଆକ୍ରମଣ ଘଟଣାରେ ପୋଲିସ ଅବହେଳା ପାଇଁ ଏସପି, ଏଏସଆଇ ଜୁମାର କୁମାର ବିଶ୍ବାଳ, ସଞ୍ଜୟ କୁମାର ପାଟ୍ଟଶାଣୀ ଓ ସନ୍ତୋଷ କୁମାର ଉଦୟ ସିଂହଙ୍କୁ ବଦଳି କରିଛନ୍ତି। ଆହୁରି ମଧ୍ୟ ଘଟଣାରେ ଅଧିକ ତଦନ୍ତ ପାଇଁ ସାଇବର ସେଲର ସହଯୋଗ ନିଆଯାଇଛି। ୪ଟି ଟିମ୍ ଗଠନ ହେବା ସହ ଜଣେ DSP ରାଙ୍କର ଅଧିକାରୀଙ୍କୁ ଅଧିକ ତଦନ୍ତ ପାଇଁ ଦାୟିତ୍ବ ଦିଆଯାଇଛି। ଅଭିଯୁକ୍ତଙ୍କ ବାଇକ୍ ଓ ଅନ୍ୟ ସାମଗ୍ରୀ ଖୋଜୁଛି ପୋଲିସ।