ଭୁବନେଶ୍ୱର, ୨୮/୦୯ : ଫୁଲୁଛି ମହାନଦୀ । ଉପରମୁଣ୍ଡ ଓ ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ହୀରାକୁଦର ୨୮ଟି ଗେଟ୍ ଖୋଲିଛି। ଉପରମୁଣ୍ଡରୁ ଆସୁଥିବା ପାଣି ପହଞ୍ଚିବା ପରେ ସୋମବାର ମୁଣ୍ଡୁଳିରେ ୮ଲକ୍ଷ ପାଣି ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି । ମହାନଦୀରେ ଛୋଟଧରଣର ବନ୍ୟା ସ୍ଥିତି ସୃଷ୍ଟି ହେବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।

ରବିବାର ରାତି ୯ଟାରେ ହୀରାକୁଦର ଜଳସ୍ତର ୬୨୮.୫୪ ଫୁଟ ଥିଲା। ୨୮ଟି ଗେଟ୍ ଦେଇ ସେକେଣ୍ଡ ପିଛା ୫ ଲକ୍ଷ ୪୦ ହଜାର ଘନଫୁଟ ନିଷ୍କାସିତ ହେଉଛି। ତେଲ ନଦୀର ପଥରଳାରୁ ୧ଲକ୍ଷ ୮୩ହଜାର ମହାନଦୀରେ ପ୍ରବେଶ କରୁଥିଲା। ଖଇରମାଳରେ ୬ଲକ୍ଷ ୩୦ହଜାର ପାଣି ଚାଲିଥିବାବେଳେ ବରମୂଳରେ ୬ଲକ୍ଷ ୪୬ ହଜାର ପାଣି ପ୍ରବାହିତ ହେଉଥିଲା ।

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ଆକଳନ କରି କହିଛନ୍ତି, ମହାନଦୀ ନଦୀ ପ୍ରଣାଳୀର ବିଭିନ୍ନ ଅବବାହିକାରେ ପ୍ରବଳ ବର୍ଷା ହୋଇଛି। ସେଓନାଥ, ଜୋଙ୍କ ଓ ମହାନଦୀର ଅନ୍ୟ ଉପନଦୀରେ ଜଳପ୍ରବାହ ବଢ଼ିଛି। ସୋମବାର ସୁଦ୍ଧା ମୁଣ୍ଡୁଳିରେ ୮ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେବ। ମହାନଦୀରେ ଛୋଟଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ। ମହାନଦୀର ଶାଖା ନଦୀ ଲୁଣା, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ ଓ ମକରା ଭଳି ନଦୀରେ ପାଣି ଫୁଲି ବନ୍ୟା ସ୍ଥିତି ସୃଷ୍ଟି ହେବ। ପାଖରେ ଥିବା ଚାଷ ଜମି ବୁଡ଼ିବ। କିନ୍ତୁ ବ୍ୟାପକ ଅଞ୍ଚଳ ବୁଡ଼ିବା ବା ବଡ଼ ବନ୍ୟାର ଆଶଙ୍କା ନାହିଁ । ପୂର୍ବଥର ବନ୍ୟା ଭଳି କମ୍ ପ୍ରଭାବ ରହିବ।

ମହାନଦୀରେ ବନ୍ୟା ଯୋଗୁ ବାଙ୍କୀ, ଆଠଗଡ଼ ଓ ବଡ଼ମ୍ବାର ତଳିଆ ଅଞ୍ଚଳରେ ପାଣି ପଶିବ । ରଣା, କଣ୍ଟିଆ ନାଳରେ ପାଣି ପଶିବ । ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବ। ୨୪ ଘଣ୍ଟା ଯାଏ ତଳିଆ ଅଞ୍ଚଳ ବୁଡ଼ି ରହିବ। ଜଳସମ୍ପଦ ବିଭାଗ ଦର୍ଶାଇଛି, ରବିଶଙ୍କର ସାଗର ଅବବାହିକାରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଅଧିକ ପାଣି ପଶିଥିଲା । ଏଥିପାଇଁ ପ୍ରାୟ ୨.୫୦ ଲକ୍ଷ ଘନଫୁଟ ପାଣି ନିମ୍ନ ଅବବାହିକାକୁ ଛଡ଼ା ଯାଇଥିଲା। ହୀରାକୁଦ ଜଳସ୍ତର ନିୟନ୍ତ୍ରଣ କରି ଆବଶ୍ୟକ ବନ୍ୟା ନିୟନ୍ତ୍ରଣ ସ୍ଥାନ ସୃଷ୍ଟି କରିବାକୁ ଅଧିକ ଜଳ ନିଷ୍କାସନ ଚାଲିଛି।

ସେପଟେ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଋଷିକୁଲ୍ୟା ଓ ବଂଶଧାରା ନଦୀର ଜଳସ୍ତର ଧୀରେ ଧୀରେ ଖସୁଛି । ବ୍ରାହ୍ମଣୀ, ବୈତରଣୀ ଓ ଜଳକା ନଦୀର ଜଳସ୍ତର ଏବେସୁଦ୍ଧା ଖସିନି । ରାତି ୯ଟା ସୁଦ୍ଧା ବ୍ରାହ୍ମଣୀ ନଦୀର ଜେନାପୁରଠାରେ ଜଳସ୍ତର ୧୯.୯୧ ମିଟର ଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୨୩ ମିଟର ଥିବାବେଳେ ନଦୀ ଜଳସ୍ତର କ୍ରମାଗତ ଖସୁଛି । ବୈତରଣୀର ଆଖୁଆପଦାଠାରେ ବିପଦ ସଙ୍କେତ ସ୍ତର ହେଉଛି ୧୮. ୩୩ ମିଟର। ଏଠାରେ ୧୮.୨୦ ମିଟର ପାଣି ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗର ଏନଏଚ-୫ ଗୋବିନ୍ଦପୁରଠାରେ ଜଳସ୍ତର ୭.୩୪ ମିଟର ରହିଛି। କିନ୍ତୁ ସୁବର୍ଣ୍ଣରେଖାର ରାଜଘାଟଠାରେ ଏବେ ବି ବିପଦ ସଙ୍କେତ ଉପରେ ପାଣି ଚାଲିଛି। ଏଠାରେ ବିପଦ ସଙ୍କେତ ସ୍ତର ୧୦.୩୬ ମିଟର ହୋଇଥିବାବେଳେ ଜଳସ୍ତର ୧୧,୦୪ ମିଟର ରହିଛି। ଜଳକା ନଦୀର ଜଳସ୍ତର ଖସୁଛି I ମଥାନି ରୋଡ୍ ଠାରେ ବିପଦ ସଙ୍କେତ ସ୍ତର ୬.୫୦ ମିଟର। ଏଠାରେ ଜଳସ୍ତର ୬.୬ ମିଟର ରହିଛି । ଋଷିକୁଲ୍ୟା ଓ ବଂଶଧାରା ନଦୀ ଜଳସ୍ତର ବି ଖସିବା ସହ ବିପଦ ସଙ୍କେତ ସ୍ତର ତଳେ ପ୍ରବାହିତ ହେଉଛି।

କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଥିଲା। ଏବେ ସ୍ଥିତିରେ ସୁଧାର ଆସିଛି। ତଳିଆ ଅଞ୍ଚଳରୁ ପାଣି ଖସିଛି, କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । ବନ୍ୟା ଯୋଗୁ ବାଲେଶ୍ଵର ଜିଲ୍ଲାର ୧୧ଟି ବ୍ଲକର ୧୨୬ଟି ପଞ୍ଚାୟତ ଓ ୭୩୦ଟି ଗ୍ରାମ ପ୍ରଭାବିତ ହୋଇଛି । ପ୍ରାୟ ୩ଲକ୍ଷ ୫୭ହଜାର ୪୬୬ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୬୭ହଜାର ୨୬୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।