ନୂଆଦିଲ୍ଲୀ : ବୟସ କେବଳ ଏକ ସଂଖ୍ୟା। ମନରେ ଦୃଢ଼ ଇଚ୍ଛାଶକ୍ତି ଓ କିଛି କରି ଦେଖାଇବାର ଆଗ୍ରହ ଥିଲେ ବୟସ କେବେ ବି ବାଧକ ସାଜେନି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଆମେରିକାର ୯୧ ବର୍ଷୀୟା ଫ୍ଲୋରେନ୍ସ ମାଇଲର। ଯେଉଁ ବୟସରେ ଲୋକେ ଘରେ ବିଶ୍ରାମ ନେବା କଥା, ସେହି ବୟସରେ ସେ ଖେଳ ପଡ଼ିଆରେ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି। ୬୦ ବର୍ଷ ବୟସରେ ଆଥଲେଟିକ୍ସ ଦୁନିଆରେ ପାଦ ଦେଇଥିବା ଫ୍ଲୋରେନ୍ସ ଏବେ ୬ଟି ବିଶ୍ୱ ରେକର୍ଡର ଅଧିକାରୀ। ତାଙ୍କର ଏହି ସଫଳତା ଆଜି ଯୁବପିଢ଼ିଙ୍କ ପାଇଁ ପାଲଟିଛି ଏକ ବଡ଼ ପ୍ରେରଣା ।

ଆମେରିକାର ଭର୍ମଣ୍ଟରେ ରହୁଥିବା ଫ୍ଲୋରେନ୍ସ ମାଇଲରଙ୍କ କାହାଣୀ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା। ସାଧାରଣତଃ ୬୦ ବର୍ଷ ବୟସ ପରେ ଅଧିକାଂଶ ଲୋକ କଣ କରନ୍ତି। ଚାକିରି ଓ ଦୈନନ୍ଦିନ କାମରୁ ଅବସର ନେଇ ପରିବାର ସହ ସମୟ ବିତାଇବାକୁ ଚାହାନ୍ତି। କିନ୍ତୁ ଫ୍ଲୋରେନ୍ସ ଏହି ବୟସରେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ। ଆଥଲେଟିକ୍ସ ପ୍ରତି ତାଙ୍କର ଆଗରୁ ସେମିତି କୌଣସି ଆଗ୍ରହ କିମ୍ବା ଯୋଜନା ନଥିଲା। ହେଲେ ଜଣେ ବନ୍ଧୁଙ୍କ ପ୍ରେରଣା ତାଙ୍କ ଜୀବନର ଦିଗ ବଦଳାଇ ଦେଇଥିଲା।

ଫ୍ଲୋରେନ୍ସଙ୍କୁ ୬୦ ବର୍ଷ ହୋଇଥିବା ବେଳେ ତାଙ୍କ ବନ୍ଧୁ ବାର୍ବରା ଜୋର୍ଡାନ ତାଙ୍କୁ ଭର୍ମଣ୍ଟ ସିନିୟର ଗେମ୍ସରେ ଲଙ୍ଗଜମ୍ପ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରସ୍ତାବ ଦେଇଥିଲେ। ପ୍ରଥମେ ଏହା ଏକ ସାଧାରଣ ଖେଳ ପ୍ରତିଯୋଗିତା ଭଳି ଲାଗୁଥିଲା। ହେଲେ ପରବର୍ତ୍ତୀ ସମୟରେ ଏହା ଫ୍ଲୋରେନ୍ସଙ୍କ ଜୀବନର ଲକ୍ଷ୍ୟ ପାଲଟିଗଲା। ଦୁହେଁ ଏକାଠି ଅଭ୍ୟାସ ଆରମ୍ଭ କରିଥିଲେ। ପ୍ରାୟ ୨୦ବର୍ଷ ଧରି ସେମାନେ ନିୟମିତ ଅଭ୍ୟାସ କରିବା ସହ ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭାଗ ନେଉଥିଲେ। ଅଭ୍ୟାସ ସମୟରେ ଦୁହେଁ ପରସ୍ପରକୁ ଉତ୍ସାହିତ କରୁଥିଲେ। ବୟସ ବଢ଼ୁଥିଲେ ମଧ୍ୟ ସେମାନଙ୍କ ଉତ୍ସାହ କେବେ କମିନଥିଲା। କିନ୍ତୁ ହଠାତ୍ ଆସିଲା ଏକ ଦୁଃଖଦ ଖବର। ବାର୍ବରା କର୍କଟ ରୋଗରେ ପୀଡ଼ିତ ହୋଇଥିଲେ। ଦୀର୍ଘ ୫ବର୍ଷ ଧରି ରୋଗ ସହ ସଂଘର୍ଷ କରିବା ପରେ ୨୦୨୦ରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ବନ୍ଧୁଙ୍କୁ ହରାଇବା ପରେ ଫ୍ଲୋରେନ୍ସ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ତଥାପି ସେ ଖେଳ ପଡ଼ିଆଠାରୁ ନିଜକୁ ଦୂରେଇ ରଖି ନ ଥିଲେ। ବରଂ ବାର୍ବରାଙ୍କ ସ୍ମୃତିକୁ ନିଜର ଶକ୍ତି କରି ଆଗକୁ ବଢ଼ିଥିଲେ।

ଫ୍ଲୋରେନ୍ସ ମାଇଲରଙ୍କ ସବୁଠାରୁ ବଡ଼ ସଫଳତା ହେଉଛି ତାଙ୍କର ୬ଟି ବିଶ୍ୱ ରେକର୍ଡ। ୱାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସର ୯୦ରୁ ୯୪ ବର୍ଷ ବୟସ ବର୍ଗରେ ସେ ଏହି ସଫଳତା ହାସଲ କରିଛନ୍ତି। ଏଥିରେ ୨୦୦୦ ମିଟର ଷ୍ଟିପଲଚେଜ୍, ୮୦ ମିଟର ହର୍ଡଲ୍ସ, ପୋଲ୍ ଭଲ୍ଟ, ହାଇଜମ୍ପ, ଟ୍ରିପଲ୍ ଜମ୍ପ ଓ ପେଣ୍ଟାଥଲନ୍ ଭଳି କଠିନ ପ୍ରତିଯୋଗିତା ସାମିଲ ରହିଛି। ଏହି ସବୁ ଖେଳରେ ଦକ୍ଷତା ହାସଲ କରିବା ପାଇଁ ନିୟମିତ ଅଭ୍ୟାସ, ଶାରୀରିକ ସକ୍ଷମତା ଓ ମାନସିକ ଦୃଢ଼ତା ଆବଶ୍ୟକ। ହେଲେ ୯୧ ବର୍ଷ ବୟସରେ ଫ୍ଲୋରେନ୍ସ ଯେଉଁଭଳି ଭାବେ ଏହି ସବୁ ଇଭେଣ୍ଟରେ ନିଜର ଦକ୍ଷତା ଦେଖାଇଛନ୍ତି, ତାହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ। ତାଙ୍କର ଏହି ସଫଳତା ପ୍ରମାଣ କରୁଛି ଯେ, କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ବୟସ କେବେ ବି ପ୍ରତିବନ୍ଧକ ନୁହେଁ।

Also Read- ରକେଟ୍ ବେଗରେ ଉଠିଲା ସେୟାର ମାର୍କେଟ୍, ସେନସେକ୍ସ-ନିଫ୍ଟି ଉପରମୁହାଁ

ଫ୍ଲୋରେନ୍ସଙ୍କ ଜୀବନର ମୂଳମନ୍ତ୍ର ହେଉଛି 'ନେଭର ଟୁ ଲେଟ୍'। ଅର୍ଥାତ୍ ଜୀବନରେ କିଛି ନୂଆ କରିବା ପାଇଁ କେବେ ବି ବିଳମ୍ବ ହୋଇନଥାଏ। ତାଙ୍କ ମତରେ, ମଣିଷର ମନରେ ଯଦି କିଛି କରିବାର ଦୃଢ଼ ଇଚ୍ଛା ରହିଛି, ତେବେ ବୟସ କେବେ ବି ତାକୁ ଅଟକାଇ ପାରେନାହିଁ। ଜୀବନର ଯେକୌଣସି ପର୍ଯ୍ୟାୟରେ ନୂଆ ଲକ୍ଷ୍ୟ ସ୍ଥିର କରି ତାହାକୁ ହାସଲ କରିବାର ପ୍ରୟାସ କରାଯାଇପାରିବ। ଫ୍ଲୋରେନ୍ସ ମାଇଲରଙ୍କ ଏହି କାହାଣୀ କେବଳ କ୍ରୀଡ଼ା ଜଗତର ଏକ ସଫଳତା ନୁହେଁ, ବରଂ ଜୀବନରେ ହାର ନମାନିବାର ଏକ ବଡ଼ ଉଦାହରଣ। ୬୦ ବର୍ଷ ବୟସରେ ଆରମ୍ଭ ହୋଇଥିବା ତାଙ୍କର ଏହି ଯାତ୍ରା ୯୧ ବର୍ଷରେ ବି ଜାରି ରହିଛି। ତାଙ୍କ କାହାଣୀ ଆମକୁ ଶିଖାଏ, ସ୍ୱପ୍ନ ଦେଖିବା କିମ୍ବା ନୂଆ କିଛି ଆରମ୍ଭ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ।