ନୂଆଦିଲ୍ଲୀ: ଦେଶରେ ସାଇବର୍ ଠକେଇ ମାମଲା ଲଗାତାର ବଢିବାରେ ଲାଗିଛି । ଚଳିତ ବର୍ଷ ଜାନୁଆରୀ ୧ରୁ ଜୁନ୍ ୩୦ ମଧ୍ୟରେ ସାରା ଦେଶରେ ୧୨.୭୧ ଲକ୍ଷରୁ ଅଧିକ ସାଇବର ଫ୍ରଡ୍ ମାମଲା ରୁଜୁ ହୋଇଛି । ଏଥିରେ ପୀଡ଼ିତମାନେ ୧୦,୧୭୮ କୋଟି ଟଙ୍କାରୁ ଅଧିକ ଠକେଇ ନେଇ ଅଭିଯୋଗ କରିଛନ୍ତି । ରାଜ୍ୟୱାରୀ ଡାଟାରେ ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ମାମଲା ରୁଜୁ ହୋଇଛି । ସାଇବର ମହାରାଷ୍ଟ୍ରରେ ଠକେଇ ପରିମାଣ ସର୍ବାଧିକ .୬୬ କୋଟି ଟଙ୍କା ରହିଛି ।

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ଉତ୍ତର ପ୍ରଦେଶରେ ୧.୮୫ ଲକ୍ଷ ସାଇବର ଠକେଇ ଅଭିଯୋଗ ହୋଇଛି, ଯାହା ଦେଶରେ ସବୁଠାରୁ ଅଧିକ । ଏହା ପଛକୁ ମହାରାଷ୍ଟ୍ର (୧.୫୮ ଲକ୍ଷ), କର୍ଣ୍ଣାଟକ (୧.୨୧ ଲକ୍ଷ), ଗୁଜରାଟ (୯୭,୯୩୭) ଏବଂ ବିହାର (୯୩,୧୩୭) ରହିଛି ।

ରିପୋର୍ଟ ଅନୁସାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଆଲୋଚନା କରାଯାଇଥିଲା । ସାଇବର ଠକେଇ ସମ୍ବନ୍ଧୀୟ ତଥ୍ୟ ଏବଂ ଏହାକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଏହି ବୈଠକ ବସିଥିଲା ।

ସୂତ୍ର ଅନୁସାରେ, ଏହି ବୈଠକରେ ଅଧିକାରୀମାନେ ରାଜ୍ୟୱାରୀ ଆର୍ଥିକ ସାଇବର ଠକେଇ ତଥ୍ୟ ଉପରେ ଆଲୋଚନା କରିଥିଲେ । ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ୧ରୁ ଜୁନ ୩୦ ମଧ୍ୟରେ ୧୨.୭୧ ଲକ୍ଷରୁ ଅଧିକ ଅଭିଯୋଗ ପଞ୍ଜିକୃତ ହୋଇଛି । ଏଥିରେ ପ୍ରାୟ ୧୦,୧୭୮ କୋଟିରୁ ଅଧିକ ଟଙ୍କାର ଠକେଇ କାରବାର ହୋଇଥିବା ଅଭିଯୋଗ ହୋଇଛି ।

ସାରା ଦେଶରେ ସମସ୍ତ ପ୍ରକାଶ ଅନଲାଇନ୍ ଠକେଇ ବୃଦ୍ଧି ପାଇଛି । ଅନଲାଇନ୍ ନିବେଶ ଜାଲିଆତି, ଡିଜିଟାଲ ଆରେଷ୍ଟ ସ୍କାମ୍, ଲୋନ୍ ଆପ୍ ଠକେଇ, ଫିସିଂ, ମେସେଜିଂ ତଥା ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ପଠାଯାଉଥିବା ଲିଙ୍କ୍ ମାଧ୍ୟମରେ ହେଉଥିବା ଠକେଇ ମାମଲା ବୃଦ୍ଧି ପାଉଥିବା ତଥ୍ୟ ସାମ୍ନାକୁ ଆସିଛି ।

ରାଜ୍ୟୱାରୀ ମିଳିଥିବା ଏହି ତଥ୍ୟରୁ ସାରା ଦେଶରେ ଆର୍ଥିକ ସାଇବର ଅପରାଧର ଭୟାବହତା ସ୍ପଷ୍ଟ ଜଣାପଡୁଛି । ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ତାମିଲନାଡୁ ଆଦି ରାଜ୍ୟରୁ ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସିଛି ।

ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, "ରାଜସ୍ଥାନରୁ ୭୫,୮୮୩, ପଶ୍ଚିମବଙ୍ଗରୁ ୭୨,୪୩୯ଟି, ଦିଲ୍ଲୀରୁ ୬୪,୪୯୬ଟି, ତାମିଲନାଡୁରୁ ୬୩,୧୧୬ ଏବଂ ହରିୟାଣାରେ ୫୮,୭୨୧ ଅଭିଯୋଗ ପଞ୍ଜିକୃତ ହୋଇଛି।"

ଟଙ୍କା ହରାଇବା ମାମଲାରେ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୧,୬୩୭.୬୬ କୋଟି ଟଙ୍କାର ସାଇବର ଠକେଇ ହୋଇଛି । ଏହା ପଛକୁ କର୍ଣ୍ଣାଟକ (୧,୦୯୭.୩୭ କୋଟି), ତାମିଲନାଡୁ (୮୯୭.୭୯ କୋଟି), ଉତ୍ତର ପ୍ରଦେଶ (୭୩୪.୧୯ କୋଟି), ଗୁଜରାଟ (୬୪୩.୮୨ କୋଟି), ଚଣ୍ଡିଗଡ଼ (୬୩୦.୫୩ କୋଟି) ଏବଂ ତେଲଙ୍ଗାନା (୬୧୪.୧୮ କୋଟି) ରହିଛନ୍ତି ।

ଜାତୀୟ ସ୍ତରରେ ପଞ୍ଜିକୃତ ୧୨.୭୧ ଲକ୍ଷ ଅଭିଯୋଗ ମଧ୍ୟରୁ ୨.୮୬ ଲକ୍ଷ ମାମଲାକୁ ବ୍ୟାଙ୍କିଙ୍ଗ୍ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଯାଇଛି । 'ସିଟିଜେନ୍ ଫାଇନାନ୍ସିଆଲ୍ ସାଇବର ଫ୍ରଡ୍ ରିପୋର୍ଟିଂ ଆଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ' ଅଧୀନରେ ବ୍ୟାଙ୍କଗୁଡ଼ିକ ଦ୍ୱାରା ୨.୭୦ ଲକ୍ଷ ଅଭିଯୋଗ ଉପରେ ପଦକ୍ଷେପ ନିଆଯାଇଛି ।

ଛୋଟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଅଭିଯୋଗ ସଂଖ୍ୟାରେ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଛି । ଲକ୍ଷାଦ୍ୱୀପରୁ (୩୭), ଲଦାଖରୁ (୧୭୪), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ (୪୦), ମିଜୋରାମରୁ (୪୩୨), ନାଗାଲାଣ୍ଡରୁ (୪୫୫), ସିକିମରୁ (୫୩୭), ଅରୁଣାଚଳ ପ୍ରଦେଶରୁ (୬୫୬) ଏବଂ ମେଘାଳୟରୁ (୭୮୪) ଅଭିଯୋଗ ଆସିଛି ।

ହରାଇଥିବା ମୋଟ ୧୦,୧୭୮.୯୭ କୋଟି ଟଙ୍କା ମଧ୍ୟରୁ ବ୍ୟାଙ୍କଗୁଡ଼ିକ ୨,୯୬୮.୮୫ କୋଟି ଟଙ୍କା ଉପରେ ହୋଲ୍ଡ ରଖିବାରେ ସଫଳ ହୋଇଛନ୍ତି, ଯାହା ମୋଟ ଟଙ୍କାର ୨୯.୧୭ ପ୍ରତିଶତ ଅଟେ । ରିପୋର୍ଟ ଅନୁସାରେ, ୨୦୨୧ରୁ ୨୦୨୬ ମେ ମାସ ମଧ୍ୟରେ ଲୋକେ ସାଇବର ଅପରାଧ ଯୋଗୁଁ ୬୪,୪୪୭ କୋଟି ଟଙ୍କା ହରାଇଥିବା ଅଭିଯୋଗ କରିଛନ୍ତି । ଏଥିମଧ୍ୟରୁ ୧୦,୭୧୮ କୋଟି ଟଙ୍କା ଫ୍ରିଜ୍ କରାଯାଇଥିବା ବେଳେ ପୀଡ଼ିତମାନଙ୍କୁ କେବଳ ୩୨୩ କୋଟି ଟଙ୍କା ଫେରସ୍ତ କରାଯାଇ ପାରିଛି ।