ତିରୁଅନନ୍ତପୁରମ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଦିନିକିଆ ତିରୁଅନନ୍ତପୁରମ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଟିମ୍ ଗ୍ରୀଭ୍ସଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୫ ରନ୍ କରିଛି । ବିଜୟ ପାଇଁ ଭାରତକୁ ୨୯୬ ରନ୍ ଆବଶ୍ୟକ ।

ଆଜିର ମ୍ୟାଚରେ ଭାରତ ଟସ୍ ଜିତି ଭ୍ରମଣକାରୀ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ୱେଷ୍ଟଇଣ୍ଡିଜ୍ ଭଲ ଆରମ୍ଭ କରିଥିଲା । ଜନ୍ କ୍ୟାମ୍ପବେଲ୍ ଏବଂ ଜଷ୍ଟିନ୍ ଗ୍ରୀଭ୍ସ ପ୍ରଥମ ୱିକେଟ୍ ପାଇଁ ୧୩୫ ରନ୍ ଯୋଡ଼ିଥିଲେ । କୁଲଦୀପ ଯାଦବ କ୍ୟାମ୍ପବେଲଙ୍କୁ ଆଉଟ୍ କରି ଏହି ପାର୍ଟନରଶିପକୁ ଶେଷ କରିଥିଲେ । କ୍ୟାମ୍ପବେଲ୍ ୬୦ ବଲରୁ ୬ ଚୌକା ଏବଂ ୩ ଛକା ସହାୟତାରେ ୬୨ ରନର ଅବଦାନ ରଖିଥିଲେ । ୱେଷ୍ଟଇଣ୍ଡିଜ୍ ପାଇଁ ଜଷ୍ଟିନ୍ ଗ୍ରୀଭ୍ସ ସର୍ବାଧିକ ୧୦୮ ବଲରୁ ୧୨ ଚୌକା ସହିତ ୧୦୧ ରନ କରିଥିଲେ ।

କେସି କାର୍ଟି ୧୩ ରନ କରିଥିଲେ ଏବଂ ଅଧିନାୟକ ଶାଇ ହୋପ୍ ୧୨ ରନ କରିଥିଲେ । ଜୁଏଲ୍ ଆଣ୍ଡ୍ରୁଜ୍ ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ଆମିର ଜାଙ୍ଗୁ ୪୩ ବଲରୁ ୫୮ ରନ କରି ଅପରାଜିତ ରହି ଦଳକୁ ୩୦୦ ରନର ନିକଟତର କରାଇଥିଲେ । ଆମିର ରୋଷ୍ଟନ୍ ଚେଜ୍ (୨୪)ଙ୍କ ସହିତ ଷଷ୍ଠ ୱିକେଟ୍ ପାଇଁ ୫୨ ରନ ଏବଂ ମାଥ୍ୟୁ ଫୋର୍ଡ (୭)ଙ୍କ ସହିତ ସପ୍ତମ ୱିକେଟ୍ ପାଇଁ ୩୭ ରନ ଯୋଡ଼ିଥିଲେ । ଭାରତ ପକ୍ଷରୁ ସ୍ପିନର କୁଲଦୀପ ଯାଦବ ୪ଟି ୱିକେଟ୍ ନେଇଥିଲେ । ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା ୨ଟି ଏବଂ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଗୋଟିଏ ୱିକେଟ୍ ନେଇଥିଲେ ।