ଆଠଗଡ଼ ୧୭।୭: ଲଗାଣ ବର୍ଷା ରେ ଉଚ୍ଛୁଳିଲା ସାପୁଆ ନଦୀ। ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସହିତ ଶତାଧିକ ଏକର ଜମି ଜଳମଗ୍ନ।ଲଘୁଚାପ ଜନିତ ଲଗାଣ ବର୍ଷାରେ ସାପୁଆ ନଦୀ ସହିତ ବେଙ୍ଗା, କଣ୍ଟିଆ, ରମ୍ପାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୧୦ରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ ।

ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ତିନି ନମ୍ବର ୱାର୍ଡ ଗଦାସାହି ସହିତ ଆଠଗଡ ବ୍ଲକ କୁଲାଇଲୋ ପଞ୍ଚାୟତର କରକମଲ, ଇଚ୍ଛାପୁର ପଞ୍ଚାୟତର ଇଚ୍ଛାପୁର, ଗୁଡୁପଡା, ମୁକ୍ତାଦେଇପୁର, ମହାକାଳବସ୍ତ ପଞ୍ଚାୟତର ହରିପୁର, ଦହିସରା, ସମସରପୁର ପଞ୍ଚାୟତକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ । ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଉଦ୍ଧାର ସହିତ ରିଲିଫରେ ଉଭୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯାଇଛି । ନଦୀବନ୍ଧ ଉଚ୍ଛୁଳି ନଦୀ କୂଳରେ ଥିବା ଏକାଧିକ ଗାଁର ଶତାଧିକ ଏକର ଜମି ଜଳମଗ୍ନ ହୋଇପଡିଛି । ସାପୁଆ ନଦୀ କୂଳରେ ଥିବା ଇଚ୍ଛାପୁର, ସମସରପୁର, ସଠିଲୋ, ବେଣ୍ଟପଦା, ମହାକାଳବସ୍ତ, ରାଜନଗର ଆଦି ପଞ୍ଚାୟତର ଗହୀରରେ ପାଣି ପଶିଯାଇ ଶତାଧିକ ଏକର ଜମି ଜଳମଗ୍ନ ହୋଇପଡିଛି ।

Also Read:- ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ଆଶୁଆରୋଗ୍ୟ କାମନା କଲେ ନବୀନ

ସେହିପରି ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୩ ନଂ ଓ୍ବାର୍ଡ ର ରଜକସାହି, ମୁସଲମାନ ବସ୍ତି ଆଦିରେ ପାଣି ପଶିଛି । ୩ ନଂ ଓ୍ବାର୍ଡ ନବଗ୍ରହ ମନ୍ଦିର ଠାରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ୧ନଂ ଓ୍ବାର୍ଡର ବ୍ୟାପକ ଜମି ଜଳମଗ୍ନ ହୋଇପଡିଛି । ସେହିପରି ଯୋରନ୍ଦା ହରିପୁର, ତରଡିଙ୍ଗ, ଦହିସରା, ମାନପୁର, ବେଣ୍ଟପଦା ରାଜନଗର ତଇଲାମାଳ ମୌଜାର ଗହୀର ବନ୍ୟା ପାଣିରେ ବୁଡିଯାଇ ବ୍ୟାପକ ପରିବା ଫସଲ ସହିତ ଧାନ ତଳି ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଚଳିତ ବର୍ଷ ଜୁଲାଇ ମାସ ୧ ତାରିଖରୁ ୧୬ ତାରିଖ ମଧ୍ୟରେ ଲଗାଣ ବର୍ଷା ଫଳରେ ସାପୁଆ ନଦୀରେ ଦ୍ବିତୀୟ ଥର ବନ୍ୟାଜଳ ପ୍ରବାହିତ ହେଉଛି । ତେଣୁ ଏଥର ବନ୍ୟା ପାଣି କ୍ଷେତରେ ପ୍ରବେଶ କରିବା ଫଳରେ କ୍ଷୟକ୍ଷତି ର ପରିମାଣ ଅଧିକ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏପଟେ ତୁହାକୁ ତୁହା ବର୍ଷା ସାଙ୍ଗକୁ ଦୂଷିତ ବନ୍ୟାଜଳ ସାହି ବସ୍ତିରେ ପ୍ରବେଶ କରିବା ଏବଂ ଅନିୟମିତ ବିଦ୍ୟୁତ କାଟ ଯୋଗୁଁ ପାନୀୟ ଜଳର ସଙ୍କଟ ଏବଂ ବିଭିନ୍ନ ପ୍ରକାରର ସଂକ୍ରମଣ ହେବାର ଆଶଙ୍କା ସୃଷ୍ଟି ହୋଇଛି।