ଯାଜପୁର: ସରିଥିଲା ବାହାଘର ପ୍ରସ୍ତୁତି। ଦିଆସରିଥିଲା ବରାଦି। ବର ପକ୍ଷ କନ୍ୟା ପକ୍ଷ ବି ବାହାଘର ପାଇଁ ଥିଲେ ପୂରା ପ୍ରସ୍ତୁତ। ହେଲେ ଘୋଟିଆସିଲା ଲଘୁଚାପ ବର୍ଷା। ଲଗାଣା ବର୍ଷା ଆଉ ତା’ ପରେ ବନ୍ୟା ପରସ୍ଥିତି ପକାଇଦେଲା ଚିନ୍ତାରେ। କେମିତି ହେବ ବାହାଘର ? କେମିତି ଯିବେ ବରଯାତ୍ରୀ... କେମିତି ଆସିବ କନ୍ୟା... ରାସ୍ତା ଘାଟ ତ’ ସବୁ ପାଣି ପାଣି... ହେଲେ ଏସବୁ ସତ୍ତ୍ବେ ବି ହୋଇଥିଲା ବାହାଘର... ଏକ ନିଆରା ଉପାୟରେ ଝିଅ ଆସିଥିଲା ଶାଶୁଘରକୁ... ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁରରେ।

ସାରା ରାଜ୍ୟରେ ବର୍ଷା ଆଉ ବନ୍ୟା ବିଭୀଷିକା। ଯେଉଁଥିରେ ଅନେକ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ, ଏଥିରେ ବାଦ୍ ପଡ଼ିନି ଯାଜପୁର ଜିଲ୍ଲା। ତେବେ ଏହି ବନ୍ୟା ପରିସ୍ଥିତି ମଧ୍ୟରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ। ଓଡ୍ରାଫ୍ ବୋଟ୍ ଯାଇ ବିବାହ କରିଛନ୍ତି ବର । ବନ୍ୟା ଯୋଗୁ ରାସ୍ତାଘାଟ ବନ୍ଦ ହୋଇଯାଇଥିବାରୁ ବରଯାତ୍ରୀ ଯାଇଥିଲା ବୋଟରେ। ଆଉ ବିବାହ ପରେ କନିଆକୁ ମଧ୍ୟ ବୋଟରେ ସାଙ୍ଗରେ ଆଣି ଆସିଥିଲେ।

ମିଳିଥିବା ସୂଚନା ଅନୁସାରେ, ଯାଜପୁର ବ୍ଳକ୍ ସିମିଳିଆ ପଞ୍ଚାୟତର ବୈତରଣୀର ଶାଖା ବୁଢ଼ା ନଦୀରେ ବନ୍ୟା ଯୋଗୁ ସିମିଳିଆ- ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଛି। ସିମିଳିଆ ପଞ୍ଚାୟତ ମଇଦ ଗ୍ରାମର କୃଷ୍ଣଚନ୍ଦ୍ର ପାଢ଼ୀଙ୍କ କନିଷ୍ଠ ପୁତ୍ର ମିଞ୍ଜନ ପାଢ଼ୀଙ୍କର ଶୁକ୍ରବାର ଥିଲା ବିବାହ। କିନ୍ତୁ ବନ୍ୟାରେ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିବାରୁ ବିବାହ ବାତିଲ୍ କରିବେ କି ନାହିଁ ସେନେଇ ଉଭୟ ପରିବାର ଦ୍ବନ୍ଦ୍ବରେ ଥିଲେ। କିନ୍ତୁ ପୂର୍ବରୁ ସ୍ଥିର ହୋଇଥିବା ବିବାହକୁ ଶୁଭ ମୁହୂର୍ଭରେ ସମ୍ପନ୍ନ କରିବା ପାଇଁ ପ୍ରଶାସନର ସହଯୋଗ ଲୋଡ଼ାଯାଇଥିଲା।

Also Read: ବନ୍ୟା ଡ଼ର ମଧ୍ୟରେ ଆସିଲା ଆଶ୍ୱସ୍ତିକର ଖବର, ମୁଣ୍ଡଳୀ ଠାରେ କମୁଛି ଜଳସ୍ତର, ତଥାପି ଟଳିବନି ବିପଦ

ଖବର ପାଇ ଓଡ୍ରାଫ୍ ଟିମ୍ ବର ଘରେ ପହଞ୍ଚିଥିଲା । ଡଙ୍ଗାରେ ବସି ବିବାହ ପାଇଁ ବାହାରିଥିଲେ। ଆଉ ବିବାହ ସାରି ଘରକୁ ଫେରିଥିଲେ ବର କନ୍ୟା। ସୁରକ୍ଷାକୁ ପ୍ରାଥମିକତା ଦେଇ ବର ଓ ବରଯାତ୍ରୀଙ୍କୁ ଡଙ୍ଗାରେ ବସାଇ ବନ୍ୟାଜଳ ଅତିକ୍ରମ କରାଯାଇଥିଲା। ବର, ପରିବାର ସଦସ୍ୟ ଏବଂ ବରଯାତ୍ରୀଙ୍କୁ ବୋଟରେ ସୁରକ୍ଷିତ ଭାବେ ବସାଇ ସିମିଳିଆ ମୁଖ୍ୟ ରାସ୍ତା ପାର୍ଶ୍ଵକୁ ଆଣି ସେମାନେ ଛାଡ଼ିଥିଲେ। ସେଠାରୁ ବର ଗାଡ଼ି ଯୋଗେ ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମକୁ ବିବାହ ପାଇଁ ଯାଇଥିଲେ ବିବାହ ସାରି ପୁଣି ଘରକୁ ଫେରିଥିଲେ ବର୍ କନ୍ୟା । ପରିସ୍ଥିତିରେ ପଡ଼ି ଏମିତି ବାହାଘର ହୋଇଥିଲେ ବି ଏହି ନିଆରା ବାହାଘର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।