ନୂଆଦିଲ୍ଲୀ ୦୫।୦୯: ଜୀବନର ସବୁଠାରୁ ସ୍ମରଣୀୟ ଦିନକୁ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଅତି ସ୍ୱତନ୍ତ୍ର କରିବାକୁ କିଏ ବା ନ ଚାହେଁ? କିନ୍ତୁ ପ୍ରକୃତିର କରାଳ ରୂପ ଓ ଭୟଙ୍କର ବନ୍ୟା ବିପତ୍ତି ମଧ୍ୟରେ ଯେ କେହି ବିବାହ ପରି ଏକ ବଡ଼ କାର୍ଯ୍ୟକୁ ସ୍ଥଗିତ ରଖିଦେବେ, ତାହାହିଁ ସ୍ୱାଭାବିକ। ମାତ୍ର ସବୁ ବାଧାବିଘ୍ନକୁ ଫୁ କରିଦେଇ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଏମିତି ଦମ୍ପତିଙ୍କ କାହାଣୀ, ଯାହାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ପ୍ରଶଂସା ମଧ୍ୟ କରୁଛନ୍ତି।

ଫିଲିପାଇନ୍ସରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାରିଆଡ଼େ କେବଳ ପାଣି ଆଉ ପାଣି। ଚର୍ଚ୍ଚ ଭିତରେ ମଧ୍ୟ ବନ୍ୟାଜଳ ଜମି ରହିଛି। ଏଭଳି ଭୟାବହ ପରିବେଶ ସତ୍ତ୍ବେ ଏହି ନବଦମ୍ପତି ନିଜର ପୂର୍ବ ନିର୍ଦ୍ଧାରିତ ବିବାହ ତାରିଖକୁ ବଦଳାଇବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ। ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, କନ୍ୟା ଜଣକ ନିଜର ମନୋରମ ବ୍ରାଇଡାଲ୍ ଡ୍ରେସ୍ (Bridal Dress) ପିନ୍ଧି ଅଣ୍ଟାଏ ଉଚ୍ଚର ବନ୍ୟାଜଳକୁ ଖାତିର ନ କରି ଚର୍ଚ୍ଚର ଆଡ଼କୁ ଆଗେଇ ଯାଉଛନ୍ତି। ଏହି ପବିତ୍ର ବନ୍ଧନକୁ ବାଧା ଦେଇ ପାରିଲାନି ପ୍ରାକୃତିକ ବିପର୍ଯ୍ୟୟ।

ବନ୍ୟାର ଏଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ହାର ନମାନି ନିଜ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନକୁ ଏପରି ଏକ ଅଭିନବ ଢ଼ଙ୍ଗରେ ସ୍ମରଣୀୟ କରିଥିବାରୁ ସୋସିଆଲ ମିଡିଆରେ ୟୁଜର୍ସମାନେ ଉଭୟ ବର ଓ କନ୍ୟାଙ୍କୁ ବେଶ ପ୍ରଶଂସା କରିବା ସହ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି।