ଭୁବନେଶ୍ବର ୨୯।୭: ବର୍ଷାରେ ବେହାଲ ଉତ୍ତର ଓଡ଼ିଶା । ଜଳକା ନଦୀରେ ବନ୍ୟା । ମଥାନୀଠାରେ ବିପଦ ସଂକେତ ଉପରେ ବହୁଛି ଜଳକା । ଯାଜପୁରରେ ବୈତରଣୀରେ ୬୦ ଫୁଟର ଘାଇ ସୃଷ୍ଟି ହୋଇଛି। ଯାଜପୁର ରାସ୍ତାରେ ୫ ଫୁଟର ପାଣି ଚାଲୁଛି। ଭଦ୍ରକ ଛତାବର ବଳିଘାଇରୁ ଯାଜପୁର ଟାଉନ ମୁଖ୍ୟ ରାସ୍ତା ଯାଏ ସୁଅ କାଟୁଛି ପାଣି ।

ଉଛୁଳୁଛି ସୁବର୍ଣ୍ଣରେଖା, ସାଳନ୍ଦୀ, ବୁଢାବଳଙ୍ଗ । ଚାରିଆଡ଼େ ଖାଲି ପାଣି ଆଉ ପାଣି। ଯୁଆଡ଼େ ଚାହିଁବେ ବନ୍ୟା। କେଉଁଠି ଜଳବନ୍ଦୀ ଗାଁ ଆଉ କେଉଁଠି ବନ୍ୟା ଆଁରେ ଦୁର୍ବିସହ ଜୀବନ । ଆନନ୍ଦପୁର ବୈତରଣୀ ରିଙ୍ଗ ବନ୍ଧ ବଡ଼ ଘାଇ ସୃଷ୍ଟ ହୋଇଛି । ରିଙ୍ଗ ବନ୍ଧ ଭାଙ୍ଗି ଘରେ ପଶିଛି ପାଣି । ସୋରରେ ବୁଡ଼ି ଯାଇଛି ତଳନଗର ଛୋଟା ମଠ ବ୍ରିଜ୍ । ଭଦ୍ରକ ହାଲ ବି ବେହାଲ । ବୁଡ଼ିଛି ଗେଙ୍ଗୁଟି ପୋଲ। ଧାମନଗରରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Also Read:- ମହାନଦୀ ଓ ଦୟାର ତଳି ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ, ବୈତରଣୀରେ ରହିଛି ବନ୍ୟା ସ୍ଥିତି

ବନ୍ୟାରେ ୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ ହୋଇଛି । ଏନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଜାରି କରାଯାଇଛି । ବାଲେଶ୍ବରର ୧୨, ଭଦ୍ରକର ୫, ଢେଙ୍କାନାଳର ୮ଟି ବ୍ଲକ ପ୍ରଭାବିତ ହୋଇଛି । ସେହିଭଳି, ଯାଜପୁରର ୩, ମୟୂରଭଞ୍ଜର ୧୩, ସମ୍ବଲପୁରର ୩ ବ୍ଲକ୍ ପ୍ରଭାବିତ ହୋଇଛି । ଏସବୁକୁ ମିଶାଇ ମୋଟ୍ ୨୩୩ ପଞ୍ଚାୟତର ୭୪୮ ଗାଁ ପ୍ରଭାବିତ ନେଇ ସୂଚନା ପ୍ରଦାନ କରାଯାଇଛି । ବନ୍ୟାରେ ୨ ଲକ୍ଷ ୩ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ପ୍ରଦାନ କରାଯାଇଛି । ବନ୍ୟା ପାଇଁ ପ୍ରାୟ ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।