ଭୁବନେଶ୍ୱର ୧୯।୦୪ ଦେଶର ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍ ଇନ୍ ଫୋଭ୍ୟାଲିରେ ହେବ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପରେ ପ୍ରାୟ ୧୯ଶହ ୪୪ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବାର ଲକ୍ଷ୍ୟ ରହିଛି । ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସ୍ବାସ୍ଥ୍ୟମନ୍ତ୍ରୀ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ରହିବେ ।

ତେବେ ଏହି ପ୍ରକଳ୍ପରୁ ବର୍ଷକୁ ୭୦ ହଜାର ପ୍ୟାନେଲ ଓ ୧୩ ହଜାର ୩୦୦ ଥ୍ରୀଡି ମଡ୍ୟୁଲ ଉତ୍ପାଦନ ଲକ୍ଷ୍ୟ ରହିଛି । ଏହା ଗ୍ଲାସ ସବ୍ ଷ୍ଟ୍ରେଟ୍ ଆଧାରିତ ସେମିକଣ୍ଡକ୍ଟର ପ୍ୟାକେଜିଂ ଟେକ୍ନୋଲୋଜି । ଏଭଳି ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁୂନିଟ୍ ଦେଶରେ ପ୍ରଥମ ହେବ। ଏଠାରୁ ଯେଉଁ ଚିପ୍ ଉତ୍ପାଦନ ହେବ ତାକୁ ଏରୋସ୍ପେସ୍, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧି ମତ୍ତା, ୫-ଜି ଟେକ୍ନୋଲୋଜି ଓ ଡାଟା ସେଣ୍ଟରରେ ବ୍ୟବହାର କରାଯିବ । ଏହି ଶିଳ୍ପ ଦ୍ଵାରା ପ୍ରାୟ ୨୫ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।